ଧାନ ଖାଇବାରୁ ହାତୀକୁ କରିଥିଲେ ବର୍ଚ୍ଛାମାଡ – ନାଳରେ ପଡି ଯାଇଥିଲା ଜୀବନ,ଏହି ଘଟଣାରେ ୬ ଗିରଫ,

ରାଉରକେଲା – ରାଉରକେଲା ବନଖଣ୍ଡର ବାଙ୍କି ବନାଂଚଳ ଅନ୍ତର୍ଗତ ଚାନ୍ଦିପୋଷ ଥାନାର ବାଙ୍କିର ଫଉଡ଼ାଟୋଲା ନିକଟରେ ଥିବା ଏକ ନାଳରୁ ବନ ବିଭାଗ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରିଥିଲେ । ବନ ବିଭାଗ ପକ୍ଷରୁ ତଦନ୍ତ ବେଳେ ସେହି ଗ୍ରାମର ୬ ଜଣ ଏହି ଦନ୍ତାହାତୀକୁ ମାରିଥିବା ପ୍ରମାଣ ମିଳିଥିଲା , ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ଶ୍ରୀ ସେଠୀ ଦେଇଥିବା ସୂଚନା ଅନୁସାରେ ଗତ ୯ ତାରିଖ ରାତି ପ୍ରାୟ ୧୧ଟା ବେଳେ ଏହି ଗ୍ରାମରେ ଥିବା କରମା ଟିଗାର ଧାନ କିଆରିରେ ଦନ୍ତା ହାତୀଟି ପଶିଥିଲା । କରମା ଟିଗା ଓ ତାର ପରିବାର ଲୋକେ ହାତୀଟିକୁ ଘଉଡାଇ ଦେଇଥିଲେ । ପୁଣିଥରେ ରାତି ୨ଟା ବେଳେ ଏହି ହାତୀଟି ଧାନ ଖାଇବାକୁ ଆସିଥିଲା । କରମା ଟିଗା ତାର ପୁଅ ନାଗୋ ଟିଗା ଏବଂ ଅନ୍ୟସାଥୀଙ୍କ ମଧ୍ୟରେ ବିର୍ସା ଓରାମ, ଅଜୟ ଓରାମ, ସାଲନ ଓରାମ ଓ ବିସୁ ଓରାମ ବର୍ଚ୍ଛା, ତୀର ଆଦି ମାରଣାସ୍ତ୍ର ଧରି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ବର୍ଚ୍ଛାଟି ହାତୀର ଶରୀରରେ ଜୋରରେ ଲାଗିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ହାତୀଟି ସେଠାରୁ ଯାଇ ପାଖରେ ଥିବା ଏକ ନାଳରେ ପଡିଯିବା ସହିତ ପ୍ରାଣ ହରାଇଥିଲା । ରାତି ୩ଟା ୪୫ ମିନିଟ୍‌ରେ ସ୍ଥାନୀୟ ଅଞ୍ଚଳର ଜଣେ ବାସିନ୍ଦା ଏ ସମ୍ପର୍କରେ ବନରକ୍ଷୀଙ୍କୁ ଖବର ଦେଇଥିଲେ । ପରେ ବିଭାଗ ପକ୍ଷରୁ ହାତୀର ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଶରୀରରେ ପ୍ରବଳ ଆଘାତ ଓ ପ୍ରବଳ ରକ୍ତସ୍ରାବ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । ବନ ବିଭାଗ ପକ୍ଷରୁ ତଦନ୍ତ କାଳରେ ହାତୀକୁ ଆକ୍ରମଣ କରିଥିବା ୪ଟି ଅସ୍ତ୍ର ନାଳରେ ପଡିଥିବା ଉଦ୍ଧାର କରାଯାଇଛି । କରନା ଟିଗାଙ୍କ ଶସ୍ୟ କ୍ଷେତ୍ରରେ ହାତୀର ରକ୍ତ ପଡିଥିବା ବେଳେ ସେଠାରେ ଚାଷ କରାଯାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ଶ୍ରୀ ସେଠୀ କହିଛନ୍ତି । ଘଟଣା ସ୍ପଷ୍ଟ ହେବା ପରେ ହାତୀ ମୃତ୍ୟୁର କାରଣ ହୋଇଥିବା ଏହି ୬ ଜଣଙ୍କୁ ବନ ବିଭାଗ ଗିରଫ କରିଛି । ଅପର ପକ୍ଷରେ ହାତୀଟି ସେମାନଙ୍କୁ ଆକ୍ରମଣ କଲା ବେଳେ ଜୀବନ ବଂଚାଇବା ପାଇଁ ସେମାନେ ବର୍ଚ୍ଛା ଦ୍ୱାରା ଏହାକୁ ପ୍ରତିରୋଧ କରିବାରୁ ଏହି ଘଟଣା ଘଟିଲା ବୋଲି ଗ୍ରାମବାସୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସିଏଫ୍‌ ସଲବିନ୍ଦର ସିଂହ ଓ ବାଙ୍କି ରେଞ୍ଜ ଅଧିକାରୀ ଅଜୟ ଖେସ୍‌ ଉପସ୍ଥିତ ଥିଲେ ।

Comments are closed.