ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥାରେ ଚାଲିଛି ପାଠପଢା

ରେଙ୍ଗାଲିକେମ୍ପ:ଅତାବିରା ବ୍ଲକ ଦେବାହାଲ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହାରେ ଅବସ୍ଥାପିତ। ୫୩ ନମ୍ୱର ଜାତୀୟ ରାଜପଥକୁ ଲାଗି ରହିଛି ଏହି ବିଦ୍ୟାଳୟ। ହେଲେ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢ଼ା। ମାତ୍ର ଚାରି ଜଣ ଶିକ୍ଷକ ରେ ଚାଲିଛି ପାଠପଢା। ଇଂରାଜୀ, ଓଡ଼ିଆ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ନବମ ଓ ଦଶମ ଶ୍ରେଣୀରେ ଅଛନ୍ତି ୧୨୯ ଜଣ ଛାତ୍ର ଛାତ୍ରୀ। ଶ୍ରେଣୀ ଗୃହ ଅଭାବରୁ ସେକସନ୍ କରାଯାଇ ପାରିନାହିଁ। ଗୋଟିଏ ବେଞ୍ଚରେ ବସୁଛନ୍ତି ୬ ଜଣ ପିଲା। ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ବିଦ୍ୟାଳୟର ଚାରିପଟେ ପାଚେରୀ ନାହିଁ। ଛାତ୍ରୀ ମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବି ନାହିଁ । ପ୍ରାଥମିକ ବିଦ୍ୟାଳୟରେ ଥିବା ନଳ କୁପରୁ ପାଣି ଆଣି ବ୍ୟବହାର କରାଯାଉଛି। ୪ ଟି ସ୍କୁଲ୍ କୋଠରୀ ଗୁଡ଼ିକ ମଧ୍ୟରୁ ଆଜି ଯାଏଁ ୨ଟି ଆଜବେଷ୍ଟସ ଛାତ ଭାଙ୍ଗି ଯାଇ ଖୋଲା ଆକାଶ ଦେଖାଯାଉଛି। ଖରା ଦିନରେ ଖରା ଆଉ ବର୍ଷା ଦିନରେ ପାଣି ଗଳି ପିଲାମାନେ ଭଲ ଭାବରେ ବସି ପାରୁ ନାହାଁନ୍ତି। ଜଗୁଆଳି ନ ଥିବାରୁ ମୂଲ୍ୟବାନ କାଗଜ ପତ୍ର ତଥା ଅନ୍ୟାନ୍ୟ ଜିନିଷ ପତ୍ର ର ସୁରକ୍ଷାକୁ ନେଇ ସବୁବେଳେ ଭୟ ଓ ଆଶଙ୍କା ରହୁଛି। ସ୍କୁଲ୍ କାର୍ଯ୍ୟାଳୟକୁ ଲାଗି ରହିଛି ପ୍ରାଥମିକ ବିଦ୍ୟାଳୟର ଦୁଇଟି ପୁରୁଣା ଭଙ୍ଗା କୋଠରୀ। ସେହି କୋଠରୀ ଭିତରେ ବିଭିନ୍ନ ବିଷଧର ଜୀବଜନ୍ତୁ ବାସ କରୁଥିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଏପରିକି ଉଇହୁଙ୍କା ମଧ୍ୟ ତିଆରିହୋଇସରିଛି।

 

ବିଦ୍ୟାଳୟର ଚାରିପଟେ ବାଉଁଶ ବୁଦା ଆଉ ବିଲ ଜମି। ସନ୍ଧ୍ୟା ହୋଇଗଲେ ବିଦ୍ୟାଳୟ ତଥା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଉଛି। ଦୀର୍ଘ ୨୪ ବର୍ଷ ଧରି ଏହି ସମସ୍ୟା ଘେରରେ ବିଦ୍ୟାଳୟଟି ଚାଲିଛି। ଅନେକ ଥର ଏ ବିଷୟରେ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ସୁଦ୍ଧା ଅବସ୍ଥା ସୁଧୁରି ପାରୁ। ତେବେ ଏ ନେଇ ଶିକ୍ଷକ, କର୍ମଚାରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି। ତେବେ ଦେଖାଯାଉ ଆଉ କେତେଦିନ ପରେ ଏହି ବିଦ୍ୟାଳୟର ସମସ୍ୟା ଉପରେ ଶିକ୍ଷା ବିଭାଗର ଦୃଷ୍ଟି ପଡୁଛି,ପିଲାଙ୍କ ପାଠପଢା ସୁବ୍ୟବସ୍ଥିତ ଭାବେ ହୋଇ ପାରୁଛି।

Comments are closed.