ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ରେଢ଼ାଖୋଲ ରେଞ୍ଜ ଅର୍ନ୍ତଗତ ଜରିପାଣି ଗ୍ରାମ ନିକଟସ୍ଥ କୁସୁମଖୋଳ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୭ଟା ବେଳେ ଏକ ଦନ୍ତାହାତୀ ଜଣେ ଚାଷୀଙ୍କୁ କଚାଡ଼ି ମାରିଦେଇଛି। ମୃତ ଚାଷୀ ଜଣକ ଅନୁଗୋଳ ଜିଲା କିଶୋରନଗର ଥାନା ଉସ୍କାପାଲି ପଞ୍ଚାୟତ ଝିଙ୍କିବାହାଳ ମିର୍ଦ୍ଧାସାହିର ଧନୁ ଦେହୁରୀ(୪୭)ବୋଲି ଜଣାପଡ଼ିଛି। ସୂଚନା ମତେ ଝିଙ୍କିବାହାଳ ମିର୍ଦ୍ଧାସାହିର ଧନୁ ଦେହୁରୀଙ୍କ ବଳଦଟି ଗତ କିଛିଦିନ ତଳେ ହଜି ଯାଇଥିଲା। ହଜିଥିବା ତାଙ୍କ ବଳଦଟି ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତର କୁସୁମଖୋଳ ଗ୍ରାମରେ ଥିବା ସୂଚନା ପାଇ ଗୁରୁବାର ସକାଳୁ ଖୋଜିବାକୁ ବାହରିଥିଲେ।
ତେବେ ମୃତ ଦେହୁରୀ ଜରିପାଣି ଗ୍ରାମ ଦେଇ କୁସୁମଖୋଳ ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାରେ ନଯାଇ ଚଲାପଥରେ ଯାଉଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ମାରିଦେବା ପରେ ଆହୁରି ନୃଶଂସ ହୋଇ ଭୟଙ୍କର ଗର୍ଜନ ଛାଡ଼ି ସେହି ଅଞ୍ଚଳରେ ଘୁରି ବୁଲୁଥିଲା। ଏଥିରେ ପାଖ ଗାଁ ଜରିପାଣି ଓ କୁସୁମଖୋଳ ଗ୍ରାମବାସୀ ତା’ର ଗର୍ଜନ ଶୁଣି ଭୟଭୀତ ହୋଇଥିଲେ। ଏନେଇ ଗ୍ରାମବାସୀ ବନବିଭାଗକୁ ସୂଚନା ଦେବାପରେ ରେଢ଼ାଖୋଲ ରେଞ୍ଜ ଅଧିକାରୀ ମନଜିତ ମୈତ୍ରୀ ବିଶ୍ୱାଳ, ପୁଲିସ ଏସଆଇ ସୋମ୍ୟ ରଞ୍ଜନ ମହାଲିକ, ଏଏସଆଇ ତ୍ରିବେଣୀ ପ୍ରଧାନଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିଲେ।
ରେଢ଼ାଖୋଲ ପୁଲିସ ଏକ ଅପମୃତ୍ୟୁଜନିତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏନେଇ ଡିଏଫଓ ପ୍ରଦିପ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୪ ଲକ୍ଷ ଟଙ୍କା ସହାୟତା ରାଶିରୁ ଆସନ୍ତାକାଲି ତୁରନ୍ତ ଶୁଦ୍ଧକ୍ରିୟା ପାଇଁ ୪୦ ହଜାର ଟଙ୍କା ପରିବାରକୁ ପ୍ରଦାନ କରାଯିବ ଓ ଅବଶିଷ୍ଟ ଅର୍ଥ କାଗଜପତ୍ର ହେବାପରେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।



