ବଲିଉଡ଼ ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ୬ ମାସ ଜେଲ୍‌

0

ନୂଆଦିଲ୍ଲୀ : ବଲିଉଡ଼ର ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ୭ଟି ଚେକ୍‌ ବାଉନ୍ସ ମାମଲାରେ ଦିଲ୍ଲୀର କାରକାଡୁମା ଅଦାଲତ ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି । ତେବେ କିଛି ସମୟ ପରେ ସେ ଅଦାଲତରୁ ଜାମିନ୍‌ ପାଇଛନ୍ତି । ତେବେ ରାଜପାଲଙ୍କୁ ପ୍ରତି ମାମଲା ପିଛା ୧.୬୦ କୋଟି ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ସେହିପରି ତାଙ୍କ ପତ୍ନୀକୁ ପ୍ରତି ମାମଲା ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି । ଏହା ପୂର୍ବରୁ ଅପ୍ରେଲ ୧୪ରେ ଅଦାଲତ ରାଜପାଳ ଏବଂ ତାଙ୍କ ପତ୍ନୀଙ୍କୁ ଚେକ୍‌ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ୍‌ ମାଜିଷ୍ଟ୍ରେଟ (ପୂର୍ବ) ଅମିତ ଆରୋଡ଼ା ଏହି ମାମଲାରେ ଶୁଣାଣି କରି ସୋମବାର ରାଜପାଳଙ୍କୁ ଦଣ୍ଡାଦେଶ ପ୍ରଦାନ କରିଥିଲେ। ପରେ ସେ ଜାମିନ୍‌ ପାଇଛନ୍ତି । ଉଲ୍ଲେଖ ଯେ ଲକ୍ଷ୍ମୀନଗରସ୍ଥିତ ମୂରଲୀ ପ୍ରୋଜେକ୍ଟସ୍‌ ପାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ରାଜପାଳ ଓ ଅନ୍ୟ କେତେକଙ୍କ ବିରୋଧରେ ୭ଟି ଭିନ୍ନଭିନ୍ନ ଚେକ୍‌ ବାଉନ୍ସ ମାମଲା ଦାଏର କରିଥିଲା । ଅଭିଯୋଗକାରୀ ଦର୍ଶାଇଥିଲେ ଯେ ରାଜପାଳ ଯାଦବ ୨୦୧୦ ମଇ ମାସରେ ‘ଅତା ପତା ଲାପତା’ ନାମର ଏକ ଚଳଚ୍ଚିତ୍ର ପାଇଁ ଉକ୍ତ କମ୍ପାନୀଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ । ରାଜିନାମା ଅନୁସାରେ ରାଜପାଳଙ୍କୁ କମ୍ପାନୀକୁ ୮ କୋଟି ଟଙ୍କା ପରିଶୋଧ କରିବାର ଥିଲା । ପରିଶୋଧ ପାଇଁ ରାଜପାଳ ଦେଇଥିବା ସମସ୍ତ ଚେକ୍‌ ପରବର୍ତ୍ତୀ ସମୟରେ ବାଉନ୍ସ ହୋଇଯାଇଥିଲା ।

Leave A Reply