ମୁକୁନା ଘାଟ ମୁକୁଳା: ଦୁର୍ଦଶାରେ ମୟୂରଭଞ୍ଜ ଓ କେନ୍ଦୁଝରର ଶତାଧିକ ଗ୍ରାମବାସୀ
ରରୁଆଁ: ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସୀମାରେଖା ଭାବେ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର ମୁକୁନା ଘାଟରେ ପୋଲ ନିର୍ମାଣ ହୋଇପାରିଲାନି। ଫଳରେ ଦୁଇ ଜିଲାର ଶହେରୁ ଅଧିକ ଗାଁର ଲୋକ ଯାତାୟାତରେ ଘୋର ଦୁର୍ଦଶା ଭୋଗୁଛନ୍ତି। ଏ ପଟରୁ ସେ ପଟକୁ ଯିବାକୁ ଦେଶୀ ଡଙ୍ଗା ତଥା ଖରାଦିନେ ଅସ୍ଥ୍ରାୟୀ ପୋଲ ହିଁ ଭରସା। ସମ୍ପୃକ୍ତ ଅଞ୍ଚଳର କେହି ଲୋକ ଆର ପଟକୁ ଚାରି ଚକିଆ ଯାନରେ ବା ସ୍ୱଚ୍ଛନ୍ଦରେ ଦୁଇ ଚକିଆ ଯାନରେ ଯିବାକୁ ଚାହିଁଲେ ୩୫ କିମି ବାଟ ବୁଲି ଯିବାକୁ ପଡ଼ିଥାଏ। ସେହିପରି ବନ୍ୟାବେଳେ ନଦୀରେ ନାଆ ପଡ଼ିବା ସମ୍ଭବ ହେଉ ନ ଥିବାରୁ ଲୋକଙ୍କୁ ମଧ୍ୟ ୩୫ କିମି ବାଟ ବୁଲି ଯିବାକୁ ପଡ଼ିଥାଏ।
ମୟୂରଭଞ୍ଜ ଜିଲା, ରରୁଆଁ ବ୍ଲକ ଅନ୍ତର୍ଗତ ବୈଦ୍ୟନାଥ ପଞ୍ଚାୟତ ମୁକୁନା ଗାଁ ପାର୍ଶ୍ବରେ ପ୍ରବାହିତ ହେଉଛି ବୈତରଣୀ ନଦୀ। ନଦୀର ଏହି ଘାଟକୁ ପ୍ରଧାନମନ୍ତ୍ରୀ ସଡକ ଲମ୍ବିଛି। କିନ୍ତୁ ଏଠାରେ ନଦୀରେ ସେତୁଟିଏ ନାହିଁ ବୋଲି ଆର ପଟ, କେନ୍ଦୁଝର ଜିଲାର ବିଭିନ୍ନ ଗାଁକୁ ଯିବା ପାଇଁ ଲୋକେ ଅସୁବିଧା ଭୋଗିଆସୁଛନ୍ତି। କେନ୍ଦୁଝର ପଟର ଲୋକ ମଧ୍ୟ ଏପଟକୁ ଆସିବାରେ ଦୁର୍ଦଶା ଭୋଗିଆସୁଛନ୍ତି। ଦଦରା ନାଆରେ ଜୀବନକୁ ପାଣି ଛଡେଇ ନଦୀ ପାର ହେଉଛନ୍ତି ପିଲାରୁ ବୟସ୍କ। ବୈତରଣୀ ନଦୀରେ ଅଧିକାଂଶ ଦିନେ ପାଣି ରହୁଥିବାରୁ ନାଆ ହିଁ ଭରସା। ଉଲ୍ଲେଖଯୋଗ୍ୟ ଯେ ବୈତରଣୀ ନଦୀ ଉପରେ ନିର୍ମିତ ଫଗୁ-ଚମ୍ପୁଆ ପୋଲ କେନ୍ଦୁଝର ଜିଲା ସହିତ ମୟୂରଭଞ୍ଜ ଜିଲାର ରରୁଆଁ ବ୍ଲକକୁ ସଂଯୋଗ କରୁଛି। ସେହିପରି ଚଢେଇଭୋଳ-ତୁରୁମୁଙ୍ଗାଠାରେ ଏହି ନଦୀ ଉପରେ ବିଟ୍ରିଶ ଅମଳରେ ନିର୍ମିତ ଏକ ସେତୁ ମୟୂରଭଞ୍ଜ ସହିତ କେନ୍ଦୁଝରକୁ ସଂଯୋଗ କରୁଛି। ଏହି ଦୁଇ ସେତୁ ମଧ୍ୟରେ ଦୂରତ୍ୱ ହେଉଛି ପ୍ରାୟ ୭୦ କିମି। ଦୁଇ ସେତୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ନଦୀ ଉପରେ ଆଉ କୌଣସି ପୋଲ ନାହିଁ।
ଖରାଦିନେ ଅସ୍ଥାୟୀ ବାଉଁଶ ପୋଲ କିମ୍ବା ପାଇପ ବିଛାଇ ଠାଏ ଠାଏ ପାଦଚଲା ରାସ୍ତା ନିର୍ମାଣ କରାଯାଇଥାଏ। ଲୋକେ ନାଆ ତଥା ଅସ୍ଥାୟୀ ପୋଲରେ ବାଇକ, ଗୃହପାଳିତ ପଶୁ ଓ ଜିନିଷପତ୍ର ଆଦି ବଡ଼ କଷ୍ଟରେ ନେଇଥାନ୍ତି। କିଛି ବର୍ଷ ପୂର୍ବେ ଦୋମୁହାଣୀଠାରେ ମୟୂରଭଞ୍ଜ ଜିଲାର ଶୁକୃଳି ବ୍ଲକ ସହିତ କେନ୍ଦୁଝର ଜିଲାକୁ ସଂଯୋଗ କରିବା ପାଇଁ ଏକ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ବୈତରଣୀ ନଦୀ ସେପଟରେ ଥିବା କେନ୍ଦୁଝର ଜିଲାର ରେଙ୍ଗାଳବେଡା, କେମଡିହା, ନନ୍ଦପୁର, ଉଁଚ୍ଚବାଲି, ଭଣ୍ଡା, କଂସରା, ପଦ୍ମପୁର, ପାହାଡ଼ଭଙ୍ଗା, ରାମପୁର, ବରହମପୁର କରଞ୍ଜିଆ, ଜ୍ୟୋତିପୁର, ଝୁମ୍ପୁରା ଗାଁ ସମେତ ୫୦ରୁ ଅଧିକ ଗାଁର ବାସିନ୍ଦା ହଇରାଣ ହୋଇଆସୁଛନ୍ତି। ନଦୀର ଦୁଇ ପଟର ଲୋକ ଖାଦ୍ୟ ଶସ୍ୟ ତଥା ପନିପରିବା ବିକ୍ରି ନିମନ୍ତେ ଉଭୟ ପାର୍ଶ୍ବର ହାଟମାନଙ୍କ ଉପରେ ନିର୍ଭରଶୀଳ। ମାତ୍ର ମୁକୁନା ଘାଟରେ ପୋଲ ନିର୍ମାଣ ହେଉ ନ ଥିବାରୁ ଲୋକେ ବଡ଼ ସମସ୍ୟାକୁ ସାମ୍ନା କରିଆସୁଛନ୍ତି। ବର୍ଷା ଦିନରେ ଅତ୍ୟନ୍ତ ବିପଦଜନକ ପରିସ୍ଥିତିରେ ଦେଶୀ ଦଦରା ଡଙ୍ଗାରେ ଲୋକେ ନଦୀ ପାର ହୋଇଥାନ୍ତି। ଏହି ଅଞ୍ଚଳରେ ନଦୀ ଶଯ୍ୟାରେ ବଡ଼ ବଡ଼ ପଥର ଥିବାରୁ ନାଆ ଦୁର୍ଘଟଣାକୁ ସାମ୍ନା କରିବ କି, ଏହି ଆଶଙ୍କାରେ ଲୋକେ ଭୟଭୀତ ହୋଇ ଯାତ୍ରା କରିଥାନ୍ତି। ପୋଲ ପର୍ଯ୍ୟନ୍ତ ଯିବାକୁ ନଦୀର ଦୁଇ ପାର୍ଶ୍ବରେ ଥିବା ସୁଉଚ୍ଚ କାନ୍ଥ ବର୍ଷା ପାଗରେ ଏତେ ବିପଦଜନକ ହୋଇଥାଏ ଯେ ପାଦେ ପାଦେ ଦୁର୍ଘଟଣାର ସମ୍ଭାବନା ଥାଏ। ମୁକୁନା ଗ୍ରାମ ପର୍ଯ୍ୟନ୍ତ ପ୍ରଶସ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହୋଇଛି। ବୈତରଣୀ ଉପରେ ପୋଲଟିଏ ହୋଇଗଲେ ଅଞ୍ଚଳବାସୀଙ୍କର ବହୁ ସମସ୍ୟାର ସମାଧାନ ହୋଇପାରନ୍ତା।
Comments are closed.