ଭୁବନେଶ୍ୱର,୧୭ା୧(ନି.ପ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସୁଛି। କିଛି ଅଞ୍ଚଳରେ ସ୍ୱାଭାବିକ ଶୀତ ଅନୁଭୂତ ହେଉଛି। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ଼ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଏବଂ କଟକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳରେ ୨୦ ତାରିଖରୁ ଏବଂ ଆଭ୍ୟନ୍ତରୀଣରେ ୨୧ରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ୨୩ ତାରିଖ ସୁଦ୍ଧା ଉପକୂଳରେ ରାତି ତାପମାତ୍ରା ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣରେ ୩ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ପାଗ ମେଘୁଆ ରହିବା ସହ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ରେ ସ୍ୱଳ୍ପ ବର୍ଷା ହୋଇପାରେ। ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରୁ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ୨୪ ଓ ୨୫ ତାରିଖରେ ଉପକୂଳରେ ପାଗ ମେଘୁଆ ରହିପାରେ। ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ୨୫ରୁ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ପ୍ରକୋପ ବଢ଼ିବ।



