ଆହୁରି ୨୪ଘଣ୍ଟା ବର୍ଷା;୪ଜିଲାକୁ ରେଡ଼ ୱାର୍ଣ୍ଣିଂ

0

ଭୁବନେଶ୍ୱର  : ଉପକୂଳ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ଥିର ରହିବା ଫଳରେ ରାଜ୍ୟରେ ଗତ ୨୪ଘଣ୍ଟା ଧରି ବର୍ଷା ଲାଗିରହିଛି। ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟାରେ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରାୟ ତିନିଦିନ ଧରି ବର୍ଷା ଲାଗିରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୧୯ ଜିଲାରେ ପ୍ରବଳ ବର୍ଷା ସହିତ ୪ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାର ମୁକାବିଲା ପାଇଁ ପ୍ରଶାସନକୁ ପ୍ରସ୍ତୁତ ରଖିବା ନିମନ୍ତେ ସ୍ବତନ୍ତ୍ର ରିଲିଫ କମିଶନର ସବୁ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।
ଲଘୁଚାପ ପ୍ରଭାବରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୪ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ରେଡ଼ ୱାର୍ନିଂ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେବା ସହିତ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ଏବଂ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି। ଏହାଛଡ଼ା ଗଜପତି, ନୟାଗଡ଼,
ବୌଦ୍ଧ, ସୋନପୁର, ବରଗଡ଼, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ପରବର୍ତ୍ତୀ ୨୪ଘଣ୍ଟାରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ ଆଦି ୭ଟି ଜିଲାକୁ ଅରେଞ୍ଜ ୱାର୍ନିଂ ଏବଂ କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ଅନୁଗୋଳ ଆଦି ଜିଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ୭ରୁ ୮ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ ମୟୂରଭଞ୍ଜ ଆଦି ୫ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ଓଡ଼ିଶା ଉପକୂଳ ଅଞ୍ଚଳ ସହିତ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଞ୍ଚିମ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ‌ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।
ଯେଉଁସବୁ ଜିଲାକୁ ରେଡ଼, ଅରେଞ୍ଜ ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି ସେଠିକାର ଜିଲାପାଳମାନେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟା ଓ ଭୂସ୍ଖଳନର ଆଶଙ୍କା ଥିବା ଅଞ୍ଚଳରେ ପ୍ରଶାସନକୁ ପୂରା ପ୍ରସ୍ତୁତ ରଖିବା ନିମନ୍ତେ ସ୍ବତନ୍ତ୍ର ରିଲିଫ କମିଶନର ଏସବୁ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ତଳିଆ ଓ ଜଳମଗ୍ନ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କୁ ଖାଦ୍ୟ, ପାନୀୟଜଳ ଆଦି ଯୋଗାଇଦେବା ପାଇଁ ଅଗୁଆ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ଼ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଲଘୁଚାପ ସୃଷ୍ଟି ହୋଇଥିବା ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୭.୬କିମି ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ବର୍ଷାର ପ୍ରଭାବ ଲାଗିରହିବ। ଉପକୂଳ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଗୁରୁବାର ରାତିରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଜାରି ରହିବ।
ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢ଼େଙ୍କାନାଳ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଅାଦି ୧୯ଟି ଜିଲାରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲାରେ ବର୍ଷା ହୋଇଛି। ଗୋପାଳପୁରରେ ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ସର୍ବାଧିକ ୧୦୮ମିମି ବର୍ଷା ହୋଇଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨୪ ମିମି ବର୍ଷିଛି। ଆଜି ସକାଳ ସୁଦ୍ଧା ପାରାଦ୍ବୀପରେ ୬୭ ମିମି ବର୍ଷା ହୋଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଟିଟିଲାଗଡ଼ରେ ୮୫, ଫୁଲବାଣୀରେ ୫୩,କୋରାପୁଟରେ ୩୮, ସମ୍ବଲପୁରରେ ୩୭, ଭୁବନେଶ୍ବରରେ ୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ରାତି ସୁଦ୍ଧା ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି।

Leave A Reply