ରେଙ୍ଗାଲି ବ୍ଲକ ଅଞ୍ଚଳରେ ବର୍ଷା ନିଖୋଜ ଯୋଗୁଁ ଚାଷକାର୍ଯ୍ୟ ଠପ୍‍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଧାନ ଚାଷ କରିଥାନ୍ତି। ଚଳିତ ବର୍ଷ ରେଙ୍ଗାଲି ବ୍ଲକ ଅଞ୍ଚଳରେ ସ୍ୱଳ୍ପ ଏବଂ ଅନିୟମିତ ବର୍ଷା ତଥା ଦିନ ଦିନ ଧରି ଆଦୌ ବର୍ଷା ନହେବା ଫଳରେ ଚାଷ କାର୍ଯ୍ୟ ଠପ୍‍ ହୋଇଯାଇଛି। କୃଷି ବିଭାଗରୁ ପ୍ରାପ୍ତ ସୂଚନା ଅନୁଯାୟୀ, ରେଙ୍ଗାଲି ବ୍ଲକରେ ୧୧ହଜାର ୯୫୫ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। ଚଳିତ ବର୍ଷ ସେଥିମଧ୍ୟରୁ ୭ହଜାର ହେକ୍ଟର ଜମିରେ ଧାନ ବୁଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୪ହଜାର ୯୫୫ ହେକ୍ଟର ଜମିରେ ଧାନ ରୁଆ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ଷାର ଘୋର ଅଭାବ ଯୋଗୁଁ ଜୁଲାଇ ମାସ ସରି ଯାଇ ଅଗଷ୍ଟ ମାସ ଆରମ୍ଭ ହୋଇଯିବା ସତ୍ତ୍ବେ ଚାଷ କାର୍ଯ୍ୟ ଯେଭଳି ଆଗେଇବା କଥା ଆଗେଇ ପାରି ନାହିଁ। ମାତ୍ର ୩୦%ଭାଗ ଜମିର ରୁଆ ଏବଂ ବେଉଷଣ ହୋଇ ପାରିଛି। ଗତ ବର୍ଷ ମଧ୍ୟ ବର୍ଷା ର ଘୋର ବ୍ୟତିକ୍ରମ ଦେଖା ଦେଇଥିଲା। କିନ୍ତୁ ଗତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୪୦%ଭାଗ ରୁଆ ବେଉଷଣ କାମ ସମ୍ପନ୍ନ ହୋଇ ପାରିଥିଲା। ଗତ ବର୍ଷ ଜୁଲାଇ ମାସ ରେ ୨୨.୫ମିଳିମିଟର ବର୍ଷା ହୋଇଥିବା ବେଳେଏ ଚଳିତ ବର୍ଷ ଜୁଲାଇ ମାସରେ ବର୍ଷାର ପରିମାଣ କମି ଯାଇ ମାତ୍ର ୧୭.୧ମିଳିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଗତ ବର୍ଷ ବର୍ଷାର ଘୋର ଅଭାବ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ବୀମା କମ୍ପାନୀଠାରୁ ରେଙ୍ଗାଲି ବ୍ଲକର ମାତ୍ର ଦୁଇଟି ପଞ୍ଚାୟତର ବୀମା ଭୁକ୍ତ ଚାଷୀ କ୍ଷତି ପୁରଣ ପାଇଥିବା ବେଳେ ବାକି ୧୪ଟି ପଞ୍ଚାୟତର ବୀମାଭୁକ୍ତ ଚାଷୀ କ୍ଷତି ପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗତ ବର୍ଷଠାରୁ ଚଳିତ ବର୍ଷ ପାଣିପାଗରେ ଆହୁରି ଅଧିକ ବ୍ୟତିକ୍ରମ ଦେଖାଦେଇ ଜୁଲାଇ ମାସରେ ମାତ୍ର ୧୭.୧ ମିଳିମିଟର ବର୍ଷା ହେବା ଫଳରେ ଚାଷ ଏବଂ ଚାଷୀମାନଙ୍କ ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି। ଗତ ବର୍ଷର ମରୁଡ଼ିରେ କୃଷି ଋଣ ପରିଶୋଧ କରି ନପାରି ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। କ୍ଷତିଗ୍ରସ୍ତ ଚାଷୀ ଗତ ବର୍ଷର କ୍ଷତିରୁ ଅଣ୍ଟା ସଳକି ନଥିବା ବେଳେ ଚଳିତ ବର୍ଷ ପୁଣି ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି। ଚାଷୀମାନେ ବର୍ଷା ଜଳକୁ ଚାତକ ଭଲି ଅନେଇ ବସିଛନ୍ତି। ଚାଷ କାର୍ଯ୍ୟ ପ୍ରାୟ ଠପ୍‍ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। କାଁ ଭାଁ ବାହାଲ କିସମ ଜମି କିମ୍ବା ଗଭିର ନଳକୂପ ସୁବିଧା ଥିବା ଜମିରେ ଚାଷ କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି। ଆଗାମୀ କିଛି ଦିନ ମଧ୍ୟରେ ଭଲ ବର୍ଷା ନହେଲେ ରେଙ୍ଗାଲି ବ୍ଲକ ଅଞ୍ଚଳରେ ଭୟାବହ ମରୁଡ଼ି ହେବା ନିଶ୍ଚିତ ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.