ଆଜି ବି ବଞ୍ଚିଛି ମଣିଷତ୍ଵ; ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଉଦ୍ଧାର କଲା ‘ସଂକଳ୍ପ ପରିବାର’
ରେଙ୍ଗାଲିକ୍ୟାମ୍ପ: ଅତାବିରା ଆର୍.ଏମ୍.ସି ଅଧୀନରେ ଥିବା ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସରୁ ଜଣେ ଅଜଣା ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରିଛି ସଂକଳ୍ପ ପରିବାର । ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ବ ହେବ ଏହି ମହିଳା ଜଣକ ଉକ୍ତ ମାର୍କେଟ କମ୍ପ୍ଲେକ୍ସର ଏଠିସେଠି ଆଶ୍ରୟ ନେଉଥିଲେ । ଏହି ମହିଳା ଜଣକ ଗ୍ରାମରେ ପ୍ରାୟ ବୁଲୁଥିଲେ । ପାଖରେ ଥିବା ଏକ ହୋଟେଲ ପାଖକୁ ଯାଇ ଛିଡା ହୋଇ ରହେ । ଦୟା ପରବସ ହୋଇ ହୋଟେଲ ମାଲିକ ଯାହା ଦେଉଥିଲା ,ତାକୁ ଖାଇ ସେ ସେଇ ମାର୍କେଟ କମ୍ପ୍ଲେକ୍ସରେ ଶୋଉଥିଲା । କେବେ କାହାକୁ କିଛି ମଗୁନଥିଲା । ତାର ପରିଚୟ କେହି ଜାଣି ନଥିଲେ ।ସେ କେଉଁଠୁ ଆସିଲେ ଆଉ କିପରି ଆସିଲେ ସେ ବିଷୟରେ ମଧ୍ୟ କେହି ଜାଣି ନାହାଁନ୍ତି ।
ଏମିତିକି ଏହି କମ୍ପ୍ଲେକ୍ସକୁ ଅନେକ ଉଚ୍ଚ ପଦାଧିକାରୀ ମାନେ ଆସିଛନ୍ତି । ହୁଏତ ଅନେକଙ୍କ ଆଖିରେ ଏହି ନିରୀହ ମହିଳା ଜଣକ ଆସିଥିବ । କିନ୍ତୁ ପରିତାପର ବିଷୟ କାହାରି ହୃଦୟରେ ତା ପ୍ରତି ଟିକିଏ ଆନ୍ତରିକତା ବା ମଣିଷତ୍ଵ ଜାଗି ନଥିଲା । ସମସ୍ତେ ଅଣଦେଖା କରି ନିଜ ବାଟରେ ଚାଲି ଯାଇଥିଲେ । କିନ୍ତୁ ଗତ ଦୁଇ ତିନିଦିନ ହେଲା ଏହି ମହିଳା ଜଣକ ପଡ଼ିରହିଥିଲେ କିଛି ନ ଖାଇ ନ ପିଇ । କୌଣସି ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ବରଗଡ଼ ସଂକଳ୍ପ ପରିବାର ପହଞ୍ଚିଥିଲା ଏହି ମହିଳା ପାଖରେ ।
ସ୍ଥାନୀୟ ସରପଞ୍ଚ ରାଧେଶ୍ୟାମ ପୋଡ଼, ଅଙ୍ଗନୱାଡି କର୍ମୀ ପ୍ରମୋଦିନୀ ଦନ୍ତା , ସାମାଜିକ କର୍ମୀ ପ୍ରମୋଦ ଦନ୍ତା , ସାମ୍ବାଦିକ ହୃଷୀକେଶ ଖମାରୀଙ୍କ ଉପସ୍ଥିତି କ୍ରମେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ଓ ସନ୍ଦୀପ ସେଠ୍ ଏହି ମହିଳାଙ୍କୁ ପ୍ରଥମେ ସଞ୍ଜମ ଅବସ୍ଥାକୁ ଆଣି ନୂତନ ଲୁଗା ପିନ୍ଧାଇ ତାକୁ ସଂକଳ୍ପ ରଥରେ ବସାଇ ସମ୍ବଲପୁର ମେସେ ନାରୀ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ନିର୍ମାଣ କରାଯାଇଥିବା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଏହି ଚିକିତ୍ସାଳୟ ଏମିତି ଅସହାୟ, ଅଜଣା, ନିଆଶ୍ରୀ ଗରିବ ତଥା ମାନସିକ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇଥାଏ । ସଂକଳ୍ପ ପରିବାରର ଏହି ମହତ୍ ମାନବ ସେବା ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ସୁପ୍ତ ମାନବତାକୁ ମଧ୍ୟ ଜାଗ୍ରତ କରୁଛି ।
Comments are closed.