ରାଜ୍ୟରେ ବଢ଼ି ଚାଲିଛି ବିଲ୍ଡର ରାଜ୍ : ସ୍ବତ୍ବାଧିକାର ପ୍ରମାଣପତ୍ର ନ ଥିଲେ ଅନୁମତି ମନା
ଗଢ଼ି ଉଠୁଛି ବେଆଇନ ପ୍ରକଳ୍ପ, ସବୁ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ‘ରେରା’ର ଚେତାବନୀ, ୯୦ ପ୍ରତିଶତ ପ୍ରକଳ୍ପର ନାହିଁ ‘ରେରା’ ପଞ୍ଜୀକରଣ
ଭୁବନେଶ୍ୱର : ରାଜ୍ୟରେ ବର୍ଷ ବର୍ଷ ଧରି ବିଲ୍ଡର ରାଜ୍ ଚାଲିଛି। ସରକାରଙ୍କ ଆଇନର ଫାଙ୍କ ଦେଇ ବାସଗୃହ ନିର୍ମାଣକାରୀ ସଂସ୍ଥାଗୁଡିକ ବେଆଇନ ଭାବେ ପ୍ରକଳ୍ପ ନିର୍ମାଣ କରି ଖସି ଯାଉଛନ୍ତି। ବିଲ୍ଡରମାନେ କେବଳ ଯେ ସରକାରଙ୍କୁ ଚୁନ ଲଗାଉଛନ୍ତି ତାହା ନୁହେଁ, ଲକ୍ଷାଧିକ ହିତାଧିକାରୀଙ୍କୁ ଦହଗଞ୍ଜ କରୁଛନ୍ତି। ଏହାକୁ ନେଇ ନ୍ୟାୟାଳୟରେ ମାମଲା ବଢ଼ିବା ସହ ସରକାରଙ୍କୁ ଅଯଥା ହଇରାଣ ହରକତ ହେବାକୁ ପଡ଼ୁଛି। ଏମିତିକି ଅଧିକାଂଶ ସମୟରେ ସରକାର ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହେବାକୁ ପଡ଼ୁଛି। ବିଲ୍ଡରମାନଙ୍କ ମନମାନି ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ୨୦୧୭ ମେ’ରୁ ସାରା ଦେଶରେ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ରେରା) ‘ରେରା’ ଆଇନ ଲାଗୁ କରିଛନ୍ତି। ଏହାର ଉଦ୍ଦେଶ୍ୟ ରହିଛି ଯେ, ଗୃହ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ସ୍ବଚ୍ଛ ଓ ବ୍ୟବସ୍ଥିତ ଭାବରେ ଗ୍ରାହକଙ୍କୁ ବାସଗୃହ ସହିତ ସେବା ଯୋଗାଇ ଦେବେ ଏବଂ ଗ୍ରାହକମାନେ ଶୋଷଣର ଶିକାର ହେବେନାହିଁ । ଏହାକୁ ନେଇ ପ୍ରତି ରାଜ୍ୟରେ ରେରା ପ୍ରତିଷ୍ଠା କରାଗଲା ଏବଂ ଅପିଲେଟ୍ ଅଥରିଟି ମଧ୍ୟ ସୃ଼ଷ୍ଟି କରାଗଲା । ଇତିମଧ୍ୟରେ ପ୍ରାୟ ୫ ବର୍ଷ ବିତିଗଲାଣି: କିନ୍ତୁ ଗ୍ରାହକଙ୍କ ସମସ୍ୟା ସୁଧୁରି ନାହିଁ। କାରଣ ଗୃହ ନିର୍ମାଣକାରୀ ସଂସ୍ଥା ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ନେଇ ଅଧିକ ଅର୍ଥ ଉପାର୍ଜନ କରିବା ଲାଗି ବେନିୟମ ଉପାୟ ଅବଲମ୍ବନ କରୁଛନ୍ତି। ପ୍ରକଳ୍ପଗୁଡିକ ‘ରେରା’ରେ କେବଳ ଯେ ପଞ୍ଜୀକରଣ କରୁ ନାହାନ୍ତି ତାହା ନୁହେଁ, କେତେକ କ୍ଷେତ୍ରରେ ବିଲ୍ଡର ପ୍ରକଳ୍ପ କାର୍ଯ୍ୟ ଅଧାରୁ ଛାଡି ଦେଇ ଚାଲିଯାଉଛି ତ ଆଉ କେଉଁଠି ସେବା ଅପେକ୍ଷା ଗ୍ରାହକଙ୍କୁ ଶୋଷଣ ମନୋବୃତ୍ତି ରଖୁଛି। ଯଦିଓ ରେରା’ ପକ୍ଷରୁ ଗତବର୍ଷ ଜୁନ୍ ମାସରେ ସମସ୍ତ ଜିଲାପାଳଙ୍କୁ ରେରା’ରେ ପଞ୍ଜିକୃତ ନ ହୋଇଥିବା ପ୍ରକଳ୍ପର ଜମି କିମ୍ବା ଗୃହ ବିକାକିଣା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ତଥାପି ଏହାକୁ ସବ୍ ରେଜିଷ୍ଟ୍ରାରମାନେ ଅନୁପାଳନ କରୁନାହାନ୍ତି। ବିଲ୍ଡରମାନଙ୍କ ହାତବାରିସି ସାଜି ବିଭିନ୍ନ କିସମର ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରୁଛନ୍ତି। ଏପରିକି ସବ୍-ରେଜିଷ୍ଟ୍ରାରମାନେ ଗୋଟିଏ ସମ୍ପତ୍ତିକୁ ଏକାଧିକ ବ୍ୟକ୍ତିକୁ ବାରମ୍ବାର କିଣାବିକା କରୁଥିବା ଦେଖିବାକୁ ମିଳୁଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଗ୍ରାମର ପ୍ରଭାତ କୁମାର ସେନାପତି ନାମକ ଜଣେ ଚାଷୀ ବିଲ୍ଡରର ଶିକାର ହୋଇଛନ୍ତି। ତାଙ୍କର ଜମିକୁ ଚଞ୍ଚକତା କରି ନେବାକୁ ବିଲଡର ଚାରିପଟୁ ମାୟାଜାଲ୍ ବିଛାଇଛି। ଏହାକୁ ନେଇ ଶ୍ରୀ ସେନାପତି ଭୁବନେଶ୍ବର ଡିସିପିଙ୍କଠାରୁ ଆରମ୍ଭ କରି ରାଜସ୍ବ ବିଭାଗ ସଚିବ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି, ହେଲେ ସୁଫଳ ମିଳିନାହିଁ। କେବଳ ଯେ ପ୍ରଭାତ ବିଲ୍ଡରଙ୍କ ପଞ୍ଝାରେ ପଡିଛନ୍ତି ତାହା ନୁହେଁ ସବ୍-ରେଜିଷ୍ଟ୍ରାରଙ୍କ ଉଦ୍ଦେଶ୍ୟମୂଳକ ମନୋବୃତ୍ତି ଯୋଗୁଁ ଶତାଧିକ ଚାଷୀ ବିଭିନ୍ନ ସ୍ଥାନରେ ଏଭଳି ଭାବେ ସମସ୍ୟା ଭୋଗୁଛନ୍ତି।
ବିଲ୍ଡରମାନଙ୍କ ଏଭଳି ମନମାନିକୁ ନେଇ ‘ରେରା’ ପକ୍ଷରୁ ଭୁବନେଶ୍ବର, ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ),କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ), ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ(ପିକେଡ଼ିଏ), କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ(କେଏନଡିଏ)ଙ୍କ ଭଳି ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଅନୁମୋଦିତ ପ୍ରକଳ୍ପ ଗୁଡିକର ତାଲିକା ଦାଖଲ ପାଇଁ ଚିଠି କରାଯାଉଛି।
Comments are closed.