nua o banner

ଝିଅକୁ ବଳାତ୍କାର ; ହାଜତରେ ବାପାଙ୍କ ମୃତ୍ୟୁ

BSKY banner  750×100
0

ଲକ୍ଷ୍ନୌ  : ନ୍ୟାୟ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବଳାତ୍କାର ପୀଡ଼ିତାଙ୍କ ବାପାଙ୍କର ସୋମବାର ପୁଲିସ ହାଜତରେ ମୃତ୍ୟୁ ଘଟିଛି। ପୁଲିସରେ ଏତଲା ଦେବାରୁ ବଳାତ୍କାର ଅଭିଯୁକ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ପୁଲିସକୁ ହାତ କରି ହାଜତରେ ପୁରାଇ ଦିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରାୟ ବର୍ଷେ ପୂର୍ବେ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର ଓ ତାଙ୍କ ଭାଇ ତାଙ୍କୁ ବଳାତ୍କାର କରିଥିବା ଯୁବତୀ ଜଣକ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ। ରବିବାର ପରିବାର ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା।
ରବିବାର ହାଜତରେ ପୀଡ଼ିତାଙ୍କ ପିତା ପପୁ ସିଂହ(୫୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଉନାଓ ଜିଲା ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ପ୍ରବଳ ପେଟ ଯନ୍ତ୍ରଣା ଏବଂ ବାନ୍ତି ହେଉଥିବା ଡାକ୍ତରଙ୍କୁ କୁହାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ସରକାର ଏହି ଘଟଣାରେ ୨ ଅଧିକାରୀ ଓ ୪ଜଣ କନ୍‍ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ପପୁଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ବିଧାୟକ କୁଳଦୀପ ଏବଂ ତାଙ୍କ ଭାଇଙ୍କ ଦ୍ୱାରା ୨୦୧୭ ଜୁଲାଇ ୪ରେ ବଳାତ୍କାରର ଶିକାର ହୋଇଥିବା ନେଇ ସମ୍ପୃକ୍ତା ୧୬ ବର୍ଷ ବୟସ୍କା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏତଲା ରୁଜୁ କରିଥିଲେ ମଧ୍ୟ ସେଥିରେ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରି ନ ଥିଲା। ପୀଡିତା କହିଛନ୍ତି, ବଳାତ୍କାର ଘଟଣା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ; କିନ୍ତୁ ଏପ୍ରିଲ ୩ରେ ସେଠାରୁ ଫେରିବା ପରେ ଅଭିଯୁକ୍ତ ବିଧାୟକଙ୍କ ଲୋକମାନେ ତାଙ୍କ ପିତାଙ୍କୁ ମାଡ଼ ମାରିବା ସହିତ ହଇରାଣ ହରକତ କରିଥିଲେ। ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିଙ୍କୁ ସିଂହ ନାମକ ଜଣେ ବ୍ୟକ୍ତି ପପୁଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଏପ୍ରିଲ ୩ରେ ଗିରଫ କରିଥିଲା। ଗିରଫବେଳେ ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିଲା। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଏପ୍ରିଲ ୬ରେ ତାଙ୍କୁ ଜିଲା କାରାଗାରକୁ ପଠାଯାଇଥିଲା। ବନ୍ଧୁକ ଧରି କିଛି ଲୋକଙ୍କୁ ଧମକାଇବା ଓ ମାଡ଼ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଅଭିଯୁକ୍ତ ବିଧାୟକଙ୍କ ଭାଇ ଅତୁଲ ସିଂହ ଏବଂ ତାଙ୍କ ଲୋକମାନେ ତାଙ୍କୁ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ ବୋଲି ପୀଡ଼ିତାଙ୍କ ପିତା କହିଥିଲେ। ଅଭିଯୁକ୍ତଙ୍କ ଚାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସେ ଦର୍ଶାଇଥିଲେ।
ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ମାଖି ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଉନ୍ନାଓ ଏସ୍‍ପି ପୁଷ୍ପାଞ୍ଜଳି ଦେବୀ କହିଛନ୍ତି। ସମ୍ପୃକ୍ତ ଅଧିକାରୀ ଏଫଇଆଇଆର୍‍ରୁ ବିଧାୟକଙ୍କ ଭାଇଙ୍କ ନାମ ବାଦ୍‍ ଦେଇଥିବା ଅଭିଯୋଗ ରହିଛି ବୋଲି ସେ ଦର୍ଶାଇଛନ୍ତି। ସେହିଭଳି ପୁଲିସ ଉପମହାନିର୍ଦେଶକ ପ୍ରବୀଣ କୁମାର କହିଛନ୍ତି, ପୀଡ଼ିତାଙ୍କ ପିତା ପୁଲିସ ହାଜତରେ ଥିବାବେଳେ ପ୍ରାଣ ହରାଇଛନ୍ତି। ଖୁବ୍‍ଶୀଘ୍ର ଘଟଣାର ମାଜିଷ୍ଟ୍ରେଟ୍‍ସ୍ତରୀୟ ତଦନ୍ତ କରାଯିବ। ଯଦି କୌଣସି ପୁଲିସ କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରିଥିବା ଜଣାପଡେ ତା’ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାରେ କାହାକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ସମାଜବାଦୀ ପାର୍ଟି ଓ ବହୁଜନସମାଜ ପାର୍ଟିରୁ ଆସି ବିଜେପିରେ ମିଶିଥିବା ଅଭିଯୁକ୍ତ ବିଧାୟକ ସେନଗର ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି। ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ଶାସନକାଳରେ ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଚାଲିଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜ୍ୟେୱାଲା କହିଛନ୍ତି। ପୀଡ଼ିତଙ୍କୁ ପୁଲିସ ମାଡ଼ ମାରୁଥିବାବେଳେ ରାଜ୍ୟରେ ବିଜେପି ନେତାଙ୍କ ନିକଟରେ ନ୍ୟାୟ ବନ୍ଧା ପଡ଼ିଛି ବୋଲି ସେ କହିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Leave A Reply