ରାସ୍ତାରୁ ପର୍ସ ପାଇ ଫେରାଇଲେ

0

କଟକ : ଈଶ୍ବରଙ୍କ ସୃଷ୍ଟିରେ ସେ ଜଣେ ଦିବ୍ୟାଙ୍ଗ। ବୟସ ୫୦ରୁ ୫୫ ଭିତରେ ହେବ। ନାଁ ବିପିନ ନାୟକ। ଠିକଣା କଟକ ଜୋବ୍ରାରୋଡ଼୍‌ ସ୍ଥିତ ମୁରାଦ୍‌ ଖାଁ ପାଟଣା। ହାତ ଓ ଗୋଡ଼ ବିଶେଷ କାମ କରୁନି। ପେଟ ପୋଷିବା ଲାଗି ଅନ୍ୟର ଦୟା ଉପରେ ନିର୍ଭରଶୀଳ। ଶାରୀରିକ ଅକ୍ଷମତା ବାଧ୍ୟ କରିଛି ଭିକ୍ଷାବୃତ୍ତି କରିବାକୁ। ଭଙ୍ଗାଦଦରା ଏକ ତିନିଚକିଆ ସାଇକଲରେ ବସି ପାଖ ମନ୍ଦିର ନିକଟରେ ଭିକ ମାଗନ୍ତି। ଅନ୍ୟର ଦାନ ଓ ଦୟା ଉପରେ ନିର୍ଭରଶୀଳ; ଅଥଚ ଲୋଭ ଓ ପରଧନ ଆତ୍ମସାତ୍‌ କରିବା ଭଳି ଲେଶମାତ୍ର ମାନସିକତା ତାଙ୍କଠାରେ ନାହିଁ। ବେଳେବେଳେ ଘଟଣା ଓ ପରିସ୍ଥିତି ବ୍ୟକ୍ତିର ସାଧୁତା ଓ ସଚ୍ଚୋଟ ପଣିଆକୁ ପ୍ରମାଣିତ କରେ। ଏଇ ଯେମିତି ଭିକାରିଟିଏ ହେଲେ ମଧ୍ୟ ବିପିନଙ୍କ ସାଧୁତାକୁ ପ୍ରମାଣିତ କରିଛି।
ମଙ୍ଗଳବାର ବିପିନ ନିଜ ତିନିଚକିଆ ଗାଡ଼ିରେ ଭିକ ମାଗିବାକୁ ଯାଉଥିବାବେଳେ ମାତାମଠ ରାସ୍ତାରେ ତାଙ୍କୁ ମିଳିଲା ଏକ ପର୍ସ। ପର୍ସକୁ ଉଠାଇ ଦେଖନ୍ତି ତ ସେଥିରେ ଥିଲା ୧୨,୫୦୦ (ବାର ହଜାର ପାଞ୍ଚଶହ) ଟଙ୍କା, ଏକ ଏଟିଏମ୍‌ କାର୍ଡ ଓ କିଛି ଦରକାରୀ କାଗଜପତ୍ର। ବାସ୍‌ ! ଏଇଠୁ ଯେମିତି ଆରମ୍ଭ ହୋଇଥିଲା ବିପିନଙ୍କ ସାଧୁତାର ପରୀକ୍ଷା। ଜୀବନରେ ହୁଏତ ଏତେ ଟଙ୍କା ଏକାବେଳକେ ଦେଖି ନଥିବା ବିପିନ ଏଥିପ୍ରତି ଲୋଭାସକ୍ତ ହୋଇନଥିଲେ; ବରଂ ଏହି ଅର୍ଥ ହଜାଇ କିଏ କିଭଳି ମାନସିକତାରେ ଥିବେ, ତାହା ବିପିନଙ୍କୁ ବ୍ୟତିବ୍ୟସ୍ତ କରିଥିଲା। କିଏ ସୁରକ୍ଷିତ ଭାବେ ହଜିଲା ବ୍ୟକ୍ତିଙ୍କଠାରେ ପହଞ୍ଚାଇବ ଏହି ପର୍ସ। ପୁଲିସ ଓ ଥାନା ବାଲାଙ୍କୁ ଦେଲେ ଠିକଣା ଲୋକ ପାଖରେ କାଳେ ଏହା ପହଞ୍ଚିପାରିବ କି ନାହିଁ ସେଥିନେଇ ବୋଧେ ସନ୍ଦିହାନ ଥିଲେ ବିପିନ। ଏଇ ସମୟରେ ମନକୁ ଆସିଥିଲା ସେବା ଓ ସମର୍ପଣର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଖବର କାଗଜ ‘ସମାଜ’ର କଥା। ଧୁ ଧୁ ଖରାରେ ବିପିନ ପାଇଥିବା ପର୍ସଟିକୁ ଧରି ପହଞ୍ଚିଥିଲେ କଟକସ୍ଥିତ ‘ସମାଜ’ର ମୁଖ୍ୟ କାର୍ଯ୍ୟାଳୟରେ। ଆଉ ଭେଟିଥିଲେ ମାନବ ସମ୍ବଳ ବିଭାଗର ସହକାରୀ ପରିଚାଳକଙ୍କୁ। କିଭଳି ହଜିଥିବା ବ୍ୟକ୍ତିଙ୍କ ପାଖରେ ଏହା ପହଞ୍ଚିବ ସେ ଦାୟିତ୍ବ ‘ସମାଜ’କୁ ଲାଗିଲା ବୋଲି ବିପିନଙ୍କ ବ୍ୟସ୍ତତା ବେଶ୍‌ ବାରିହୋଇପଡୁଥିଲା। ଥାନା କିମ୍ବା ଅନ୍ୟ କାହା ସହାୟତା ନନେଇ ‘ସମାଜ’ କାର୍ଯ୍ୟାଳୟକୁ ଆସିବାର କାରଣ ପଚାରନ୍ତେ ବିପିନଙ୍କ ଉତ୍ତର ଥିଲା ସ୍ପଷ୍ଟ- ‘ବାବୁ ବିଶ୍ବସନୀୟତା’। ଗରିବଙ୍କୁ ସହାୟତା ଦେଉଥିବା ‘ସମାଜ’ ହିଁ ସଠିକ୍‌ ଲୋକକୁ ଖୋଜି ତା’ର ହଜିଲା ସାମାନ୍‌ ପହଞ୍ଚାଇପାରିବ ଆଜ୍ଞା… ବୋଲି ବିପିନଙ୍କ କଥାରେ ଥିଲା ଦୃଢତା। ପର୍ସଟି ଦେଇ ନିୟମିତ ବୃତ୍ତିରେ ଫେରିଯାଇଥିଲେ ବିପିନ।
ପର୍ସଟିକୁ ଖୋଲି ତା’ର କାଗଜପତ୍ର ପରଖିବା ପରେ ଏଟିଏମ ଠିକଣାରୁ ବ୍ୟକ୍ତିଙ୍କୁ ଖୋଜା ଯାଇଥିଲା। ଜଣାପଡିଲା ହଜାଇଥିବା ପର୍ସ କଟକ ଗୋବିନ୍ଦପୁର ନିକଟସ୍ଥ କୁସୁଦାର ରାଜଶ୍ରୀ ନାୟକଙ୍କର। ଫୋନ୍‌ ପାଇ ରାଜଶ୍ରୀ (୩୫) ତୁରନ୍ତ ପହଞ୍ଚିଥିଲେ ‘ସମାଜ’ ଅଫିସରେ। କେମିତି ବ୍ୟାଗ୍‌ଟି ହଜିଲା ବୋଲି ରାଜଶ୍ରୀଙ୍କୁ ପଚାରନ୍ତେ ସେ କହିଲେ, ସୋମବାର ସେ ତାଙ୍କ ଶାଶୂଙ୍କୁ ଧରି କଟକ ବଡ଼ ଡାକ୍ତରଖାନା ଆସୁଥିଲେ। ଅସାବଧାନତାବଶତଃ ପର୍ସଟି ବାଟରେ ପଡିଯାଇଥିଲା। ପର୍ସ ହଜିବା ପରଠାରୁ ଗଭୀର ମନସ୍ତାପରେ ଥିଲେ ରାଜଶ୍ରୀ। ପରିବାରର ଆର୍ଥିକ ସ୍ବଚ୍ଛଳତା ସେତେ ଭଲ ନଥିବାରୁ ଶାଶୂଙ୍କ ଚିକିତ୍ସା ଲାଗି ବ୍ୟସ୍ତବିବ୍ରତ ହୋଇପଡିଥିଲେ। ଗତକାଲି ରାତିରୁ ଏହି ଦୁଃଖରେ ସେ ଖାଦ୍ୟ ଗ୍ରହଣ କରି ନଥିବା କହିଥିଲେ। ହଜିଲା ପର୍ସକୁ ପାଇ ରାଜଶ୍ରୀ ସତେ ଯେମିତି ଆତ୍ମବିଭୋର ହୋଇପଡିଥିଲେ। ଲାଗୁଥିଲା ତାଙ୍କୁ କୋଟିନିଧି ମିଳିଯାଇଛି। ପର୍ସଟି ପାଇଥିବା ଭିକାରି ବିପିନଙ୍କୁ ଅଜାଡି ଦେଇଥିଲେ ସାଧାରଣରେ ଅଜସ୍ର ଆଶୀର୍ବାଦ। ସମାଜର ଏହି ଉଦ୍ୟମକୁ ମଧ୍ୟ ବେଶ୍‌ ପ୍ରଶଂସା କରିଥିଲେ। ପର୍ସଟିକୁ ଦୁଇହାତରେ ଧରି ରାଜଶ୍ରୀ ଉପରକୁ ମୁଣ୍ଡ ଉଠାଇ ଈଶ୍ବରଙ୍କୁ କରୁଥିଲେ ବାରମ୍ବାର ପ୍ରଣାମ। ଆଉ ଧନ୍ୟବାଦ ଜଣାଉଥିଲେ ଅଭାବରେ ଥାଇ ବି ଏଭଳି ସାଧୁ ଓ ସଚ୍ଚୋଟ ବ୍ୟକ୍ତି ଆଜିର ସମାଜରେ ଅଛନ୍ତି ବୋଲି। ରାଜଶ୍ରୀ ଖୁସିରେ ସେ ଭାଈଙ୍କୁ ମୁଁ କିଛି ଟଙ୍କା ଦେବି ବୋଲି କହିଥିଲେ। ମାତ୍ର ତାଙ୍କ ସହ ସଂପର୍କ ହୋଇପାରିନଥିଲା।
ବିପିନ ଓ ରାଜଶ୍ରୀଙ୍କ ଘଟଣା କାହାକୁ ସାଧାରଣ ଲାଗିପାରେ। କିନ୍ତୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଏବେ ବି ବଞ୍ଚିଛି ମଣିଷପଣିଆ। ଉଜ୍ଜୀବିତ ରହିଛି ସାଧୁତା, ସଚ୍ଚୋଟପଣିଆ। ଅର୍ଥପ୍ରତି ଆମମାନଙ୍କ ଭିତରୁ ଅନେକଙ୍କ ରହିଛି ଅହେତୁକ ଲାଳସା। ସମ୍ମାନଜନକ ପଦପଦବୀରେ ଥାଇ ମୋଟା ଅଙ୍କର ଦରମାଧାରୀ ଲାଞ୍ଚ ନେଇ ଗିରଫ ହେଉଛନ୍ତି। ସାମାନ୍ୟ କେଇଟା ଟଙ୍କା ପାଇଁ ରକ୍ତ ସଂପର୍କୀୟଙ୍କୁ ହତ୍ୟା କରିବା ଘଟଣା ନିତି ସମାଜରେ ଘଟୁଛି। କେତେକ ନିଜର କ୍ଷମତା, ପ୍ରତିପ୍ରତ୍ତି ପ୍ରଭାବରେ ଅନ୍ୟର ଅର୍ଥ, ସମ୍ପତ୍ତି ହରଣ କରୁଛନ୍ତି। ଅଥଚ ବିପିନଙ୍କ ଭଳି ଦିବ୍ୟାଙ୍ଗ ଭିକ୍ଷୁକଙ୍କୁ ଅର୍ଥ ଆସକ୍ତି ଆଡ଼କୁ ନ ଟାଣି ସେବା ସମର୍ପିତ କରିଛି। ଆର୍ଥିକ ଓ ଶାରିରୀକ ଅବସ୍ଥା ନେଇ ଈଶ୍ୱରଙ୍କ ଉପରେ ଅଭିମାନ ଥିଲେ ବି ତାଙ୍କର ବିଶ୍ୱାସ ତୁଟିନି। ଭିକ୍ଷାବୃତ୍ତି କରି ପେଟ ପୋଷନ୍ତି; ହେଲେ ଅନ୍ୟର ଧନଦରବ ପ୍ରତି ଲୋଭନାହିଁ। ତା’ ହୋଇ ନଥିଲେ ଅଖଞ୍ଜ ବିପିନ ବ୍ୟସ୍ତ ହୋଇ ପର୍ସ ଫେରାଇବାକୁ ଆସି ନଥାନ୍ତେ ! ଭିକ୍ଷୁକ ବିପିନଙ୍କ ଏଇ ମହନୀୟତା କଥା ଭାବିଲେ ଆଜିର ଅର୍ଥଲୋଭୀ, ଲାଞ୍ଚୁଆ ଅଧିକାରୀ ଓ ତଥାକଥିତ ଧନକୁବେର ଯେ ସମାଜର କେଉଁ ପଙ୍‌କ୍ତିରେ ଠିଆ ହୋଇଛନ୍ତି ତାହା ବୁଝିହେବ !

kalyan agarbati
Leave A Reply