ପୁସ୍ତକ ପଠନର ଉପାଦେୟତା ଶୀର୍ଷକ ବକ୍ତୃତା ପ୍ରତିଯୋଗିତା
ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ଥିବା ନୂଆଁରମ୍ପେଲା ସରକାରୀ ହାଇସ୍କୁଲରେ ଆଜି ସମ୍ବଲପୁରର ସାର୍ବଜନୀନ ଗ୍ରନ୍ଥାଗାର ଅର୍ଥାତ୍ ପବ୍ଳିକ୍ ଲାଇବ୍ରେରୀ ପକ୍ଷରୁ ଛାତ୍ର/ଛାତ୍ରୀମାନଙ୍କ ମଧ୍ୟରେ “ପୁସ୍ତକ ପଠନର ଉପାଦେୟତା” ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ପବ୍ଳିକ୍ ଲାଇବ୍ରେରୀର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁସ୍ତକ ପଠନ ର ଉପକାରିତା ଉପରେ ଆଲୋକପାତ କରିଥିଲେ। ଶୃଙ୍ଖଳିତ ଭାବରେ ପୁସ୍ତକ ପଠନ ସଠିକ୍ ଜ୍ଞାନ ଆହରଣରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସ୍ଥାନ ଏବଂ ସମୟର ପରିବର୍ତ୍ତନ ନକରି ନିୟମିତ ଭାବରେ ପୁସ୍ତକ ପଠନ କରିବାକୁ ଶ୍ରୀ ପାଢି ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ପବ୍ଳିକ୍ ଲାଇବ୍ରେରୀ ର ଉପ-ସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି ଏବଂ ସମ୍ପାଦକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରଘୁନାଥ ମିଶ୍ର ପୁସ୍ତକ ପଠନ ର ଉପକାରିତା ଏବଂ ଆଦର୍ଶ ଜୀବନ ଗଠନରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସର ରେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବତ୍କୃତା ପ୍ରତିଯୋଗିତା ରେ ଅଷ୍ଟମ ଶ୍ରେଣୀ ର ଛାତ୍ର ସୂର୍ଯ୍ୟକୁମାର ମେହେର ପ୍ରଥମ ସ୍ଥନ ଅଧିକାର କରିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ସିଦ୍ଧି ପଟ୍ଟନାୟକ ଦ୍ୱିତୀୟ ଏବଂ ବିଦ୍ୟାଶ୍ରୀ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସେନାପତି, କଳ୍ପନା ସାହୁ ଏବଂ ଶିକ୍ଷକ ମନୋଜ କୁମାର ନାଏକ ବତ୍କୃତା ପ୍ରତିଯୋଗିତା ର ମୂଲ୍ୟାଙ୍କନ କରିଥିଲେ। ଶେଷ ରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଝରଣା କୁମାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.