ସାରନଗରୀ: ଉତ୍କଳ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଏକ ନିଦର୍ଶନ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର। ମହାଲକ୍ଷ୍ମୀଙ୍କ ଆବାହନ ନିମନ୍ତେ ବଜାରରେ ବିଭିନ୍ନ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଯାଇଛି। ମାର୍ଗଶୀର ମାସ ଗୁରୁବାର ପୂଜା ନିମନ୍ତେ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟରୁ ବାଉଁଶରେ ନିର୍ମିତ ଶେର ଗଉଣି ଅନ୍ୟତମ। ଯାହାକୁ ମା’ଙ୍କ ଆବାହନ ପାଇଁ ପ୍ରଥମେ ପ୍ରାଥମିକତା ଦିଆଯାଇଥାଏ। ଏହି ମାସରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଘରେ ଶେର ଗଉଣୀ ପୂଜା ପାଇଥାଏ।
ପୂର୍ବରୁ ଶେର ଗଉଣୀ ମୁଖ୍ୟତଃ ବାଉଁଶ ପାତରେ ପ୍ରସ୍ତୁତ ହେଉଥିଲା ଏବେ ବଜାରରେ ଏହାର ବିକଳ୍ପ ଭାବରେ ବିଭିନ୍ନ ଧାତୁରେ ନିର୍ମିତ ଶେର ଗଉଣି ମଧ୍ୟ ମିଳୁଛି। ଓଡ଼ିଶାର ଗ୍ରାମାଚଂଳ ତଥା ପୁରପଲ୍ଲୀରେ ଏବେ ମଧ୍ୟ କେତେକ ସ୍ଥାନରେ ଧାନ, ମୁଗ, ବିରି ମାପିବା ନିମନ୍ତେ ଶେର ଗଉଣି ବ୍ୟବହାର କରାଯାଉଛି। ମାର୍ଗଶୀର ମାସ ଗୁରୁବାର ଘରେ ଘରେ ମହାଲକ୍ଷ୍ମୀଙ୍କ ଚିତ୍ର ପ୍ରତିମା ସ୍ୱତନ୍ତ୍ର ଭାବେ ଝୁଣା, ଲାଖ, ପିପଳ, କର୍ପୁର, ହଳଦୀ, ଚନ୍ଦନ, ଅର୍ଗୁର, ହିଙ୍ଗୁଳ ଆଦି ବନଜାତ ଔଷଧୀୟ ଦ୍ରବ୍ୟ ସମ୍ରିଶଣରେ ମା’ଙ୍କର ପ୍ରତିକୃତି ଶେର ଓ ଗଉଣିରେ ପ୍ରତିବିମ୍ବିତ ହୋଇଥାଏ। ଯାହାକି ଶ୍ରଦ୍ଧାଳୁଙ୍କ ମନରେ ଏକ ଅଲୌକିକ ଶିହରଣ ସୃଷ୍ଟି କରିଥାଏ ଓ ସ୍ୱତଃପ୍ରବୃତ ଭାବେ ଭକ୍ତି ଓ ସମର୍ପଣ ଭାବ ଜାଗ୍ରତ ହୋଇଥାଏ।
ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ସଂପୃକ୍ତ ହସ୍ତଶିଳ୍ପୀମାନେ ଉଦ୍ଦିଷ୍ଟ ସାମଗ୍ରୀ ପସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରୟ କରିଥାନ୍ତି। ଲାଠିକଟା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଂଚଳ ହାଟରେ ପୂର୍ବରୁ ଶେର ଗଉଣି ବହୁଳ ପରିମାଣରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଥିଲ।। ତେବେ ସମୟାନୁକ୍ରମେ ଏହି ଶେର ଗଉଣୀର ଚାହିଦା ଆଉ ପୂର୍ବଭଳି ନଥିବା ପରିଲକ୍ଷିତ ହେଉଛି। ଶେର ଗଉଣି ତିଆରି କରୁଥିବା ବ୍ୟବସାୟୀମାନେ ଆଉ ସାହି ବସ୍ତିକୁ ବୁଲି ବିକ୍ରି କରୁନାହାନ୍ତି। ପୂର୍ବଭଳି ଶେର ଗଉଣି ପ୍ରସ୍ତୁତ କରୁଥିବା କାରିଗରଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଯୋଗୁଁ ଏହା ଉପରେ ନିର୍ଭର କରୁଥିବା ହସ୍ତଶିଳ୍ପୀମାନେ ନିଜ କୁଳ ବେଉସା ଭୂଲିବାକୁ ବସିଲେଣି। ଦିନକୁ ଦିନ ମଣିଷ ଯେତେ ଆଗକୁ ଆଗକୁ ଯାଉଛି ସେହି ପରିମାଣରେ ନିଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଭୂଲିବାରେ ଲାଗିଛି। ଏବେ ଆଉ ସେ ଆଈ ମା’ ଅମଳର ଶେର ଗଉଣି ଖୋଜା ପଡ଼ୁନାହିଁ କିମ୍ବା ଗୃହ ବଧୁମାନଙ୍କ ହସ୍ତଦ୍ୱାରା ନିର୍ମିତ ଲକ୍ଷ୍ମୀପାଦ ଶୋଭା ପାଉନାହିଁ। ଆଧୁନିକତା ଛାପରେ ଏହା ସହିତ ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ ଏକ ପ୍ରକାର ଲୋପ ପାଇବାକୁ ବସିଛି ବୋଲି ଆଲୋଚନା ହେଉଛି। ଏଣୁ ଏହାର ପୁନଃରୁଦ୍ଧାର ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି।



