ରାଜ୍ୟସଭା ଉପନିର୍ବାଚନ: ୧୩ରେ ସୁବାସଙ୍କ ଆସନ ଲାଗି ଭୋଟ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ଆସନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ଉପନିର୍ବାଚନ ତିଥି ଘୋଷଣା କରିଛନ୍ତି। କଟକ ମେୟର ପଦକୁ ନିର୍ବାଚିତ ହେବା ପରେ ଗତ ଅପ୍ରେଲ ୨୧ରେ ଶ୍ରୀ ସିଂହ ଇସ୍ତଫା ଦେଇଥିଲେ। ସାଂସଦ ଭାବେ ସୁବାସଙ୍କ କାର୍ଯ୍ୟକାଳ ୨ ଅପ୍ରେଲ ୨୦୨୬ ପର୍ଯ୍ୟନ୍ତ ରହିଥିଲା। ବକେୟା କାର୍ଯ୍ୟକାଳ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ଆୟୋଗଙ୍କ ଘୋଷଣା ଅନୁଯାୟୀ ମଇ ୨୬ରେ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଆବଶ୍ୟକ ପଡ଼ିଲେ ଜୁନ ୧୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୨ରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ଜୁନ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଜୁନ ୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହର ଶେଷ ଅବଧି ରହିଛି।

ଜୁନ ୧୩ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣନା ଅନୁଷ୍ଠିତ ହେବ। ନିର୍ବାଚନ ପ୍ରକ୍ରିୟା ଜୁନ ୧୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ନିର୍ବାଚନ ପ୍ରକ୍ରିୟାରେ କୋଭିଡ଼ ନିୟମ ଅନୁପାଳନ ଲାଗି ଜଣେ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ନିମନ୍ତେ ଆୟୋଗ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଆୟୋଗଙ୍କ ଦ୍ୱାରା ଗୁରୁବାର ଦିନ ରାଜ୍ୟର ତିନୋଟି ରାଜ୍ୟସଭା ଆସନ ଲାଗି ତିଥି ଘୋଷଣା ହୋଇଥିଲା। ଶୁକ୍ରବାର ଦିନ ଆଉ ଗୋଟିଏ ଆସନରେ ଉପନିର୍ବାଚନ ତିଥି ଘୋଷଣା ହେବା ପରେ ଓଡ଼ିଶାରୁ ସମୁଦାୟ ଚାରି ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯିବେ ।

 

Comments are closed.