ଚଳନ୍ତା କାରରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

0

ନୋଏଡ଼ା : ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଭଳି କଠୋର ଆଇନ୍‌ ଅଣାଯିବା ପରେ ବି ଦେଶରେ ବଳାତ୍କାର ଭଳି ଅପରାଧ ଥମିବାର ନାମ ନେଉନାହିଁ। ଏକ ତାଜା ଘଟଣା କ୍ରମେ ଗ୍ରେଟର ନୋଏଡ଼ାଠାରେ ଏକ ଘରୋଇ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବନ୍ଧକ ରଖି ଚଳନ୍ତା କାରରେ ୩ ଜଣ ଗଣବଳାତ୍କାର କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାର ଜଣେ ସମ୍ପର୍କୀୟ ଏବଂ ଜଣେ ସହପାଠୀ ଅଛନ୍ତି । ଅଭିଯୁକ୍ତମାନେ ଚଳନ୍ତା କାରରେ ନାବାଳିକା ଜଣକୁ ସହରରେ ବୁଲାଇ ୧୧ ଘଣ୍ଟା ପର୍ଯ୍ୟନ୍ତ ବଳାତ୍କାର କରିଥିଲେ । ପରେ ରାତି ଅଧରେ ନଲେଜ ପାର୍କ ନିକଟ ନିର୍ଜନ ସଡ଼କରେ ପୀଡ଼ିତାଙ୍କୁ ଫିଙ୍ଗି ପଳାଇଥିଲେ । ପୁଲିସ୍‌ କହିବା ଅନୁସାରେ ଅପ୍ରେଲ ୧୮ରେ ଛାତ୍ରୀ ଜଣକ ସ୍କୁଲରୁ ଫେରିବା ବେଳେକୁ ସ୍କୁଲ ବସ୍‌ ଛାଡ଼ି ଦେଇଥିଲା । ଫଳରେ ସେ ଚାଲି ଚାଲି ଘରକୁ ଫେରୁଥିବାବେଳେ ତାଙ୍କର ଜଣେ ସହପାଠୀ ଓ ସମ୍ପର୍କୀୟ କାରରେ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ । କାର ଭିତରେ ମୁହଁ, ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ଜଣପ ପରେ ଜଣେ ବଳାତ୍କାର କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିବା ସହ ଥାନାରେ ନିଖୋଜ୍‌ ଏତଲା ଦେଇଥିଲେ । ରାତି ପ୍ରାୟ ସାଢେ ୧ଟା ବେଳେ ସେମାନେ ରାସ୍ତାରେ ଛାତ୍ରୀ ଜଣକୁ ଫୋପାଡି ଫେରାର ହୋଇଯାଇଥିଲେ । ପୁଲିସ୍‌ ମାମଲା ଦାଏର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରି ୩ ଦିନ ବିଳମ୍ବ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋସ୍କୋ ଆଇନରେ ମାମଲା ଦାଏର କରାଯାଇଛି । କଠୁଆ ଓ ଉନ୍ନାଓ ଗଣବଳାତ୍କାର ଘଟଣା ଦେଶରେ ଆକ୍ରୋଶ ସୃଷ୍ଟି କରିବା ପରେ ସରକାର ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ନୂଆ ନିୟମ ଆଣିଛନ୍ତି । କିନ୍ତୁ ବଳାତ୍କାର ଭଳି ଘଟଣା ହ୍ରାସ ପାଇବାର ନାମ ନେଉନାହିଁ ।

Leave A Reply