ବିଶ୍ୱର ଶ୍ରେଷ୍ଠ ୧୫ ଟି ସହର ତାଲିକାରେ ସ୍ଥାନ ପାଇଛି ସ୍ମାର୍ଟ ସିଟି ରାଉରକେଲା.

 

ରାଉରକେଲା (କାର୍ଯ୍ୟାଳୟ): ବ୍ଲୁମବର୍ଗ ମେୟର୍ସ ଚାଲେଞ୍ଜରେ ବିଜୟୀ ହୋଇଛି ସ୍ମାର୍ଟ ସିଟି ରାଉରକେଲା।  ପ୍ରତିଯୋଗିତାରେ ଭାଗ ନେଇଥିବା ବିଶ୍ୱର ୬୦୦ ସହର ମଧ୍ୟରୁ ଶ୍ରେଷ୍ଠ   ୧୫
ତାଲିକାରେ ଆସିପାରିଛି ରାଉରକେଲା l ଏହି ପ୍ରତିଯୋଗିତା ଜିଣିବାରେ ରାଉରକେଲା ଦେଶର ଏକ ମାତ୍ର ସହର l ଏବେ ବିକାଶ ପାଇଁ ପ୍ରାୟ ଦୁଇ ନିୟୁତ ଆମେରିକାନ ଡଲାର ଦୁଇ ବର୍ଷ ଯାଏଁ ପାଇବ ରାଉରକେଲା l

‘‘କୋଭିଡ୍ ପରବର୍ତ୍ତୀ ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତିକୁ କିପରି ସୁଦୃଢ଼ କରାଯାଇ ପାରିବ ସେନେଇ ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ମହାନଗର ନିଗମ ଭାଗ ନେଇ ଏକ ଶୀତଳଭଣ୍ଡାର ସ୍ଥାପନା ସକାଶେ ପ୍ରସ୍ତାବ ଦେଇଥିଲା। ଏହାକୁ ଏବେ କାର୍ଯ୍ୟକାରୀ କରାଯାଉଛି। ଏଥିରେ ସ୍ଥାନୀୟ ପନିପରିବା ଓ ଫଳ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ଜୀବିକା ପାଇପାରିଛନ୍ତି l ରାଉରକେଲାରେ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ଫଳ ଓ ପନିପରିବା ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଧିକାଂଶ ସମୟରେ ସେମାନେ କ୍ଷତି ମଧ୍ୟ ସହୁଥିଲେ। ଏହି ଅସୁବିଧାକୁ ଦୂର କରିବା ସହିତ ସହରବାସୀଙ୍କୁ ସତେଜ ପନିପରିବା ଏବଂ ଫଳ ଯୋଗାଇଦେବା ଲକ୍ଷ୍ୟରେ କୋଏଲ ଫ୍ରେସ୍ ସହଯୋଗରେ ଏହି ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହି ଶୀତଳଭଣ୍ଡାରରେ ଫଳ ଏବଂ ପନିପରିବା ରଖିବା ଲାଗି ୨୫୦ ଜଣ କ୍ଷୁଦ୍ର ବ୍ୟବସାୟୀ ପଞ୍ଜୀକରଣ କରିଛନ୍ତି। ସେମାନେ ବଜାରରେ ବିକ୍ରିବଟା ଶେଷ କରିବା ପରେ ବଳକା ପନିପରିବା ଏବଂ ଫଳ ଆଦି ନେଇ ଶୀତଳଭଣ୍ଡାରରେ ରଖୁଛନ୍ତି। ପରବର୍ତ୍ତୀ ହାଟ ପାଳିରେ ସେମାନେ ପୁଣି ଏହି ପରିବା ଓ ଫଳକୁ ନେଇ ବଜାରରେ ବିକ୍ରୟ କରୁଛନ୍ତି। ଏଥିପାଇଁ ପଞ୍ଜୀକୃତ ବ୍ୟବସାୟୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ମଧ୍ୟ ଦିଆଯାଇଛି।

ଶୀତଳଭଣ୍ଡାରକୁ କିପରି ପରିଚାଳନା କରାଯିବ ସେନଇ ନିକଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଛି। ଶୀତଳଭଣ୍ଡାରର ଉପକାରିତା ସମ୍ପର୍କରେ ଏହି ଗୋଷ୍ଠୀର ସଦସ୍ୟାମାନେ ଆଖପାଖ ହାଟକୁ ଯାଇ ଚାଷୀ ଏବଂ ବ୍ୟବସାୟୀଙ୍କୁ ସଚେତନ କରିବା ସହ ପଞ୍ଜୀକରଣ କରାଉଛନ୍ତି।
ନିକଟରେ ହୋଇଥିବା ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ପ୍ରଥମେ ସ୍ଥାନ ପାଇଥିଲା। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଥିଲା । ତେବେ ଚୂଡାନ୍ତ ରାଉଣ୍ଡ ପ୍ରତିଯୋଗିତାରେ ସେଇ 50 ସହର ମଧ୍ୟରୁ 15 ଭିତରକୁ ଆସିଛି ରାଉରକେଲା l ଆଜି ଘୋଷିତ ଫଳ ଅନୁସାରେ ରାଉରକେଲା ସହରକୁ ବିଶ୍ୱର ଶୀର୍ଷ ୧୫ଟି ସହର ଭିତରେ ସ୍ଥାନ ମିଳିଛି l ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅଭିନନ୍ଦନ ଜଣାଇଛନ୍ତି l ଏହି ସଫଳତା ବାବଦରେ ଆଜି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିଶନର ଡା. ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି l

Comments are closed.