BJD Bijuli 480×75 Mob

ଏଟିକେକୁ ହରାଇ କ୍ୱାର୍ଟରରେ ଗୋଆ

BJD Bijuli 480×75 Mob
0

ଭୁବନେଶ୍ୱର : ସ୍ପେନ୍‍ର ଫରୱାର୍ଡ କୋରୋମିନାସ୍‍ ଟେଲିଚିଆ, ବ୍ରାଣ୍ଡନ୍‍ ଫର୍ଣ୍ଣାଣ୍ଡେଜ୍‍ ଓ ଫ୍ରାନ୍‍ସର ଖେଳାଳି ହ୍ୟୁଗୋ ବୌମୌସ୍‍ଙ୍କ ଗୋଲ ବଳରେ ଏଫ୍‍ସି ଗୋଆ ଚଳିତ ସୁପର କପ ଫୁଟ୍‍ବଲ ପ୍ରଥମ ସଂସ୍କରଣର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ୫ମ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଆଟ୍‍ଲେଟିକୋ ଡି କଲ୍‍କାତା (ଏଟିକେ)କୁ ୩-୧ ଗୋଲ୍‍ରେ ଏଫ୍‍ସି ଗୋଆ ପରାସ୍ତ କରିଛି।
ଦୁଇ ଆଇଏସ୍‍ଏଲ ଦଳଙ୍କ ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୫ ମିନିଟ୍‍ରେ ଏଟିକେ ପକ୍ଷରୁ ଜୋର୍ଡି ମଣ୍ଟେଲ ଗୋଲ୍‍ଦେବାର ସୁଯୋଗ ପାଇଥିଲେ ହେଁ ତାଙ୍କ ସଟ୍‍ ଏଫ୍‍ସି ଗୋଆ ଗୋଲପୋଷ୍ଟ ପାଶ୍ୱର୍ ଦେଇ ଚାଲି ଯାଇଥିଲା। ୧୦ ମିନିଟରେ ଏଫ୍‍ସି ଗୋଆର ବ୍ରାଣ୍ଡନ ଫର୍ଣ୍ଣାଣ୍ଡେଜ୍‍ଙ୍କ ସଟ୍‍କୁ ଏଟିକେ ଗୋଲକିପର ସୋରାମ ଆଙ୍ଗାବା ରୋକି ଦେଇଥିଲେ। ଏଟିକେର ଦୁର୍ବଳ ରକ୍ଷଣାପନ୍ଥୀର ଫାଇଦା ଉଠାଇ ଏଫ୍‍ସି ଗୋଆ ନିୟମିତ ଆକ୍ରମଣ କରିଥିଲା। ୧୬ ମିନିଟରେଏଫ୍‍ସି ଗୋଆର ସ୍ପେନ୍‍ର ଫରୱାର୍ଡ କୋରୋମିନାସ୍‍ ଟେଲିଚିଆ ଏକ ସୁନ୍ଦର ପାସ୍‍ପାଇ ମଧ୍ୟ ଗୋଲ୍‍ଦେବାରେ ବିଫଳ ହୋଇଥିଲେ। ୨୭ ମିନିଟରେ ଏଟିକେର ବରିଷ୍ଠ ଖେଳାଳି ରବର୍ଟ କିନ୍‍ଙ୍କ ସଟ୍‍ ବାରରେ ବାଜି ଫେରି ଆସିଥିଲା। ପ୍ରଥମାର୍ଦ୍ଧର ଇଞ୍ଜୁରୀ ଟାଇମ୍‍ରେ ଏଫ୍‍ସି ଗୋଆ ଗୋଲ୍‍ଦେବାରେ ସକ୍ଷମ ହୋଇଥିଲା। ସ୍ପେନ୍‍ର ସାଥୀ ଖେଳାଳି ବେଡିଆ ପେଲାଏଜ୍‍ଙ୍କ ସୁନ୍ଦର ପାସ୍‍୍‍କୁ ଫରୱାର୍ଡ କୋରୋମିନାସ୍‍ ଟେଲିଚିଆ ଗୋଲରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ଗୋଲ ବରଣ କରିବା ପରେ ଏଟିକେ ପକ୍ଷରୁ ରବଟ୍‍ କିନ୍‍ ଏକ କିକ୍‍ ମାରିଥିଲେ ହେଁ ବଲ୍‍ ବାର୍‍ରେ ବାଜି ଫେରି ଆସିଥିଲା। ପ୍ରଥମାର୍ଦ୍ଧରେ ଗୋଟିଏ ଗୋଲ ପଛରେ ରହିଥିଲେ ମଧ୍ୟ ଏଟିକେ ପୂରା ଉତ୍ସାହର ସହିତ ଦ୍ୱିତୀୟାର୍ଦ୍ଧରେ ଖେଳିଥିଲା। ୫୦ତମ ମିନିଟ୍‍ରେ ଫରୱାର୍ଡ଼ ରବିନ୍‍ ସିଂହଙ୍କ ଏକ ପାସ୍‍କୁ ଆୟରଲାଣ୍ଡ ଫରୱାର୍ଡ଼ ଅଧିନାୟକ ରବର୍ଟ କିନ୍‍ ଗୋଲରେ ପରିଣତ କରି ୧-୧ ବରାବର କରିଥିଲେ। ଏହାପରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଟିକେ ଗୋଲ୍‍ଦେବା ଲାଗି ଏକାଧିକ ଆକ୍ରମଣ କରିଥିଲେ ମଧ୍ୟ ଏଫ୍‍ସି ଗୋଆର ଗୋଲ୍‍ରକ୍ଷକ ନବୀନ କୁମାର ସମସ୍ତ ଉଦ୍ୟମକୁ ପ୍ରତିହତ କରି ଦେଇଥିଲେ। ୬୯ ମିନିଟ୍‍ରେ ଏଫ୍‍ସି ଗୋଆର ବିନି ଫର୍ଣ୍ଣାଣ୍ଡେଜ୍‍ଙ୍କ ପାସ୍‍ରୁ ଫ୍ରାନ୍‍ସର ଖେଳାଳି ହ୍ୟୁଗୋ ବୌମୌସ୍‍ ଗୋଲ୍‍ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଏଟିକେ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ୭୭ ମିନିଟରେ ଏଫ୍‍ସି ଗୋଆ ଆଉ ଏକ ଗୋଲ୍‍ଦେବାରେ ସକ୍ଷମ ହୋଇଥିଲେ। ଏଟିକେର ରକ୍ଷଣାପନ୍ଥୀକୁ ପରାସ୍ତକରି ଗୋଆର ବ୍ରାଣ୍ଡନ ଫର୍ଣ୍ଣାଣ୍ଡେଜ୍‍ ଗୋଲ୍‍ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ୨ଟି ଗୋଲ ପଛରେ ରହିବା ପରେ ସୌରଭ ଗାଙ୍ଗୁଲିଙ୍କ କଲକାତା ଦଳ ମ୍ୟାଚ୍‍କୁ ଫେରିବାର ସମସ୍ତ ରାସ୍ତା ଏକପ୍ରକାର ବନ୍ଦ ହୋଇ ଯାଇଥିଲା। ଅନ୍ତିମ ସମୟ ପର୍ଯ୍ୟନ୍ତ ଏଫ୍‍ସି ଗୋଆ ତା’ର ଦୁର୍ଗ ରକ୍ଷା କରି ପାରିଥିଲା। ଫୁଟ୍‍ବଲ ଆସୋସିଏସନ ଅଫ୍‍ ଓଡ଼ିଶା (ଫାଓ)ର ଉପସଭାପତି ଭକ୍ତବଲ୍ଲଭ ଦାସ ଏଫ୍‍ସି ଗୋଆର ବ୍ରାଣ୍ଡନ ଫର୍ଣ୍ଣାଣ୍ଡେଜ୍‍ଙ୍କୁ ମ୍ୟାନ୍‍ ଅଫ ଦି ମ୍ୟାଚ୍‍ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply