ପୂଜ୍ୟ ପ୍ରଣାମ : ରାଣୀ ଲକ୍ଷ୍ମୀବାଈ
ଆଜି ଶ୍ରାଦ୍ଧବାର୍ଷିକ
ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ଲକ୍ଷ୍ମୀବାଈ। ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା। ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସେ ଜଣେ ନାୟିକା ଥିଲେ। ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ରାଜପ୍ରାସାଦରେ ପିଲାଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ୍ତ କରିବା ଆଦି କଳାରେ ରାଣୀ ଲକ୍ଷ୍ମୀବାଈ ପାରଙ୍ଗମ ହୋଇଥିଲେ। ୧୮୪୨ରେ ରାଜା ଗଙ୍ଗାଧର ଓ ଲକ୍ଷ୍ମୀବାଈଙ୍କ ବିବାହ ହେଲା। ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳକୁ ନେଇଥିଲେ। ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ। ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା। ଦିଲ୍ଲୀର ଲାଲକିଲ୍ଲାରେ ବିପ୍ଳବ ହେବା ପରେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ। ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା। ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡାଇଥିଲେ। ମାତ୍ର ୨୯ ବର୍ଷ ବୟସରେ ୧୮୫୮ ଜୁନ୍ ୧୮ରେ ରାଣୀ ଲକ୍ଷ୍ମୀବାଈ ପ୍ରାଣ ହରାଇଥିଲେ।
Comments are closed.