ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା

0

-୭୧ ଦେଶ, -୬୬୦୦ କ୍ରୀଡ଼ାବିତ୍‍, -୨୭୫ ସ୍ୱର୍ଣ୍ଣପଦକ
-୨୨୫ ଭାରତୀୟ  ; ୮ ଓଡ଼ିଆ

prayash

ଗୋଲ୍‍ଡ କୋଷ୍ଟ : ବୁଧବାରଠାରୁ ଅଷ୍ଟ୍ରେଲିଆର ଗୋଲ୍‍ଡକୋଷ୍ଟ ସହରରେ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଅଲିମ୍ପିକ୍‍ସ ପରେ ଏହା ବିଶ୍ୱର ୨ୟ ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ପୂର୍ବରୁ ବ୍ରିଟିଶ୍‍ ଶାସନ ଅଧୀନରେ ଥିବା ରାଷ୍ଟ୍ରମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଏହା ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ। ବୁଧବାର ଆରମ୍ଭ ହୋଇ ଏହି ପ୍ରତିଯୋଗିତା ୧୨ ଦିନ ଧରି ଚାଲି ୧୫ରେ ଉଦ୍‍ଯାପିତ ହେବ। ବୁଧବାର କେବଳ ଉଦ୍‍ଘାଟନୀ ଉତ୍ସବ ଥିବା ବେଳେ ଗୁରୁବାରଠାରୁ ପ୍ରତିଯୋଗିତା ଆରମ୍ଭହେବ।

ଗୋଲ୍‍ଡ କୋଷ୍ଟରେ ୧୮ଟି କ୍ରୀଡ଼ା ଏବଂ ୭ଟି ପାରା ବା ଭିନ୍ନକ୍ଷମ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୭୧ଟି ଦେଶର ୬୬୦୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ୍‍ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଉଛନ୍ତି। ସେମାନେ ମୋଟ ୨୭୫ଟି ସ୍ୱର୍ଣ୍ଣପଦକ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ମାତିବେ। ଏହି କ୍ରୀଡ଼ାର ଆୟୋଜନ ସହ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ୫ମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି।
ପୂର୍ବରୁ ସିଡ୍‍ନୀ, ପର୍ଥ, ବ୍ରିସ୍‍ବେନ୍‍ ଓ ମେଲ୍‍ବୋର୍ଣ୍ଣରେ ଅଷ୍ଟ୍ରେଲିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିସାରିଛି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟ୍‍ଲାଣ୍ଡର ଗ୍ଲାସ୍‍ଗୋରେ ଅନୁଷ୍ଠିତ ହୋଇଥିବା ବେଳେ ୨୦୨୨ କ୍ରୀଡ଼ା ଇଂଲଣ୍ଡର ମାଞ୍ଚେଷ୍ଟରରେ ଆୟୋଜନ ହେବ। ୨୦୦୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ଅଧିକାର ପାଇବା ପରଠାରୁ କ୍ୱିନ୍‍ସଲାଣ୍ଡର ଗୋଲ୍‍ଡ କୋଷ୍ଟରେ ଏହାର ପ୍ରସ୍ତୁତି ଜୋର୍‍ସୋରରେ ଚାଲିଥିଲା; ଯାହା ସମାପ୍ତ ହୋଇଛି। ଗତ ୨ ସପ୍ତାହ ହେଲା ବିଭିନ୍ନ ଦେଶରୁ କ୍ରୀଡ଼ାବିତ୍‍ ଗୋଲ୍‍ଡ କୋଷ୍ଟରେ ପହଞ୍ଚିବାରେ ଲାଗିଛନ୍ତି। କ୍ରୀଡ଼ାବିତ୍‍ଙ୍କ ରହଣୀ ପାଇଁ କ୍ରୀଡ଼ାଗ୍ରାମରେ ୧୨୫୨ଟି ଫ୍ଲାଟ୍‍ ପ୍ରସ୍ତୁତ ହୋଇଛି। କ୍ରୀଡ଼ାବିତ୍‍ଙ୍କ ଯାତାୟାତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆୟୋଜକ ଅଷ୍ଟ୍ରେଲିଆର ସର୍ବାଧିକ ୪୭୪ ଜଣ କ୍ରୀଡ଼ାବିତ୍‍ ଏଥିରେ ଭାଗ ନେଉଛନ୍ତି। ଏହି କ୍ରୀଡ଼ାରେ ଭାରତର ୨୨୫ ଜଣିଆ ଦଳ ଭାଗନେଉଛି। ଗତ ୩ଟି ସଂସ୍କରଣରେ ଭାରତ ମୋଟ ୨୧୫ଟି ପଦକ ଜିତିଛି। ୨୦୦୬ରେ ଭାରତ ୫୦ଟି, ୨୦୧୦ରେ ୧୦୧ଟି ଓ ୨୦୧୪ରେ ୬୪ଟି ପଦକ ଜିତିଛି। ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ୍‍ ସହ ମୋଟ ୬୪ ପଦକ ଜିତିଥିଲା। ଏଥର ଭାରତ ତା’ର ପଦକ ସଂଖ୍ୟାରେ ବୃଦ୍ଧିକରିବ ବୋଲି ଆଶା କରାଯାଉଛି। ବ୍ୟାଡ୍‍ମିଣ୍ଟନ, ସୁଟିଂ, ବକ୍ସିଂ ଓ ଭାରୋତ୍ତୋଳନରୁ ଭାରତ ଏଥର ଅଧିକ ପଦକ ଜିତିବ ବୋଲି ଆକଳନ ହୋଇଛି। ପୁରୁଷ ଓ ମହିଳା ହକିରେ ଭାରତ ପଦକ ପାଇଁ ଦୃଢ଼ ଦାବିଦାର। ବ୍ୟାଡ୍‍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଉଦ୍‍ଘାଟନୀ ଉତ୍ସବର ମାର୍ଚ୍ଚପାଷ୍ଟରେ ଜାତୀୟ ପତାକା ବହନ କରିବେ। ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୮ ଜଣ ଓଡ଼ିଆ କ୍ରୀଡ଼ାବିତ୍‍ ଭାଗ ନେଉଛନ୍ତି। ମହିଳା ହକି ଦଳରେ ୪ ଜଣ ଓଡ଼ିଆ ଖେଳାଳି ଅଛନ୍ତି। ସେମାନେ ହେଲେ ସୁନିତା ଲାକ୍ରା, ଦୀପ୍‍ ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‍। ପୁରୁଷ ହକି ଦଳରେ ଅମିତ ରୋହିଦାସ ରହିଛନ୍ତି। ପୁରୁଷ ଜିମ୍‍ନାଷ୍ଟିକ୍‍ସରେ ଓଡ଼ିଶାର ରାକେଶ ପାତ୍ର, ଆଥ୍‍ଲେଟିକ୍‍ସ (ହେପ୍‍ଟାଥଲନ୍‍)ରେ ପୂର୍ଣ୍ଣିମା ହେମ୍ବ୍ରମ୍‍ ଏବଂ ମହିଳା ଭାରୋତ୍ତୋଳନରେ ସରସ୍ୱତୀ ରାଉତ ଗୋଲ୍‍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଉଛନ୍ତି।
ଗତଥର ଭାରତ ପଦକ ତାଲିକାରେ ୫ମ ସ୍ଥାନରେ ଥିବା ବେଳେ ଗୋଲ୍‍ଡ କୋଷ୍ଟରେ ଏଥିରେ ଉନ୍ନତି ଆଣିବାକୁ ଭାରତ ନିଶ୍ଚୟ ପ୍ରୟାସ କରିବ। ପଦକ ତାଲିକାର ଶୀର୍ଷରେ ରହିବା ପାଇଁ ଏଥର ଆୟୋଜକ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ। ପରବର୍ତ୍ତୀ ୫ଟି ସ୍ଥାନ ପାଇଁ କାନାଡ଼ା, ସ୍କଟ୍‍ଲାଣ୍ଡ, ନ୍ୟୁଜିଲାଣ୍ଡ, ଭାରତ, ଦକ୍ଷିଣ ଆଫ୍ରିକା, ନାଇଜେରିଆ, ଜାମାଇକା ଓ କେନିୟା ମଧ୍ୟରେ ମୁକାବିଲା ହେବ। ଅଷ୍ଟ୍ରେଲିଆର କୋଆଲା ପକ୍ଷୀ ‘ବାରୋବି’କୁ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାସ୍କଟ୍‍ କରାଯାଇଛି।

Leave A Reply