ରାଜସ୍ଥାନରେ କର୍ଫ୍ୟୁ ଜାରି

0

ହିନ୍ଦାଉଁ : ଅନୁସୂଚିତ ଜାତି ଏବଂ ଜନଜାତି (ଏସ୍‌ସି/ଏସ୍‌ଟି) ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବିରୋଧ କରି ଦଳିତ ସମାଜର ଭାରତ ବନ୍ଦ ପାଳନ ବେଳେ ରାଜସ୍ଥାନର ହିନ୍ଦାଉଁରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁ ନାହିଁ। ଏଠାରେ ବୁଧବାର ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳଗୁଡିକରେ ଏଯାବତ୍‌ ଇଣ୍ଟରନେଟ୍‌ ସେବା ରଦ୍ଦ କରାଯାଇଛି। ଏପ୍ରିଲ ୩ରେ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ବିଜେପି ବିଧାୟିକା ରାଜକୁମାରୀ ଏବଂ କଂଗ୍ରେସର ପୂର୍ବତନ ବିଧାୟକ ଭରୋସି ଲାଲ୍‌ ଯାଦବଙ୍କ ଘର ବିକ୍ଷୋଭକାରୀମାନେ ପୋଡିଦେଇଥିଲେ। ଏଥିସହ ବସ୍‌ରେ ଯାତ୍ରା କରୁଥିବା କିଛି ମହିଳାଙ୍କ ସହିତ ବିକ୍ଷୋଭକାରୀମାନେ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଫଳରେ ପରିସ୍ଥିତି ନିୟନ୍ତ୍ରଣାଧୀନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଏସ୍‌ଏଫ୍‌, ରାଜସ୍ଥାନ ସଶସ୍ତ୍ର କନ୍‌ଷ୍ଟାବୁଲାରୀ ଓ ସ୍ୱତନ୍ତ୍ର ଟାକ୍ସ ଫୋର୍ସର ସହାୟତା ନିଆଯାଇଥିଲା। ସେହିଭଳି ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମାଲେଗାଓଁ, ଗୋହାଡ ଏବଂ ମାଛନ୍ଦଠାରେ କେତେକ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ରଦ୍ଦ କରାଯାଇଥିଲା। ବୁଧବାର ଗ୍ୱାଲିଅରର କେତେକ ସ୍ଥାନରେ ସୁରକ୍ଷା ବାହିନୀର ଫ୍ଲାଗ୍‌ମାର୍ଚ୍ଚ କରିଛି। ଏଥିସହ ଭିଣ୍ଡ ଏବଂ ମରିନା ଜିଲାରେ କର୍ଫୁ୍ୟ ଲାଗୁ କରିବାକୁ ପଡିଛି। ସକାଳ ୧୦ରୁ ୧୨ ଟା ମଧ୍ୟରେ କେବଳ ଦୁଇ ଘଣ୍ଟା ପାଇର୍ କର୍ଫ୍ୟୁ କୋହଳ ହୋଇଥିଲା। ଭାରତ ବନ୍ଦ ବେଳେ ରାଜ୍ୟର ମନ୍ତ୍ରୀ ଲାଲ୍‌ ସିଂହଙ୍କ ଭିଣ୍ଡସ୍ଥିତ ବାସଭବନକୁ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାଏର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତ୍ୱରିତ୍‌ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦଳିତ ବର୍ଗ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ହିଂସା ଯୋଗୁ ୧୦ ଜଣ ପ୍ରାଣ ହରାଇଥିଲେ।

Leave A Reply