ଆଧାର ନାହିଁ ତ ରାସନ ନାହିଁ : ଦିବ୍ୟାଙ୍ଗଙ୍କ ଜୀବନ ବିତୁଛି ଭୋକ ଉପାସରେ
କସରଦା : ନିଆଳି ବ୍ଲକ ଦ୍ୱୀପାଞ୍ଚଳରେ ଏବେ ଆଧାର ନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ଭୋକ ଉପାସରେ ଜୀବନ ବିତାଉଛନ୍ତି। ଖବର ଅନୁଯାୟୀ, କେହି ଭୋକ ଉପାସରେ ରହିବେ ନାହିଁ ଖାଦ୍ୟସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସମସ୍ତ ଗରିବ, ନିରାଶ୍ରୟ, ଦିବ୍ୟାଙ୍ଗ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଢ ପରିକର। ଏଥିନେଇ ମଧ୍ୟ ନିୟମ ରହିଛି। ଏବେ ସେହି ନିୟମ ମଧ୍ୟରୁ ସରକାର ଆଧାର ନ ଥିଲେ ରାସନ ମିଳିବନି ଏହି ନିୟମକୁ ସରକାର ଜାନୁୟାରୀ ମାସରୁ ଲାଗୁ କରିଛନ୍ତି। ଯଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ସମସ୍ତ ନିୟମରେ ଥାଇ ମଧ୍ୟ କେବଳ ଆଧାରକାର୍ଡ ନଥିବାରୁ ବହୁ ଦିବ୍ୟାଙ୍ଗ, ମାନସିକ ବିକୃତ ଓ ଅଶିକ୍ଷିତ ଲୋକ ଏବେ ରାସନରୁ ବଞ୍ଚିତ ହୋଇ ଭୋକ ଉପାସରେ କାଳାତିପାତ କରୁଛନ୍ତି।
ଗତ ଜାନୁୟାରୀ ମାସରୁ ରାସନରୁ ଉପେକ୍ଷିତ ହେବା ପରେ ଉକ୍ତ ଯୋଗ୍ୟ ହିତାଧିକାରୀ ଛକ ବଜାରରେ ଓ ଗାଁ ଗଣ୍ଡାରେ ବୁଲି ମାଗିଯାଚି ଖାଦ୍ୟ ଖାଉଥିବା ବେଳେ ଏବେ ଗତ କିଛିଦିନ ଧରି କରୋନା ଓ ତାଲାବନ୍ଦ ପାଇଁ ଛକ ବଜାର ବନ୍ଦ ସହିତ ସାମାଜିକଦୂରତ୍ୱ ରକ୍ଷା ପାଇଁ ଗାଁ ଗଣ୍ଡା ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରି ଘରୁ ବାହାରୁ ନାହାଁନ୍ତି। ଏ ପରିସ୍ଥିତିରେ ସେମାନଙ୍କ କଥା ପଚାରେ କିଏ ? ଏଭଳି ଏକ ଘଟଣା ଆଜି ଦ୍ୱିପାଞ୍ଚଳ ଏରଞ୍ଚ ପଞ୍ଚାୟତରେ ଦେଖିବାକୁ ମିଳିଛି। କରୋନା ପାଇଁ ଲକ୍ଡାଉନ୍ ପରଠାରୁ ଭୋକରେ କାଳାତିପାତ କରୁଥିବା ଏହି ପଞ୍ଚାୟତର ମାଗୁରାକୁଦ ଡମନଗରର ବାସୁଦେବ ବେହେରା (୬୦), ତାଙ୍କ ପତ୍ନୀ ବିମ୍ବଳୀ (୫୫), ପୁଅ ପବିତ୍ର (୨୬) ଏରଞ୍ଚ ଗ୍ରାମର ବୁଲୁ ବସ୍ତିଆ (୪୮) ଭଉଣୀ ନୟନ ବସ୍ତିଆ (୫୨) ବାଲିକୁଦର ଅଜୟ କର (୬୦) ହିତାଧିକାରୀ ମାନେ ରାସନ ନପାଇ କିଭଳି ଭୋକରେ ଜୀବନ ବିତାଇବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏ ସମସ୍ତ ହିତାଧିକାରୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ସମସ୍ତଙ୍କ ପରିବାରକୁ ଅତୀତରେ ସରକାରଙ୍କପକ୍ଷରୁ ଇନ୍ଦିରା ଆବାସ ମିଳିଛି। ଘଟଣାସ୍ଥଳରୁ ଆମ ପ୍ରତିନିଧି ନିଆଳି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣିଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇବାରେ ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ଦୈନିକ ଦୁଇ ବେଳା ରନ୍ଧାଖାଦ୍ୟ ଯୋଗାଇବାକୁ ବ୍ୟବସ୍ଥା କରିବା ସହ କରୋନା ସହାୟତା ୧ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଠାରେ କଥା ଉଠେ ଯେ ଉପରୋକ୍ତ ହିତାଧିକାରୀ କେବଳ ବଞ୍ଚିତ ହୋଇ ନାହାଁନ୍ତି ବରଂ ବ୍ଲକ ଓ ନିର୍ବାଚନ ମଣ୍ଡଳୀର ଅନେକ ଯୋଗ୍ୟ ହିତାଧିକାରୀ ଆଧାର ନଥିବାରୁ ରାସନରୁ ବଞ୍ଚିତ ହେଉଛନ୍ତି। ଏଣୁ ତୁରନ୍ତ କଟକ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଘଟଣାର ସମାଧାନ କଲେ ବହୁ ଯୋଗ୍ୟ ହିତାଧିକାରୀ ଏବେ ରାସନ ପାଇ କରୋନା ଭଳି ପରିସ୍ଥିତିରେ ଭୋକ ଉପାସରୁ ବଞ୍ଚିଯାନ୍ତ।
Comments are closed.