ଅଧ୍ୟକ୍ଷ ପଦକୁ ନେଇ ରାଜସ୍ଥାନ ବିଜେପିରେ ବିବାଦ, ଦିଲ୍ଲୀରେ ନେତାଙ୍କ ଡେରା

0

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ଠିକ୍‌ ପୂର୍ବରୁ ପ୍ରଦେଶ ବିଜେପିରେ ଅଧ୍ୟକ୍ଷ ପଦକୁ ନେଇ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମଧ୍ୟରେ ବିବାଦ ଘନାଇବାରେ ଲାଗିଛି। ବସୁନ୍ଧରା ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏହି ପଦରେ ରଖିବାକୁ ଚାହାଁନ୍ତି । ଏପଟେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯିବାର ସଂକେତ ମିଳିବା ପରେ ବସୁନ୍ଧରା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖରେ ଲବିକୁ ଜୋରଦାର କରିଛନ୍ତି । ଏଥିପାଇଁ ବସୁନ୍ଧରାଙ୍କ ସହଯୋଗୀ ୨୦ରୁ ଅଧିକ ମନ୍ତ୍ରୀ ଏବଂ ବିଧାୟକ ଯାଇ ଦିଲ୍ଲୀରେ ଡେରା ପକାଇଛନ୍ତି । ସେମାନେ କେନ୍ଦ୍ରୀୟ ନେତୃବୃନ୍ଦ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ଯୁକ୍ତି କରିଛନ୍ତି ଯେ ରାଜପୁତ ନେତା ଭାବେ ଗଜେନ୍ଦ୍ର ସିଂହ ଜଣାଶୁଣା । ମୁଖ୍ୟମନ୍ତ୍ରୀ ବସୁନ୍ଧରା ବି ରାଜପୁତ ନେତ୍ରୀ । ଏଭଳି ସମୟରେ ଗଜେନ୍ଦ୍ରଙ୍କୁ ପ୍ରଦେଶ ବିଜେପିର ଅଧ୍ୟକ୍ଷ କରାଗଲେ ଜାଟ୍‌ ସମୂଦାୟର ଲୋକେ ଅସନ୍ତୁଷ୍ଟ ହେବେ ଓ ଏହାର ପ୍ରଭାବ ଆସନ୍ତା ବିଧାନସଭା ନିର୍ବାଚନରେ ପଡିବ । ସେପଟେ ଗଜେନ୍ଦ୍ରଙ୍କ ସମର୍ଥକମାନେ କହିଛନ୍ତି ଯେ ବସୁନ୍ଧରା କୌଣସି ରାଜପୁୁତ ନେତାଙ୍କୁ ତାଙ୍କ ସମକକ୍ଷ ଆସନରେ ଦେଖିବାକୁ ଚାହୁଁନାହାନ୍ତି । ତେଣୁ ତାଙ୍କ ସମର୍ଥକାମାନେ ଦିଲ୍ଲୀରେ ଯାଇ ଲବି ଜୋରଦାର କରିଛନ୍ତି । ପ୍ରକାଶ ଯେ ଅପ୍ରେଲ ୧୬ରେ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ପଦରୁ ଅଶୋକ ପରନାମି ଇସ୍ତଫା ଦେଇଥିଲେ । ଅଧ୍ୟକ୍ଷ ପଦ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ରୀୟ ବିଜେପି ନେତୃବୃନ୍ଦ ସୂଚନା ଦେଇଛନ୍ତି ।

Leave A Reply