ଜିଲାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବର୍ଷା ହେଲେ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ରେଙ୍ଗାଲିକ୍ୟାମ୍ପ: ଜିଲାର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ ବର୍ତ୍ତମାନ ନାନା ପ୍ରକାର ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ବିଦ୍ୟାଳୟ ଗୃହ ପୁରୁଣା ହୋଇଥିବାରୁ ଛାତରୁ ପାଣି ବୋହିବା ସହିତ କାନ୍ଥ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଛି । ବରଗଡ଼ ଜିଲ୍ଲା ଅତାବିରା ଏନଏସିରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ରହିଛି ଜିଲାର ଦ୍ଵିତୀୟ ଜନସଂଖ୍ୟା ବହୁଳ ଗ୍ରାମ ଟୋପ । ଏହି ଗ୍ରାମରେ ରହିଛି ଜିଲାର ଅନ୍ୟତମ ପ୍ରାଚୀନ ବିଦ୍ୟାଳୟ, ଟୋପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରାୟ ୧୨୩ ବର୍ଷ ତଳେ ଅର୍ଥାତ୍ ୧୯୦୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ । ଏଠାରୁ ଅନେକ କୃତି ଛାତ୍ରଛାତ୍ରୀ ସୃଷ୍ଟି ହୋଇ ସାରିଛନ୍ତି । ହେଲେ ଏବେ ଏହି ସ୍କୁଲର ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍କୁଲ ଘରର ସ୍ଥିତି ଅତି ବିପଜ୍ଜନକ ଥିବା ବେଳେ ଆସନ୍ନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଛାତ୍ରଛାତ୍ରୀ ଏପରି ବିପଦସଙ୍କୁଳ ଅବସ୍ଥାରେ ରହି ପାଠ ପଢ଼ୁଛନ୍ତି। ତେବେ ଉକ୍ତ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

prayash

ବିଦ୍ୟାଳୟଟି ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୨୪୫ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ପାଠ ପଢ଼ୁଛନ୍ତି । ମାତ୍ର ରହିଛି ୫ ଟି ଶ୍ରେଣୀ କୋଠରୀ। ସେଥିମଧ୍ୟରୁ ୪ଟି ପରିତ୍ୟକ୍ତ ଅବସ୍ଥାରେ । ଛାତରୁ ପାଣି ଗଲିବା ସହ ଭିତରୁ ଲୁହାରଡ଼ଗୁଡ଼ିକ ତଳ ମୁହାଁ ହେବାରେ ଲାଗିଛି । କେତେବେଳେ କାହା ଉପରେ ଖସି ପଡ଼ିବ କହି ହେବନାହିଁ। ଅଳ୍ପ ବର୍ଷ ହେଲେ ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ପାଣି । ବାହାର କଥା କିଏ ପଚାରେ। ତଥାପି କୋଠରୀ ଅଭାବରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ବର୍ଷା ପାଣିରେ ବସି ପାଠ ପଢୁଛନ୍ତି ଓ ସେଭଳି ଅପରିଷ୍କାର ସ୍ଥାନରେ ମଧ୍ୟାହ୍ନ ଭୋଜନ ମଧ୍ୟ କରୁଛନ୍ତି । ଏନେଇ ସରସରା ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶତାୟୁ ବର୍ଷର ଏହି ବିଦ୍ୟାଳୟର ଦୁଇଟି ଶ୍ରେଣୀ କୋଠରୀ ଆଜି ପର୍ଯ୍ୟନ୍ତ ଆଜବେଷ୍ଟସ ଛାଉଣୀ ହୋଇ ରହିଛି, ଯାହା ସମ୍ପୂର୍ଣ୍ଣ ଅଚଳ। ଝରକା କବାଟଗୁଡ଼ିକ ମଧ୍ୟ ଆଉ କୋଠରୀକୁ ସୁରକ୍ଷା ଦେଇପାରୁ ନାହିଁ । ୨୦୦୬ ମସିହାରେ ଦୁଇଟି ଛୋଟ କୋଠରୀ ନିର୍ମିତ ହୋଇଥିଲା । ମାତ୍ର ନିମ୍ନ ମାନର କାମ ଯୋଗୁଁ ସେଥିରୁ ମଧ୍ୟ ପାଣି ଗଲୁଛି । ସ୍କୁଲ୍ ପଛପଟେ ଥିବା ଶୌଚାଳୟ ବର୍ତ୍ତମାନ ଡଷ୍ଟବିନ୍ ପାଲଟିଛି । ବିଦ୍ୟୁତ ବଲ୍‌ବ, ସ୍କାଏ ଲାଇଟ୍ ଆଦି ଭାଙ୍ଗି ଚୋରମାନେ ନେଇ ସାରିଛନ୍ତି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଏହି ଶୌଚାଳୟ । ପିଲାମାନେ ଶୌଚ ପାଇଁ ବାହାରକୁ ଯାଉଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ସାଇକେଲ ଷ୍ଟାଣ୍ଡଟିଏ ନାହିଁ କି ଖେଳ ପଡିଆ ନାହିଁ । ପିଲାଙ୍କ ଖେଳ ପଡିଆ ପାଇଁ ଗ୍ରାମର ଜଣେ ଉଦାର ବ୍ୟକ୍ତି ସମାରୁ ଗଡତିଆ ଖାତା ନଂ ୮୧୯ ,ପ୍ଲଟ ନଂ ୨୪୬୫ ଥିବା ୮ ଡିସିମିଲ, ଖାତା ନଂ ୮୧୯ ପ୍ଲଟ ନଂ ୨୪୬୬ ଥିବା ୧୮ ଡିସିମିଲ ଓ ଖାତା ନଂ ୧୮୮ ଓ ପ୍ଲଟ ନଂ ୨୪୬୭ ବିଶିଷ୍ଟ ୧୭ ଡିସିମିଲ ମୋଟ ୪୩ ଡିସିମିଲ ଜମି ଦାନ କରିଥିଲେ । ହେଲେ ବହୁ ବର୍ଷ ହେଲା ତାହା ଜବର ଦଖଲ ହୋଇ ରହିଛି।

ଏନେଇ ବିଦ୍ୟାଳୟ କମିଟି ତଥା ଗ୍ରାମବାସୀ ପୂର୍ବରୁ ଅନେକ ଥର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଗତ ମାର୍ଚ୍ଚ ୧୦ ତାରିଖରେ ମଧ୍ୟ ପୁଣି ଏକ ଲିଖିତ ଅଭିଯୋଗ କରାଯାଇଛି । କିନ୍ତୁ ଆଜି ଯାଏ ତହସିଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନାହାନ୍ତି । କୌଣସି ଅସାଧୁ ବ୍ୟକ୍ତି ତାକୁ ଅକ୍ତିଆର କରିଥିବା ଜଣାପଡିଛି । ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମି ଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ବର୍ଷାନୁକ୍ରମେ ବଢ଼ି ଚାଲିଛି । ତଥାପି ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନ ପଡ଼ିବା ବଡ ପରିତାପର ବିଷୟ । ଇଂରେଜ ଅମଳରୁ ସୃଷ୍ଟି ହୋଇ ଥିବା ଏହି ବିଦ୍ୟାଳୟ, ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ୭୭ ବର୍ଷ ପରେ ମଧ୍ୟ ଆଜି ବି ଦୟନୀୟ ଅବସ୍ଥାରେ ରହିଥିବା, ପ୍ରାଥମିକ ଶିକ୍ଷାର ଦୂରବସ୍ଥାକୁ ସୂଚିତ କରୁଛି । ଏହି ଶିକ୍ଷାନୁଷ୍ଠାନ ପ୍ରତି ଏପରି ଅବହେଳା ନେଇ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.