ବିକଶିତ ଅଞ୍ଚଳର ଅଭାବୀ ଦୃଶ୍ୟ; ବୁନ୍ଦାଏ ପାଣି ପାଇଁ ୧ କିମି ଯିବାକୁ ପଡୁଛି

ରେଙ୍ଗାଲିକ୍ୟାମ୍ପ: ଫେଲ ମାରିଛି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଜନା । ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କୁ ମିଳି ପାରୁନାହିଁ ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ପାନୀୟ ଜଳର ଚିନ୍ତା ସେ କଷ୍ଟକୁ ଦ୍ୱିଗୁଣିତ କରିଛି । ହାତରେ ଗରା ବାଲ୍ଟି ଧରି ୧ କିଲୋମିଟର ଚାଲି ଯାଉଛନ୍ତି ଏକ ବ୍ୟକ୍ତିଗତ ନଳକୂପରୁ ପାଣି ଆଣିବା ପାଇଁ । ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତର ବେଲବାହାଳି ଗ୍ରାମରେ ।

prayash

ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଏହି ଗ୍ରାମରେ ରହି ଆସୁଛନ୍ତି ୪୦ଟି ଆଦିବାସୀ ପରିବାର । ୧୫୦ରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା । ଗାଁରେ ରହିଛି ୨ ଟି ନଳକୂଅ । ସେଥି ମଧ୍ୟରୁ ଗୋଟିଏ କାହିଁ କେତେ ଦିନରୁ ଅଚଳାବସ୍ଥାରେ ପଡ଼ିରହିଛି। ଅନ୍ୟଟିରେ ଯେତିକି ପାଣି ବାହାରୁଛି ତାହା ସମୁଦ୍ରକୁ ସଙ୍ଖେ ସଦୃଶ । ଶହେ ଥର ହ୍ୟାଣ୍ଡିଲ୍ ତଳ ଉପର କଲେ ଅଧ ବାଲ୍‌ଟି ପାଣି ବାହାରୁଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ଲିଖିତ ଭାବରେ ମଧ୍ୟ ଜଣାଇଥିଲେ । କିନ୍ତୁ ନଳକୂଅ କାମ ଶୀଘ୍ର କରାଯିବ ବୋଲି କହି ସେ ଲିଖିତ ଅଭିଯୋଗକୁ ଗ୍ରହଣ କରି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ହେଲେ ଆଜି ଯାଏ କିଛି ସମାଧାନ ହୋଇପାରିନାହିଁ । ତେଣୁ ବାଧ୍ୟ ହୋଇ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ପାଇଁ ଶେଷରେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଯାଇ ଜନୈକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗଭୀର ନଳ କୂଅରୁ ପାଣି ଆଣୁଛନ୍ତି ଏହି ଗ୍ରାମବାସୀ । ପ୍ରବଳ ତାତିରେ ମଧ୍ୟ ୧ କିମି ରାସ୍ତା ଚାଲିଛନ୍ତି ଶୋଷ ମେଣ୍ଟାଇବା ପାଇଁ । ତେବେ ସରକାରଙ୍କ ବସୁଧା ଯୋଜନା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି ଏହି ଗ୍ରାମରେ । ଖାଲି ଯେ ପାନୀୟ ଜଳର ଅଭାବ ରହିଛି ତାହା ନୁହେଁ, ଗ୍ରାମରେ ଶିକ୍ଷା ବ୍ୟବସ୍ଥା ମଧ୍ୟ କିଛି ନାହିଁ। ଏମିତିକି ଅଙ୍ଗନୱାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ । ପ୍ରାଥମିକ ଶିକ୍ଷା ପାଇଁ ୨ରୁ ୩ କିମି ପର୍ଯ୍ୟନ୍ତ ଯିବାକୁ ପଡୁଛି। ଆଖ ପାଖ ଗ୍ରାମରେ ଥିବା ବିଦ୍ୟାଳୟମାନଙ୍କରେ ହଷ୍ଟେଲ ସୁବିଧା ମଧ୍ୟ ନାହିଁ। ତେଣୁ ଯାହାର ସାମର୍ଥ୍ୟ ହେଉଛି ଅନ୍ୟ ଜିଲ୍ଲାମାନଙ୍କରେ ପିଲାଙ୍କୁ ରଖି ପାଠ ପଢ଼ାଉଛନ୍ତି । ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବା ପିଲାଙ୍କ ପାଇଁ କଷ୍ଟକର ହୋଇ ପଡିଥିବା ବେଳେ ଏହି ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ ଅନ୍ୟ ଜିଲାକୁ ଯିବାକୁ ପଡୁଛି। ଯାହା ସମସ୍ତଙ୍କ ପାଇଁ ଅନୁକୂଳ ହୋଇ ପାରୁନାହିଁ। ଫଳରେ ଏହି ଗ୍ରାମରେ ପିଲାଙ୍କ ଉଜ୍ବଳ ଭବିଷ୍ୟତର ସମ୍ଭାବନା କମି ଯାଉଛି। ତେଣୁ ପାନୀୟ ଜଳ ଯୋଗାଣ ସହ ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।

Comments are closed.