ଗେଙ୍ଗୁଟିପାଲି ୧୫ ଲକ୍ଷ ଲୁଟ ଘଟଣା : ମା’ ଓ ପୁଅ ଗିରଫ

ସମ୍ବଲପୁର: ସମ୍ବଲପୁରର ସଦର ଥାନାଞ୍ଚଳ ଅର୍ନ୍ତଗତ ଗେଙ୍ଗୁଟିପାଲି ଠାରେ ଗତ ଜାନୁଆରୀ ୩୧ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଯାଇଥିବା ବହୁ ଚର୍ଚ୍ଚିତ ୧୫ ଲକ୍ଷ ଟଙ୍କା ଲୁଟ ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କ ଖୋଜୁଥିଲା। ସେମାନଙ୍କ ମଧ୍ୟରୁ ଆଜି ୨ ଜଣ ଅଭିଯୁକ୍ତ ମାଁ ଓ ପୁଅଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଲୁଟ ଟଙ୍କା ମଧ୍ୟରୁ ୪ ଲକ୍ଷ ଟଙ୍କା ସେମାନଙ୍କଠାରୁ ଉଦ୍ଧାର କରିଛି।
ଗତ ୩୧ ତାରିଖରେ ହୋଇଥିବା ଲୁଟ ପରେ ଆଇନଜୀବୀ ରାଜେଶ ସାହୁଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ମାମଲା ସଂଖ୍ୟା ୨୩/୨୦୨୨ ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରି ପାରମ୍ପରିକ ଓ ଟେକନିକାଲ ସୁତ୍ରରୁ ଅଭିଯୁକ୍ତ ମାନଙ୍କୁ ଠାବ ନିମନ୍ତେ ସୂଚନା ସଂଗ୍ରହ କରି ଗଞ୍ଜାମ ଜିଲାର ଆସିକା ଓ ଭଞ୍ଜନଗର ଅଞ୍ଚଳକୁ ଯାଇଥିଲା। ସେଠାରେ ଭଞ୍ଜନଗର ଥାନା ଅର୍ନ୍ତଗତ ଖଣ୍ଡସାହି ନିବାସୀ ରାଘବ ଦାଶ ଓରଫ ରାଘବେନ୍ଦ୍ର (୧୯) ଏବଂ ତାଙ୍କର ମା’ ପାର୍ବତୀ ଦାଶ (୩୫) ଗିରଫ କରିଥିଲା। ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା (୨୦୦ ଟଙ୍କିଆ ୨୦ଟି ବଣ୍ଡଲ ନୋଟ) ଜବତ କରିଥିଲା। ଅଭିଯୁକ୍ତଙ୍କୁ ପୁଲିସର ଜେରା ସମୟରେ ଏହି ଲୁଟ ମାମଲାରେ ସମୁଦାୟ ୫ ଜଣ ସାମିଲ ଥିବାର ଜଣାପଡିଥିବା ବେଳେ ଘଟଣା ଦିନ ୨ଟି ବାଇକରେ ୪ ଜଣ ଅଭିଯୁକ୍ତ ଆଇନଜୀବୀ ସାହୁଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ପିଛା କରିଥିଲେ। ସେମାନେ ମୌକା ପାଇଁ ଆଇନଜୀବୀ ସାହୁଙ୍କ ସାଥି ଲାଲମୋହନ ଜେନାଙ୍କ ଘର ସମ୍ମୁଖରୁ ଟଙ୍କା ଲୁଟ କରି ଜାତୀୟ ରାଜପଥ ଅଭିମୁଖେ ଧନକଉଡା ଦେଇ ଫେରାର ମାରିଥିଲେ।

ଅଭିଯୁକ୍ତ ମାନେ ଲୁଟ ଘଟଣା ନିମନ୍ତେ ସମୁଦାୟ ୩ଟି ସାଧାରଣ ବଟମ ମୋବାଇଲ ବ୍ୟବହାର କରିଥିବା ବେଳେ ସେମାନେ ଲୁଟ ପରେ ଜାତୀୟ ରାଜପଥ ଦେଇ ଗୋଡଭଗାରୁ ସୋନପୁର ଭାୟା ମନମୁଣ୍ଡା (ବୌଦ୍ଧ) ଦେଇ ଫେରାର ମାରିଥିଲେ। ଅଭିଯୁକ୍ତ ମାନେ ମନମୁଣ୍ଡା ବୌଦ୍ଧ ଅଞ୍ଚଳରେ ଏକ ଘର ଭଡା ନେଇ ରହୁଥିଲେ। ଫେରାର ହେବା ସମୟରେ ପୁଲିସ ଓ ଟେକନିକାଲ ସର୍ଭିଲାନ୍ସକୁ ଚକମା ଦେବା ନିମନ୍ତେ ଲୁଟ ସମୟରେ ବ୍ୟବହୃତ ମୋବାଇଲ ଗୁଡିକୁ କେନାଲରେ ଫିଙ୍ଗିବା ଓ ପିନ୍ଧିଥିବା ସାର୍ଟ ଗୁଡିକୁ ଜଳାଇ ଦେଇଥିଲେ।

ଅଭିଯୁକ୍ତ ମାନେ ଗତ ୨୮ ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାରେ ସେମାନଙ୍କର ଅପରାଧିକ ଗତିବିଧି ଜାରି ରଖିଥିଲେ। ସମ୍ବଲପୁରର ଲୁଟ ଘଟଣା ପୂର୍ବରୁ ୨୮ ତାରିଖରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରରୁ ୯୬ ହଜାର ଟଙ୍କା ଲୁଟ କରିଥିଲେ। ସମ୍ବଲପୁରରେ ଲୁଟ ପରେ ଅଭିଯୁକ୍ତ ମାନେ ଗତ ୪ ତାରିଖରେ ବଲାଙ୍ଗୀର ଜିଲାର ତୁଷରା ଅଞ୍ଚଳରୁ ମୂଲ୍ୟବାନ ସାମଗ୍ରୀ ସହିତ ୧୦ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ। ତେବେ ତୁଷରା ଠାରେ ଲୁଟ ପରେ ଫେରାର ହେବା ସମୟରେ ସ୍ଥାନୀୟ ଲୋକେ ଗୋଡାଇବାରୁ ସମ୍ବଲପୁର ଠାରେ ବ୍ୟବହୃତ ବାଇକଟିକୁ କିଛି ଦୂରରେ ଛାଡି ଦେଇ ଅଭିଯୁକ୍ତ ମାନେ ଫେରାର ହେବାରେ ସଫଳ ହୋଇଥିଲେ। ଲୁଟରେ ବ୍ୟବହୃତ ବାଇକଟି ରାଇକିଆ ଥାନାଞ୍ଚଳରୁ ଗତ ବର୍ଷ ନଭେମ୍ବର ୧ ତାରିଖରେ ଚୋରି ହୋଇଥିଲା। ଗିରଫ ହୋଇଥିବା ମା’ ଓ ପୁଅ କୁ ସଦର ପୁଲିସ ଗିରଫ କରି ଶୁକ୍ରବାର ଅଦାଲତକୁ ଚାଲାଣ କରିଛି ବୋଲି ଜଣାଇଛି।

Comments are closed.