ରୁଷ୍ ସେନା ଦଖଲରୁ ମୁକ୍ତ ହେଉଛି ୟୁକ୍ରେନ
କିଭ୍: ରୁଷ-ୟୁକ୍ରେନ ଯୁଦ୍ଧକୁ ୨୦୦ ଦିନ ଅତିକ୍ରମ କରିଥିବାବେଳେ ୟୁକ୍ରେନ ସେନା ବିଜୟ ପଥରେ ଆଗେଇ ଚାଲିଛି। ଯୁଦ୍ଧରେ ରୁଷ୍ ସେନା ଦିନକୁ ଦିନ ଦୁର୍ବଳ ହେବା ସହ ପଛକୁ ହଟିବାରେ ଲାଗିଛି। ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ରୁଷ୍ ସେନା ଅକ୍ତିଆର କରି ରଖିଥିଲା ତାହା ମୁକ୍ତ ହେବାରେ ଲାଗିଛି। ଯାହା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଡ ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ ୟୁକ୍ରେନ ସେନା ଦେଶର ଉତ୍ତର-ପୂର୍ବାଞ୍ଚଳକୁ ରୁଷ୍ ସେନା କବଳରୁ ମୁକ୍ତ କରିବାରେ ସଫଳ ହୋଇଛି। ଏହିସବୁ ଅଞ୍ଚଳରୁ ରୁଷ୍ ସେନା ହଟିଯାଇଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେକ୍ସି ଆରୋଟୋଭଚି କହିଛନ୍ତି ଯେ ୟୁକ୍ରେନ ସେନା ଏବେ ଡୋନେକ୍ସକୁ ଆଡକୁ ଅଗ୍ରସର ହେଉଛି। ଡୋନେସ୍କକୁ ରୁଷ୍ ସ୍ବାଧୀନ ଅଞ୍ଚଳ ଘୋଷଣା କରିଥିବାବେଳେ ୟୁକ୍ରେନ ଏହାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛି।
ୟୁକ୍ରେନ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ତାଙ୍କ ସେନା ଖାରକିଭ୍ର ଦକ୍ଷିଣକୁ ୫୦୦ ବର୍ଗକିମି ଅଞ୍ଚଳ ରୁଷ୍ ସେନା କବଳରୁ ମୁକ୍ତ କରଛି। ଏଥିରେ ରୁଷ୍ର ୫୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି। ସୋମବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ଏକ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ସେନା ଏବେ ଆଗକୁ ବଢୁଛି। ସେପ୍ଟେମ୍ବର ଆରମ୍ଭରୁ ୟୁକ୍ରେନ ସେନା ୬୦୦୦ ବର୍ଗ କିମି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଲାଣି। ୟୁକ୍ରେନ ସେନାକୁ ଆହୁରି ଗତିଶୀଳ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଅସ୍ତ୍ରଶସ୍ତ୍ର ଯୋଗାଣ ତ୍ବରାନ୍ବିତ କରିବାକୁ ଜେଲେନସ୍କି ନିବେଦନ କରିଛନ୍ତି। ୟୁକ୍ରେନର ସେନା କବଳରୁ ଯେଉଁସବୁ ଅଞ୍ଚଳ ମୁକ୍ତ ହେଉଛି ସେଠାକୁ ଲୋକମାନେ ଫେରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ଜାପୋରିଝାଝିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷ୍ ସେନା ନିୟମିତ ଭାବେ କ୍ଷେପଣାସ୍ତ୍ର ମାଡ କରିବା ଜାରି ରଖିଛି।
Comments are closed.