କୁଟିଆ ଓଡ଼ିଶାର

0

-ଆନ୍ଧ୍ର ଅପଚେଷ୍ଟାର ପ୍ରତିହତ କରିବ ଓଡ଼ିଶା, -ଫୋକସ୍‍ର ୩୦୦ ଜିଲାରେ ରହିଛି କୋରାପୁଟ

କୋରପୁଟ/ପଟାଙ୍ଗି  : ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୁଟିଆ ଅଞ୍ଚଳ ଓଡିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଓଡ଼ିଶାର ଥିଲା, ଅଛି ଓ ରହିବ ମଧ୍ୟ। ଏହାକୁ କେହି ଓଡିଶାରୁ ଛଡାଇ ନେଇପାରିବେ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେବଳ ଏତିକି ନୁହେଁ; କେନ୍ଦ୍ର ସରକାରଙ୍କ କେନ୍ଦ୍ର ସରକାରଙ୍କ ଫୋକସରେ ରହିଥିବା ୩୦୦ଜିଲା ମଧ୍ୟରେ ଓଡ଼ିଶାର କୋରାପୁଟ ଜିଲାର ସ୍ଥାନ ରହିଥିବା କହିବା ସହ ଆନ୍ଧ୍ର ଅପଚେଷ୍ଟାର ଦୃଢ଼ ଜବାବ ଦିଆଯିବା ସହ ଓଡ଼ିଶା ପ୍ରତିହତ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ସୋମବାର କୁଟିଆ ଅଞ୍ଚଳ ଗସ୍ତ କରିଥିବା ବେଳେ ଏହି ଅଞ୍ଚଳକୁ ନେଇ ବିବାଦ ଦେଖାଦେବା ପରଠାରୁ ପ୍ରଥମଥର ପାଇଁ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପାଦ ଏଠାରେ ପଡିଛି। ଶ୍ରୀ ପ୍ରଧାନ କୋରାପୁଟ ଜିଲା ସୁନାବେଡା ହେଲିପ୍ୟାଡରେ ପୂର୍ବାହ୍ଣ ୮ଟା ୩୦ରେ ଓହ୍ଲାଇବା ପରେ ଏଠାରୁ ୪୫କିମି ଦୂର ଆନ୍ଧ୍ର-ଓଡିଶା ସୀମାନ୍ତ କୁଟିଆ ଗସ୍ତ କରିଥିଲେ। ଯିବା ବାଟରେ ଉପସ୍ଥିତ ସମସ୍ତ ସମର୍ଥକ, ସ୍କୁଲ ପିଲା, ଆଦିବାସୀ ମହିଳା ହାତ ହଲାଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। କୁଟିଆଠାରେ ମନ୍ତ୍ରୀ ପହଞ୍ଚିବା ପରେ ଆଦିବାସୀ ମହିଳାମାନେ ତାଙ୍କ ମୁଣ୍ଡରେ ଅରୁଆ ଚାଉଳ, ସିନ୍ଦୂର ଲଗାଇ ପାରମ୍ପାରିକ ଢେମସା ନୃତ୍ୟରେ ତାଳେ ତାଳେ ପାଛୋଟି ନେଇଥିଲେ। ପରେ ସେ କୁଟିଆସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସାରି ସ୍ଥାନୀୟ ସେବାଶ୍ରମ ପରିଦର୍ଶନରେ ଯାଇଥିଲେ। ସେଠାରୁ ଶ୍ରୀ ପ୍ରଧାନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ବୁଲିବା ସହ ଘର ଘର ବୁଲି ସ୍ଥିତି ପରଖିଥିଲେ। ଗ୍ରାମର ଅଧିକାଂଶ ଲୋକଙ୍କୁ ସେ ଭଲମନ୍ଦ ପଚାରି ବୁଝିବା ପରେ ସଭାସ୍ଥଳକୁ ଯାଇଥିଲେ। କୋରାପୁଟର ପୂର୍ବତନ ଜିଲାପାଳ ଗଦାଧର ପରିଡା ୧୯୩୬ ରେ ଏଠାରେ ଅବସ୍ଥାପିତ ବ୍ରିଟିଶ ଜିଲାପାଳଙ୍କ ଝିଅ ଅନିମେସ ବେଲଙ୍କଠାରୁ ଯେଉଁ ମ୍ୟାପ ଆଣିଥିଲେ ସେହି ମ୍ୟାପ ଅନୁସାରେ କୁଟିଆ ଅଞ୍ଚଳ କୋରାପୁଟ ଜିଲା ଅଧୀନ ବୋଲି ଉଲ୍ଲେଖ ଥିବା ଶ୍ରୀ ପ୍ରଧାନ ସଭାରେ କହିଥିଲେ। ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ ଅଭିଯୋଗ କରିଥିଲେ। ଏହି ଅବସରରେ କୁଟିଆ ସରପଞ୍ଚ ବିଶୁ ଗେମେଲ କହିଥିଲେ ଯେ, ଦୀର୍ଘ ୭୦ବର୍ଷ ହେବ କୌଣସି କେନ୍ଦ୍ର ମନ୍ତ୍ରୀ ଏହ ଅଞ୍ଚଳକୁ ଗସ୍ତ କରି ନ ଥିବା ବେଳେ ଆଜି ଜଣେ କେନ୍ଦ୍ର ମନ୍ତ୍ରୀ ଏଠାକୁ ଆସିଥିବାରୁ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏବେ ଏହି ଅଞ୍ଚଳର ବିକାଶ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଗ୍ରାମବାସୀ କେମେଶ୍ୱର ଗେମେଲ ମଧ୍ୟ ଅନୁରୂପ କଥା କହିଛନ୍ତି। ସ୍ଥାନୀୟ ଅଞ୍ଚଳର ନେତା ରଞ୍ଜିତ ପାଙ୍ଗି ଏହି ଅବସରରେ ୩୦ଦଫା ସମ୍ବଳିତ ଦାବି ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳ ପାଇଁ ସବୁଦିନିଆ ରାସ୍ତା, ବିଦ୍ୟୁତ ବ୍ୟବସ୍ଥା, ପାନୀୟ ଜଳର ସୁବିଧା, ସ୍ୱାସ୍ଥ୍ୟ ସେବା ଓ କର୍ମ ନିଯୁକ୍ତି ଆଦି ରହିଛି। ଜିଲା ପରିଷଦ ସଭ୍ୟ ଡୁମୁରି ଖିଲ କନ୍ଧ ଭାଷାରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ମଧ୍ୟ ତାଙ୍କ ଭାଷାରେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ବୁରାଗୁମ୍ଫା ଅଞ୍ଚଳ ଆନ୍ଧ୍ର ହାତକୁ ଚାଲିଯାଇଛି ବୋଲି ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଥିଲେ। ଏବେ ବି ସରକାର ଏ ନେଇ ଅପିଲ କରୁ ନଥିବା ବେଳେ ପଟାଙ୍ଗି ଓ ସେମିଳିଗୁଡା ଅଞ୍ଚଳରେ ଅନେକ ଗୁଡିଏ ଗୁମ୍ଫା ଅଛି ଯାହାର ସୌନ୍ଦର୍ଯ୍ୟକରଣ କରାଗଲେ ଏଠାରେ ଇକୋ ଟ୍ୟୁରିଜମ ପ୍ରତିଷ୍ଠା ହୋଇପାରିବ ବୋଲି ଶ୍ରୀ ପାଙ୍ଗି ମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଏହା କରାଗଲେ ପରିବେଶ ସୁରକ୍ଷା ହେବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିବ ବୋଲି ସେ କହିଛନ୍ତି। ସେହିପରି ଦେଉମାଳି ପର୍ବତକୁ ଇକୋ ଟ୍ୟୁରିଜିମ ମାନ୍ୟତା ମିଳିଥିଲେ ମଧ୍ୟ ସେହି ଅନୁପାତରେ କୌଣସି କାର୍ଯ୍ୟ ହେଉ ନଥିବା ସୂଚନା ଦିଆଯାଇଛି। ପିଲାବେଳେ ବହିରୁ ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ବିଷୟରେ ପଢିଥିବା ବେଳେ ଏବେ ସେହି ଅଞ୍ଚଳକୁ ଆସି ଧନ୍ୟ ମନେ କରୁଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଭାଷଣରେ କହିଥିଲେ। କୁଟିଆଠାରେ ଏହି ସଭା ଦଳୀୟ କାର୍ଯ୍ୟ ନୁହେଁ ବୋଲି ସେ ଦର୍ଶାଇବା ସହ ଆନ୍ଧ୍ର ପଟରୁ କିଛି ଅଧିକାରୀ ଏଠାକୁ ଆସି ଜନ୍ମଭୂମି କାର୍ଯ୍ୟକ୍ରମ ଆଳରେ ବିବାଦୀୟ କରି ପକାଇଛନ୍ତି ବୋଲି ସେ କହିଛନ୍ତି। ୨୦୦୬ରେ ଏ ନେଇ କୋର୍ଟ ମନ୍ତବ୍ୟ ଦେଇ କୁଟିଆ ଅଞ୍ଚଳରେ ୨୧ନୁହେଁ ୨୮ଗ୍ରାମ ରହିଥିବା ଓ ଏହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିବା ମନ୍ତ୍ରୀ ସୂଚନା ଦେଇ ଏହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ଦଳମତ, ଜାତିମତ ନିର୍ବିଶେଷରେ ଓଡିଶା ସୀମା ସୁରକ୍ଷିତ ରଖିବାକୁ ସେ କହିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ଦେଇଥିବା ଦାବିପତ୍ର ସମ୍ପର୍କରେ ମନ୍ତ୍ରୀ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିବା ସହ ଏଠାରେ ଟେଲିଫୋନ ଟାୱାର ଓ ବ୍ୟାଙ୍କିଂ ସୁବିଧା ପାଇଁ କେନ୍ଦ୍ରରେ ଆଲୋଚନା କରିବେ ବୋଲି ସେ କହିଛନ୍ତି। ତଳ ଗଞ୍ଜେଇପଦର, ଗଞ୍ଜେଇପଦର, ପୁରା ପଞ୍ଚାୟତ, ପଟାଙ୍ଗି ପଞ୍ଚାୟତ ସମିତିର ବିକାଶ ନିମନ୍ତେ ଆମ ସମସ୍ତଙ୍କର ଦାୟିତ୍ୱ ରହିଥିବା ବେଳେ ଆନ୍ଧ୍ରର ଅପଚେଷ୍ଟାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଦେଶର ୧୧୫ଟି ପ୍ରମୁଖ ଜିଲାର ବିକାଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନିଟରିଂ କରୁଥିବା ବେଳେ ଏଥିରେ କୋରାପୁଟ ଜିଲା ରହିଥିବା ସୂଚନା ଦେଇଛନ୍ତି।

ଓଡିଶାର ବିକାଶ ପାଇଁ ଏଠାରେ ସମସ୍ତେ ଏକାଠି ହୋଇଥିବା ନେଇ ସେ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ବେଳେ ଦଳୀୟ ଜିଲା ସଭାପତି ବିଜୟ ମିଶ୍ର, ଜୟରାମ ପାଙ୍ଗି, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, କୃଷକ ମୋର୍ଚ୍ଚା ସମ୍ପାଦକ ସୁମନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟରାମ ଗରଡା, ସଦସ୍ୟ ତ୍ରିନାଥ ରାଓ, ଦେବେନ୍ଦ୍ର ବାହିନୀପତି, ଜିଲା ସାଧାରଣ ସମ୍ପାଦକ ଲଳିତ ଅଗ୍ରୱାଲ, ଗଦାଧର ବାରିକ, ରଞ୍ଜିତ ପାଣିଗ୍ରାହୀ, ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭେନ୍ଦୁ ବର୍ମା, ଅନୁପ ପାତ୍ର, ଅକ୍ଷୟ ସାହୁ, ଜି ଶ୍ରୀନିବାସ ରାଓ, ପଟାଙ୍ଗି ସରପଞ୍ଚ, ମଣ୍ଡଳ ସଭାପତି ଦିପେନ୍ଦ୍ର ଖୋସ୍ଲା, ନନ୍ଦପୁରର ଭଗବାନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଉପ ଜିଲାପାଳ କୃତ୍ତିବାସ ରାଉତ, ଅତିରିକ୍ତ ଏସପି ଭି ଆର ରାଓ, ବିଏସଏଫ ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ। କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଓଡିଶା ପୁଲିସର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଛି।

Leave A Reply