www.samajalive.in
Monday, December 15, 2025
15.1 C
Bhubaneswar

ତିବ୍ଦତର ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ମାଡ଼ି ଆସୁଛି ଚୀନ୍‍

ନୂଆଦିଲ୍ଲୀ  : ଆସଫିଲା ନିକଟସ୍ଥ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‍ଏସି)ଠାରେ ଭାରତୀୟ ସେନାର ପାଟ୍ରୋଲିଂକୁ ‘ସୀମା ଅତିକ୍ରମଣ’ ବୋଲି ଅଭିଯୋଗ କରୁଥିବା ଚୀନ୍‍ ବାସ୍ତବରେ ଏହି ସୀମାରେଖା ନିକଟରେ ଏକାଧିକ ଥର ଅନୁପ୍ରବେଶ ଉଦ୍ୟମ କରିଛି। ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଏ ସମ୍ବନ୍ଧରେ ଆଇଟିବିପି ପକ୍ଷରୁ ମନ୍ତ୍ରଣାଳୟକୁ ବିଧିବଦ୍ଧ ଭାବେ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ୨୦୧୮ ଫେବୃଆରୀ ୨୭, ମାର୍ଚ୍ଚ ୬ ଏବଂ ମାର୍ଚ୍ଚ ୯ରେ ଚୀନ ସୈନ୍ୟ ସୀମା ଉଲ୍ଲଙ୍ଘନ ପୂର୍ବକ ଭାରତୀୟ କ୍ଷେତ୍ରର ୬ କିଲୋମିଟର ଭିତରକୁ ପଶିଆସିଥିଲେ। ବିଶେଷକରି ତିବ୍ଦତ ଅନ୍ତର୍ଗତ ପାଙ୍ଗୋଙ୍ଗ ହ୍ରଦର ଉତ୍ତରାଞ୍ଚଳରେ ଚୀନ୍‍ ସୈନ୍ୟ ସୀମା ଅତିକ୍ରମଣ କରିଥିଲେ। ଭାରତ ଓ ଚୀନ ମଧ୍ୟରେ ଥିବା ଏଲ୍‍ଏସି ବାସ୍ତବରେ ବିବାଦୀୟ କ୍ଷେତ୍ର ଭାବେ ପରିଗଣିତ ଆକ୍‍ସାଇ ଚୀନ୍‍ର ଦକ୍ଷିଣାଞ୍ଚଳରୁ ଆରମ୍ଭ କରି ପାଙ୍ଗୋଙ୍ଗ ପର୍ଯ୍ୟନ୍ତ ଲମ୍ବିଛି। ଏଲ୍‍ଏସିରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାସତ୍ତ୍ବେ ଏଠାରେ ଚୀନ୍‍ ସୈନ୍ୟ ସୀମା ଅତିକ୍ରମଣ କରିବା ଏକ ସାଧାରଣ ଘଟଣା। ଚୀନ୍‍ ସୈନ୍ୟ ନିଜ ଗାଡ଼ି ନେଇ ସୀମା ଅତିକ୍ରମ କରନ୍ତି। ପ୍ରାୟ ତିନି ଥର ସେମାନେ ଭାରତୀୟ କ୍ଷେତ୍ରର ୬ କିଲୋମିଟର ଭିତରକୁ ପଶିଆସିଥିଲେ। ମାତ୍ର ଆଇଟିବିପି ପକ୍ଷରୁ ଏ ବିଷୟରେ ଚୀନ୍‍ ଅଧିକାରୀଙ୍କ ନିକଟରେ ପ୍ରତିବାଦ କରାଯିବା ସହିତ ପ୍ରତ୍ୟକ୍ଷ ବାଧା ଦିଆଯାଇଥିଲା। ଫଳରେ ସେମାନଙ୍କୁ ନିଜ କ୍ଷେତ୍ରକୁ ଫେରିବାକୁ ପଡ଼ିଥିଲା।
ସମ୍ପ୍ରତି ହିମାଳୟ ପାର୍ବତ୍ୟାଞ୍ଚଳରେ ଶୀତପ୍ରବାହ ଶେଷ ହୋଇଥିବାରୁ ଏହାର ସୁଯୋଗ ନେଇ ଚୀନ୍‍ ସୈନ୍ୟ ଆଗାମୀ ଦିନରେ ପୁନଃ ସୀମା ଅତିକ୍ରମଣ କରିବାର ଆଶଙ୍କା ରହିଛି, ଯାହାକି ୨୦୧୭ ଅଗଷ୍ଟର ଡୋକଲାମ୍‍ ପରିସ୍ଥିତି ପୁଣିଥରେ ସୃଷ୍ଟି କରି ପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ ଏହି ଘଟଣା ପରେ ଡୋକଲାମଠାରେ ଉଭୟ ଭାରତୀୟ ସେନା ଏବଂ ଚୀନ୍‍ ସୈନ୍ୟ କ୍ରମାଗତ ମୁହାଁମୁହିଁ ହୋଇଛନ୍ତି। ଏକଦା ଚୀନ ସୈନ୍ୟ ଭାରତୀୟ ଯବାନଙ୍କ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ କେତେଜଣ ଯବାନ ଆହତ ହୋଇଥିଲେ। ଭାରତ-ଚୀନ ଅନ୍ତର୍ଜାତୀୟ ସୀମା ସବୁଠାରୁ ଶାନ୍ତିପୂର୍ଣ୍ଣ ବିବାଦୀୟ ସୀମା ବୋଲି କୁହାଯାଉଥିବା ବେଳେ ଚୀନ ସୈନ୍ୟଙ୍କ ପଥର ଫିଙ୍ଗା ଘଟଣା ଏହାର ଗୁରୁତ୍ୱ ହ୍ରାସ କରିଛି। ଏହି ସବୁ ଘଟଣାକୁ ନେଇ ଦୁଇ ଦେଶର ସେନା ନିଜ ନିଜର ପ୍ରତିବାଦ ପ୍ରକାଶ କରିବା ସହିତ ଫ୍ଲାଗ୍‍ ବୈଠକବେଳେ ତାହାର ସମାଧାନ ଉଦ୍ୟମ କରିଥାଆନ୍ତି। ଛୋଟ ଛୋଟ ବିବାଦୀୟ ପରିସ୍ଥିତି ଏଲ୍‍ଏସିରେ ଲାଗି ରହିଥିବାବେଳେ ସେଠାରେ ଯେମିତି ଗୁଳି ବିନିମୟ ନ ହୁଏ ସେଥିପ୍ରତି ଦୁଇ ଦେଶର ସୈନ୍ୟବାହିନ ବିଶେଷ ଧ୍ୟାନ ଦେଇଥାଆନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories