ଆରଏସଏସ ଓ ବିଜେପି ମଧ୍ୟରେ ବଢୁଛି କି ଦୂରତା
ସମାଜ ଡିଜିଟାଲ ଡେସ୍କ: ଏକ ବର୍ଷ ହେବ ମଣିପୁର ଅଶାନ୍ତ। ସେଠାକାର ଲୋକାମାନେ ଶାନ୍ତିର ରାସ୍ତା ଖୋଜୁଛନ୍ତି। ଏହାପୂର୍ବରୁ ୧୦ ବର୍ଷ ହେବ ମଣିପୁରରେ ଶାନ୍ତି ବଜାୟ ରହିଥିଲା। ନିକଟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଏକ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଥିଲେ। ଗତ ବର୍ଷ ମେ ମାସରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗିରହିଛି। ବିରୋଧୀ ଦଳର ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଆରଏସଏସ ପ୍ରମୁଖଙ୍କ ଏଭଳି ମନ୍ତବ୍ୟ ଆସିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି। କିଛି ଆରଏସଏସ ସଦସ୍ୟ ଏବେ ବିଜେପିକୁ ଅହଂକାରୀ ବୋଲି କହିଛନ୍ତି। ଆରଏସଏସ ନେତା ଇନ୍ଦ୍ରେଶ କୁମାର ବିଜେପିକୁ ତୀର ମାରି କହିଛନ୍ତି ଯେ ୨୦୨୪ରେ ରାମରାଜ୍ୟ ପ୍ରତିଷ୍ଠା ହେବାର ନାରା ଦେବା ପରେ ଦଳୀୟ ନେତାଙ୍କ ଅହଂକାର ଧୀରେ ଧୀରେ ବଢିବାରେ ଲାଗିଲା। ଅହଂକାର ଆସିବାରୁ ସେମାନଙ୍କୁ ୨୪୦ ସିଟରେ ଅଟକିବାକୁ ପଡିଲା। ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳି ନ ଥିଲା। କିନ୍ତୁ ମୋଦୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟ ପୁଣି ଥରେ ସରକାର ଗଠନ କରିବାରେ ସଫଳ ହୋଇଛି।
ଏହାପୂର୍ବରୁ ମୋହନ ଭାଗବତ ନିର୍ବାଚନ ଫଳାଫଳକୁ ନେଇ କହିଥିଲେ ଯେ ଯେଉଁମାନେ ମର୍ଯ୍ୟାଦାକୁ ପାଳନ କରି କାମ କରନ୍ତି, ସେମାନେ ଗର୍ବ କରନ୍ତି, କିନ୍ତୁ ଅହଂକାର କରନ୍ତି ନାହିଁ। ସେମାନଙ୍କୁ ହିଁ ପ୍ରକୃତରେ ସେବକ ବୋଲି କୁହାଯାଏ। ତାଙ୍କର ଏଭଳି ମନ୍ତବ୍ୟ ବିଜେପିକୁ ନେଇ କୁହାଯାଇଥିବା ଆଲୋଚନା ହୋଇଥିଲା। ଏହାପରେ ଆରଏସଏସ ଦ୍ୱାରା ଏକ ଲେଖା ପ୍ରକାଶ ପାଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ ‘କେହି ବି ଲୋକଙ୍କ ସ୍ୱର ଶୁଣି ନ ଥିଲେ’। ଏଠାରେ ପ୍ରଶ୍ନ ଉଠିଛି ଯେ କଣ ବିଜେପି-ଆରଏସଏସ ସଂଘ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ ହେବାର କିଛି ଦିନ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସାକ୍ଷାତକାରରେ କହିଥିଲେ ଯେ ‘ବିଜେପିକୁ ବର୍ତ୍ତମାନ ସଂଘର କୌଣସି ଆବଶ୍ୟକତା ନାହିଁ’। ବିଜେପି ଏବେ ରାଜନୀତିରେ ନିଷ୍ପତ୍ତି ନେବାରେ ସକ୍ଷମ। ନଡ୍ଡାଙ୍କ ଏଭଳି ବୟାନ ପରେ କିଛି ସଦସ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଦେଶରେ ବିଜେପି ସରକାର ଗଢିବାରେ ସଂଘର ସଦସ୍ୟମାନେ ନିର୍ବାଚନରେ ବିଜେପିକୁ କିଭଳି ପ୍ରକାର ସହାୟତା କରିଥାନ୍ତି ତାହା ସମସ୍ତେ ଜାଣିଛନ୍ତି । ତେବେ ନଡ୍ଡା ନିର୍ବାଚନ ସମୟରେ ଏଭଳି ମନ୍ତବ୍ୟ କାହିଁକି ଦେଲେ ତାହା ପ୍ରଶ୍ନବାଚୀ।
କିଛି ବରିଷ୍ଠ ସାମ୍ବାଦିକଙ୍କ ମତରେ ନଡ୍ଡାଙ୍କ ଏଭଳି ମନ୍ତବ୍ୟ ପରେ ଆରଏସଏସର ସଦସ୍ୟଙ୍କୁ ଶକ୍ତ ଆଘାତ ଲାଗିଥିଲା। କିଛି ଲୋକଙ୍କ ମତରେ କୁହାଯାଇଛି ଯେ ସଂଘ ସଦସ୍ୟ ନିର୍ବାଚନରେ ଯେପରି କିଛି କାମ କରିବେ ନାହିଁ ସେଥିପାଇଁ ଏକ ଅଭିଯାନ ଚାଲିଥିଲା। ନଡ୍ଡାଙ୍କ ମନ୍ତବ୍ୟ ପରେ ବିବାଦ ସଫା ସଫା ନଜର ଆସିଥିଲା। ବିଜେପି ଓ ସଂଘ ମଧ୍ୟରେ ବିବାଦ ଲାଗି ରହିଥିବା ଚର୍ଚ୍ଚା ହେଉଛି। ଏହାସହିତ ମୋଦୀ ଗତ ୧୦ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ରହିଛନ୍ତି। ଏହି ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନାଗପୁର ଯାଇଛନ୍ତି। କିନ୍ତୁ କେବେ ବି ଆରଏସଏସ ମୁଖ୍ୟାଳୟକୁ ଯାଇନାହାଁନ୍ତି। ସେପଟେ ବିଜେପି ଏଭଳି ମତବେଦକୁ ଖଣ୍ଡନ କରିଛି।
Comments are closed.