କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ହତ୍ୟା

ରାୟଗଡା: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶୁକ୍ରବାର ସକାଳେ ଯୁବ କଂଗ୍ରେସର ପୂର୍ବତନ ସଭାପତି ଗଜେନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କାଶୀପୁରଠାରୁ ୧୦ କିଲୋମିଟର ଦୂର ସିକରଲଟା ଗ୍ରାମରେ ଥିବା ନିଜ ଚାଷଜମିକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ତାଙ୍କ ସହ କିଛି ଶ୍ରମିକ ଓ ଜେସିବି ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ। ଜେସିବି ସହାୟତାରେ ଚାଷ ଜମିରେ କାମ ଚାଲିଥିବା ବେଳେ ଚନ୍ଦ୍ରଗିରୀ ପଞ୍ଚାୟତ ଚାନ୍ଦୋଗିରି ଗ୍ରାମର ଭାଗ ଗୌଡ଼ ଓ ତାଙ୍କ ଦୁଇ ପୁଅଙ୍କ ସହ କୌଣସି କାମକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମିଳିତ ଭାବେ କୁରାଢିରେ ଅତି ନିର୍ମମ ଭାବେ ଗଜେନ୍ଦ୍ରଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ସ୍ଥାନୀୟ ଲୋକେ ଗଜେନ୍ଦ୍ରଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା କସନାଦରା ଗ୍ରାମର ଅନ୍ତ ମାଝୀ ଏହି ନିର୍ମମ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ବୟାନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

prayash

ଗଜେନ୍ଦ୍ର ନାଏକ ଜଣେ ସମାଜସେବୀ ସହ କାଶୀପୁର ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସର ପୂର୍ବତନ ସଭାପତି ଥିଲେ। ସେ କାଶୀପୁର ବ୍ଲକ ଡମ୍ବ ସମାଜର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ପରିଚିତ। ତାଙ୍କ ମୃତଦେହ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚି ଥିବାବେଳେ କାଶୀପୁର ପୁଲିସ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ହତ୍ୟାକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Comments are closed.