ଆଜି ଶ୍ରୀଗୁଣ୍ଡିଚାଯାତ୍ରା

0

ଦିନ ୯.୩୦ରେ ପହଣ୍ଡି , ୪ଟାରେ ରଥଟଣା

ପୁରୀ  : ଦାରୁବ୍ରହ୍ମଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାରରେ ଅପେକ୍ଷା କରିଛନ୍ତି ତିନିରଥ। ଭାଇଭଉଣୀଙ୍କ ସହ ଶନିବାର ଶ୍ରୀଗୁଣ୍ଡିଚାଯାତ୍ରା କରିବେ କାଳିଆ ଠାକୁର। ଏଥିପାଇଁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ପୁଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର। ଶ୍ରୀଜୀଉଙ୍କ ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ହୋଇ ରହିଛନ୍ତି। ସକାଳଧୂପରେ ଖେଚୁଡି ଖାଇ ରଥକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଦିନ ୯ଟା ୩୦ରେ ପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ଝୁମି ଝୁମି ସେବକଙ୍କ ଗହଣରେ ପ୍ରଭୁ ରଥଉପରକୁ ବିଜେକରିବେ।
ବଡ଼ଦାଣ୍ଡରେ ଅନୁଷ୍ଠିତ ହେବ ପତିତପାବନ ଯାତ୍ରା। ଦିନ ୧୨ଟା ୩୦ସୁଦ୍ଧା ପହଣ୍ଡି ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମଦନମୋହନ ରଥକୁ ବିଜେକରିବେ। ପ୍ରଭୁଙ୍କୁ ଚିତାଲାଗି ଓ ବେଶ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟାରୁ ୩ଟା ମଧ୍ୟରେ ରଥ ଉପରକୁ ଯାଇ ଛେରାପହଁରା କରିବେ। ଏହାପରେ ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥୀ ଲାଗିବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଶ୍ରୀଜୀଉଙ୍କ ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ରଥଯାତ୍ରା ପାଇଁ ପୁରୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗହଳି ନିୟନ୍ତ୍ରଣ, ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନା ପାଇଁ ୧୪୨ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ପୁଲିସ ପାଟ୍ରୋଲିଂ କଡାକଡି କରାଯାଇଛି। ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ଦାୟିତ୍ୱ ଦିଆଯାଇଛି। ରାପିଡ ଆକ୍ସନ ଫୋର୍ସ, ଏସ୍‍ଓଜି, ବୋମା ନିଷ୍କ୍ରିକାରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସାଇଣ୍ଟିଫିକ୍‍ ଟିମ, ସନ୍ଧାନୀ କୁକୁର ଓ ମେଟାଲ ଡିଟେକ୍ଟର ମାଧ୍ୟମରେ ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଉଛି। ବଡ଼ଦାଣ୍ଡ, ରେଳଷ୍ଟେସନ ଏବଂ ବସ୍‍ଷ୍ଟାଣ୍ଡରେ ସିସିଟିଭି ଲଗାଯାଇ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍‍ଣ ନଜର ରଖିଛି ଗୁଇନ୍ଦା ବାହିନୀ।

ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ନୀତି ସମ୍ପାଦନ ପାଇଁ ଉଦ୍ୟମ ଚଳାଇଛନ୍ତି। ରଥଟଣା ଦାୟିତ୍ୱରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ଏବଂ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ରହିଛନ୍ତି। ଟ୍ରାଫିକ ପରିଚାଳନା ତଦାରଖ ଦାୟିତ୍ୱ ଆଇଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଦିଆଯାଇଛି। ପ୍ରାୟ ୧୦ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ ଓ ବସ୍‍ଚଳାଚଳ, ବିଦ୍ୟୁତ, ପାନୀୟଜଳ ଯୋଗାଣ, ପରିମଳ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ଶନିବାର ସକାଳ ୬ଟାରେ ଶ୍ରୀଜୀଉଙ୍କ ମଙ୍ଗଳଆଳତୀ ଅନୁଷ୍ଠିତ ହେବ। ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ଏବଂ ବେଶ ପରେ ସକାଳଧୂପ ହେବାର କାର୍ଯ୍ୟକ୍ରମ ରହିଛି। ଦିନ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ମଙ୍ଗଳାର୍ପଣ ପରେ ପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ଶୁକ୍ରବାର ଶ୍ରୀଜୀଉଙ୍କ ଆଜ୍ଞାମାଳ ଲାଗିପରେ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥକୁ ଶ୍ରୀନଅର ସମ୍ମୁଖ ରଥଖଳାରୁ ସିଂହଦ୍ୱାର ନିଆଯାଇଛି। ରଥଗୁଡିକୁ ଫୁଲ ଓ ସୋଲରେ ସଜ୍ଜିତ କରାଯାଇଛି।

Leave A Reply