ରାହୁଲଙ୍କ ସ୍ଥାନରେ ରୋହିତଙ୍କୁ ଟେଷ୍ଟ ଓପନର୍ ଭାବେ ସୁଯୋଗ ମିଳିବା ଉଚିତ୍ : ଗାଙ୍ଗୁଲି
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଭାରତୀୟ କ୍ରିକେଟ୍ ଦଳ ଘରୋଇ ଦଳକୁ ଟେଷ୍ଟ ସିରିଜ୍ରେ ୨-୦ରେ ପରାସ୍ତ କରିଛି। ତେବେ ଦଳର ଓପନର୍ଙ୍କୁ ନେଇ ସନ୍ତୁଷ୍ଟ ନାହାନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ବିଶେଷ କରି ଓପନର୍ ଭାବେ କେଏଲ୍ ରାହୁଲ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଥିବାରୁ ତାଙ୍କ ସ୍ଥାନରେ ବରିଷ୍ଠ ରୋହିତ ଶର୍ମାଙ୍କୁ ଓପନର୍ ଭାବେ ସୁଯୋଗ ମିଳିବା ଉଚିତ୍ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି।
ଏକ ଖବରକାଗଜରେ ସ୍ତମ୍ଭ ଲେଖି ଗାଙ୍ଗୁଲି ଦର୍ଶାଇଛନ୍ତି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ରେ କେତେକ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ କେତେକ ନିଜ ପ୍ରତିଷ୍ଠା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଓପନର୍ ଭାବେ ମୟଙ୍କ ଅଗ୍ରୱାଲ୍ ଠିକ୍ଠାକ୍ ପ୍ରଦର୍ଶନ କରିଥିଲେ ମଧ୍ୟ ଅଭିଜ୍ଞ ହେବାକୁ ତାଙ୍କୁ ଅଧିକ ମ୍ୟାଚ୍ ଖେଳିବାକୁ ପଡ଼ିବ। ଅନ୍ୟତମ ଓପନର୍ କେଏଲ୍ ରାହୁଲ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ଓପନର୍ ଭାବେ ଅନ୍ୟମାନଙ୍କୁ ସୁଯୋଗ ଦିଆଯିବା ସଂପର୍କରେ ମ୍ୟାନେଜମେଣ୍ଟ ଚିନ୍ତା କରିବା ଆବଶ୍ୟକ।
ସୂଚନାଥାଉକି ୱେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଗାଙ୍ଗୁଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଦିନିକିଆ କ୍ରିକେଟ୍ରେ ଓପନର୍ ଭାବେ ରୋହିତ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ବେଳେ ତାଙ୍କୁ ଟେଷ୍ଟ ଦଳର ଓପନର୍ ଭାବେ ଖେଳାଯିବା ଉଚିତ୍। ଗୁରୁବାର ଖବରକାଗଜରେ ସ୍ତମ୍ଭ ଲେଖି ଗାଙ୍ଗୁଲି ସମାନ କଥା ଦୋହରାଇଛନ୍ତି। ଦିନିକିଆରେ ଓପନର୍ ଭାବେ ରୋହିତ ବହୁ ସଫଳତା ହାସଲ କରିଥିବାରୁ ତାଙ୍କ ମନୋବଳ ବେଶ୍ ଉଚ୍ଚରେ ରହିଛି। ତେଣୁ ଟେଷ୍ଟ ଫର୍ମାଟ୍ରେ ତାଙ୍କୁ ଭାରତୀୟ ଦଳର ଓପନର୍ ଭାବେ ସୁଯୋଗ ଦିଆଗଲେ ତାହା ଦଳ ପାଇଁ ଲାଭଦାୟକ ହେବ ବୋଲି ଗାଙ୍ଗୁଲି ଲେଖିଛନ୍ତି। ବିଶ୍ବକପ୍ରେ ଭଲ ପ୍ରଦର୍ଶନ କରିଥିବା ରୋହିତ ଭାରତୀୟ ଟେଷ୍ଟ ଏକାଦଶରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛନ୍ତି। ମଧ୍ୟଭାଗରେ ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ବେଶ୍ ଭଲ ପ୍ରଦର୍ଶନ କରୁଥିବାରୁ ସେଠାରେ ତାଙ୍କୁ ସୁଯୋଗ ମିଳିବା କଷ୍ଟକର। ଅନ୍ୟପକ୍ଷରେ ଓପନର୍ ଭାବେ କେଏଲ୍ ରାହୁଲ ଏତେଟା ସଫଳତା ପାଉନଥିବାରୁ ତାଙ୍କ ସ୍ଥାନରେ ରୋହିତ ଶର୍ମା ଟେଷ୍ଟ ଓପନର୍ ଭାବେ ଦାୟିତ୍ବ ନିର୍ବାହ କରିବା ସମୟ ଆସି ଯାଇଛି ବୋଲି ଗାଙ୍ଗୁଲି ଦର୍ଶାଇଛନ୍ତି।
ଭାରତୀୟ ବିପକ୍ଷ ୩ଟି ଯାକ ଫର୍ମାଟ୍ ସିରିଜ୍େର ୱେଷ୍ଟଇଣ୍ଡିଜ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସଂପର୍କରେ ମତ ଦେଇ ଗାଙ୍ଗୁଲି ଲେଖିଛନ୍ତି ଏହି ଦଳରେ ବହୁ ପ୍ରତିଭାବାନ୍ ଖେଳାଳି ଅଛନ୍ତି। ତେବେ ମ୍ୟାଚ୍ରେ କିପରି ଭଲ ପ୍ରଦର୍ଶନ କରିବାକୁ ହୁଏ ତାହା ସେମାନଙ୍କୁ ଶିକ୍ଷାଲାଭ କରିବାକୁ ପଡ଼ିବ। ନିଜ ଦକ୍ଷତାର ସଦୁପଯୋଗ କରିନପାରିଲେ ୱେଷ୍ଟଇଣ୍ଡିଜ କ୍ରିକେଟର୍ମାନେ ସଫଳତା ପାଇବା ଆଶା ନାହିଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି ଗାଙ୍ଗୁଲି। ଦ୍ରୁତ ଗତି ସହ ସଠିକ୍ ଲାଇନ୍ ଲେନ୍ଥରେ ବୋଲିଂ କରୁଥିବାରୁ ବୁମରା ସବୁ ଫର୍ମାଟ୍ରେ ବେଶ୍ ସଫଳତା ପାଉଛନ୍ତି ବୋଲି ଗାଙ୍ଗୁଲି ଲେଖିଛନ୍ତି। ସେହିପରି ଭାରତୀୟ ଦଳରେ ଦ୍ରୁତ ବୋଲରଭାବେ ଈଶାନ୍ତ ଶର୍ମା, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଉମେଶ ଯାଦବ ଓ ନବଦୀପ ସାଇନି ପ୍ରମୁଖ ରହିଥିବାରୁ ଏହା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲିଂ ଦଳ ଭାବେ ଉଭା ହୋଇଛି ବୋଲି ଗାଙ୍ଗୁଲି ସ୍ତମ୍ଭରେ ଉଲ୍ଲେଖ କରିଛନ୍ତି। ପ୍ରତିଭାବାନ୍ ଦ୍ରୁତ ବୋଲର ରହିଥିବାରୁ ଦଳ ଆଉ ପୂର୍ବପରି ସ୍ପିନରଙ୍କ ଉପରେ ବିଶେଷ ନିର୍ଭରଶୀଳ ନୁହେଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରି ଦେଇଛନ୍ତି।