ସେନା ଉପରେ ରାଜନୈତିକ ଚାପ ନାହିଁ: ରାୱତ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଏକ ମାସ ବ୍ୟାପୀ ଅସ୍ତ୍ରବିରତି ପରେ ଏଣିକି ରାଜ୍ୟରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡିକର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ ବୋଲି ବୁଧବାର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଭଳି ଆତଙ୍କବାଦକୁ ଆଦୌ ସହ୍ୟ କରିବ ନାହିଁ ଏବଂ ଏହାକୁ ଦୃଢହସ୍ତରେ ଦମନ କରାଯିବ। ଆତଙ୍କବାଦ ଜର୍ଜରିତ ଜାମ୍ମୁ-କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ହେବା ଦ୍ୱାରା ସେନାର ଆତଙ୍କବାଦ ଦମନ ଅଭିଯାନ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ ବୋଲି ସେନାମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି। ବୁଧବାର ଜେନେରାଲ ରାୱତ କହିଛନ୍ତି ଯେ ରାଜ୍ୟପାଳ ଶାସନ ସତ୍ତ୍ବେ ଆମର ଆତଙ୍କବାଦ ଦମନ ଅଭିଯାନ ପୂର୍ବବତ୍‍ ଜାରି ରହିବ। କାରଣ ଆମେ କେବେହେଲେ ରାଜନୈତିକ ହସ୍ତକ୍ଷେପର ସମ୍ମୁଖୀନ ହୋଇ ନଥାଉ। ରମଜାନ ମାସ ପାଇଁ ରାଜ୍ୟରେ ସାମୟିକ ଭାବେ ଆତଙ୍କବାଦ ଦମନ ଅଭିଯାନ ବନ୍ଦ ରହିଥିଲା। ଏବେ ଏହା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ଏହାଛଡ଼ା ରାଜ୍ୟପାଳ ଶାସନ ଅଧୀନରେ କାର୍ଯ୍ୟ କରିବା ଅଧିକ ସହଜ ବୋଲି ମତ ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଏସ୍‍.ପି ବୈଦ।
ଅନ୍ୟପଟେ ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରି ଏବଂ ସେନା ଯବାନ ଔରଙ୍ଗଜେବ୍‍ଙ୍କ ହତ୍ୟା ଘଟଣାକୁ ଭାରତ ଜାତିସଂଘରେ ଉଠାଇବା ସହିତ ଜାମ୍ମୁ-କାଶ୍ମୀରରେ ମାନବିକତା ଉଲ୍ଲଙ୍ଘନ ସମ୍ବନ୍ଧୀୟ ଏହାର ରିପୋର୍ଟକୁ କଡ଼ା ନିନ୍ଦା କରିଛି। ଆତଙ୍କବାଦୀମାନେ କାଶ୍ମୀରରେ ସାଧାରଣ ଜନତାଙ୍କ ସ୍ୱର ଦବାଇବା ଉଦ୍ଦେଶ୍ୟରେ ଏଭଳି ବର୍ବର ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ଜେନେଭାଠାରେ ଜାତିସଂଘ ମାନବିକ ଅଧିକାର ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ରାଜୀବ କେ. ଚନ୍ଦର କହିଛନ୍ତି। ସେହିଭଳି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ଆମେରିକା ମଧ୍ୟ କଡ଼ା ନିନ୍ଦା କରିଛି। ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ମାଟିରେ ଆତଙ୍କବାଦୀ ସଂଗଠନଗୁଡିକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ ବୋଲି ଆମେରିକା ନାଟୋ ସେନାର ମୁଖ୍ୟ ଅଷ୍ଟିନ୍‍ ମୁଲର ଆମେରିକୀୟ କଂଗ୍ରେସରେ କହିଛନ୍ତି।

Leave A Reply