୧୦୮ ଫାର୍ମାସିଷ୍ଟଙ୍କ ମହାନତା: ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ୩ କିମି ରାସ୍ତା

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଳକର ଉପାନ୍ତ ଅଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ଳକରେ ଏବେ ମଧ୍ୟ ବହୁ ଗ୍ରାମ ରହିଛି ଯେଉଁଠି କି ଗମନାଗମନ କରିବା କାଠିକର ପାଠ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ଓଲଣ୍ଡା ଗ୍ରାମରେ। ଏହି ଗ୍ରାମର ଜଣେ ଗର୍ଭବତୀ ମହିଳା ସୁନିଲା ଶବର(୩୩) ଗର୍ଭ ଯନ୍ତ୍ରଣା ସହ୍ୟ କରି ନ ପାରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ୧୦୮ ଆମ୍ବୁଲାନ୍ସକୁ ଖବର କରିଥିଲେ। ଖବର ପାଇ ୧୦୮ର ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ପହଞ୍ଚିଥିଲେ। ଗାଡିଟି ରାଜ୍ୟ ରାଜପଥ କଡରେ ପଡୁଥିବା ଅଲଣ୍ଡା ଛକଠାରେ ଅଟକି ଥିଲା। ସେଠାରୁ ୫ କି.ମି ଦୂର ଓଲଣ୍ଡା ଗ୍ରାମର ରାସ୍ତା ବିପର୍ୟ୍ୟସ୍ତ ଥିବାରୁ ୧୦୮ ଯିବା ସମ୍ଭବପର ହୋଇନଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଏଣୁ ଫାର୍ମାସିଷ୍ଟ ବିଦ୍ୟାଧର ଦେବଦୂତ ସାଜି ଷ୍ଟ୍ରେଚର ଧରି ପାଦରେ ଚାଲି ଚାଲି ଓଲଣ୍ଡା ଗ୍ରାମରେ ପହଞ୍ଚିଥିଲେ। ସେଠାରୁ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚ଼ରରେ ଶୁଆଇ ନିଜ କାନ୍ଧରେ ବୋହି ୩ କି.ମି ଦୁର୍ଗମ ରାସ୍ତା ପାର ହୋଇ ଅଟକି ରହିଥିବା ୧୦୮ରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିଛି ଘଣ୍ଟାର ବ୍ୟବଧାନ ପରେ ସୁନିଲାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି। ମାଆ ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି।

kalyan agarbati

Comments are closed.