ଅତାବିରାରେ ଜନ ଅଭିଯୋଗ ଶୁଣାଣି; ୧୧୨ ଅଭିଯୋଗ ଶୁଣିଲେ ଜିଲାପାଳ
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସଭାକକ୍ଷରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୂର୍ଯ୍ୟ କୁମାର ନାଏକଙ୍କ ସଂଯୋଜନାକ୍ରମେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉପସ୍ଥିତ ରହି ବିସ୍ଥାପିତଙ୍କ ଘରଡିହ, ଭତ୍ତା, ଆବାସ ଯୋଜନା, ପାନୀୟ ଜଳଯୋଗାଣ, ଚିକିତ୍ସା ପାଇଁ ସହାୟତା ଭଳି ବିଭିନ୍ନ ବିଭାଗରୁ ଆସିଥିବା ୧୧୨ ଟି ଅଭିଯୋଗର ଶୁଣାଣି କରି ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅଭିଯୋଗ ମଧ୍ୟରେ ୬୨ ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୩ଜଣଙ୍କ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା,୧୧ ଜଣଙ୍କର ରାସନ୍ କାର୍ଡ ଓ ୨୬ ଜଣଙ୍କର ଅନ୍ୟାନ୍ୟ ଅଭିଯୋଗ ରହିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ପ୍ରହଲ୍ଲାଦ ମିନା, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋଏଲ, ଅଧ୍ୟକ୍ଷା ଗୀତାଞ୍ଜଳୀ ନାଏକ, ତହସିଲଦାର ବ୍ରଜ କିଶୋର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିରେନ୍ଦ୍ର କୁମାର ହୋତା, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ। ଜଳ ସମ୍ପଦ ବିଭାଗ ବ୍ୟତିତ ଅନ୍ୟ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ, ପୁଲିସ ଓ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଅଭିଯୋଗକାରୀଙ୍କ ସମସ୍ୟାକୁ ଶୁଣିବା ପରେ ସେଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ହିର୍ଲ୍ଲି ପାଲି ପଞ୍ଚାୟତ ବାଗବାହାଲର କିଡନୀ ରୋଗୀ ଯାମିନି ମୁଣ୍ଡାଙ୍କୁ ୧୫ ହଜାର, ଲହଣ୍ଡା ଗ୍ରାମର ବଳିପଡ଼ାର ଆରତୀ ମିର୍ଦ୍ଧାଙ୍କ ୧୦ ବର୍ଷର ବିକଳାଙ୍ଗ ଝିଅକୁ ୧୫ ହଜାର ଏବଂ ତାର ତୁରନ୍ତ ଆଧାର କାର୍ଡ କରିବା ପାଇଁ ନିର୍ଦ୍ଦେଶ, ଅମସ୍ତଲାର ମହାଦେବ ମଟାରିଙ୍କୁ ଭତ୍ତା ସହ ୧୫ ହଜାର ଟଙ୍କା ସହାୟତା ରାଶି ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁରୀ କରିଥିଲେ। ଏହି ଅର୍ଥ ରାଶି ସେମାନଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଚକୁଳି ଫାରମର ମନୋଜ ମହାପାତ୍ରଙ୍କୁ ଗୋଟିଏ ହ୍ଵିଲ ଚେୟାର ପ୍ରଦାନ କରଯାଇଥିଲା। ଏହି ଅବସରରେ ଅତାବିରାର ସାମ୍ବାଦିକ, ସରକାରୀ କର୍ମଚାରୀମାନେ ଜିଲ୍ଲାପାଳ ଓ ଏସପିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ବ୍ଲକ କର୍ମଚାରୀ, ପିଇଓ, ଜିଆରଏସ ପଞ୍ଜିକରଣ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.