ଦୁଇ ସପ୍ତାହ ପରେ ରେଳ ବଜେଟ୍: ; ପୂରଣ ହେବ କି ରାଜ୍ୟବାସୀଙ୍କ ଦାବି??

ବିଜେଡ଼ିର ଦାବି ୭ ହଜାର କୋଟି ଟଙ୍କା, କଂଗ୍ରେସର ଦାବି ୧୦ହଜାର କୋଟି

ପୂରଣ ହେବ କି  ଭୁବନେଶ୍ବର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ସେବା ସ୍ବପ୍ନ

ରାଉରକେଲା, ଯାଜପୁର ରୋଡ଼ ଓ ରାୟଗଡ଼ାରେ ଡ଼ିଭିଜନ ଦାବି ଅଣଦେଖା

ଭୁବନେଶ୍ବର :  ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ ବର୍ଷର ଆର୍ଥିକ ବଜେଟ୍ । ଏହି ବଜେଟ୍ ସହ ରେଳ ବଜେଟ ମଧ୍ୟ ଉପସ୍ଥାପନ କରାଯିବ । ସ୍ବତନ୍ତ୍ର ରେଳ ବଜେଟ ଉଚ୍ଛେଦ ପରେ ୨୦୧୭ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଉପସ୍ଥାପନ କରିଥିବା ବଜେଟରେ ରେଳ ବଜେଟ ସଂଲଗ୍ନ ହୋଇଥିଲା ଓ ସେବେଠାରୁ ପ୍ରତିବର୍ଷ ମିଳିତ ବଜେଟ୍ ଉପସ୍ଥାପନ ହୋଇ ଆସୁଛି । ହେଲେ ଏଥର ରେଳ ବଜେଟରେ ଓଡ଼ିଶା ପାଇଁ କେତେ ସମ୍ଭାବନା ନେଇ ଆସିବ ତାହାକୁ ନେଇ ସୃଷ୍ଟି ହୋଇଛି ଅୟୁତ ପ୍ରଶ୍ନ । ବିଶେଷ ଭାବରେ ବିଜେଡ଼ି ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶା ପାଇଁ ଅନ୍ୟୂନ ୭ ହଜାର କୋଟି ଟଙ୍କା ଅନୁଦାନ ଦାବି କରିଥିବାବେଳେ କଂଗ୍ରେସ ଦାବି କରିଛି ୧୦ ହଜାର କୋଟି ଟଙ୍କା । ରେଳବାଇ ଓଡ଼ିଶାରୁ ପ୍ରତିବର୍ଷ ପ୍ରାୟ ୧୩ ହଜାରରୁ ୧୫ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛି । ଦେଶର ସାମଗ୍ରିକ ମାଲ ପରିବହନରୁ ଯେତିକି ରାଜସ୍ବ ପାଉଛି ଓଡ଼ିଶାରୁ ତାହାର ୧୫% ସଂଗ୍ରହ କରୁଛି ବୋଲି କୁହାଯାଉଛି । ଏହି ସ୍ଥିତିରେ ନୂତନ ରେଳପଥ, ଅଧା ପଡ଼ିଥିବା ରେଳ ପ୍ରକଳ୍ପ, ନୂତନ ରେଳ ଚଳାଚଳ, ରେଳ ସଂପ୍ରସାରଣ ଆଦି ଅସୁମାରୀ ଦାବି ମଧ୍ୟରୁ କେନ୍ଦ୍ର ସରକାର କେତେ ପୂରଣ କରିପାରିବେ ତାହା ଉପରେ ସମସ୍ତଙ୍କ ନଜର । କେନ୍ଦ୍ରରେ ଶାସକ ବିଜେପିର ୮ ଜଣ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି; ଦୁଇଜଣ ଶକ୍ତିଶାଳୀ ମନ୍ତ୍ରୀ ଅଛନ୍ତି । ତେଣୁ ଏବେ ଯଦି ଓଡ଼ିଶାର ଦାବି ପୂରଣ ନ ହୁଏ ତେବେ କେବେ ପୂରଣ ହେବ ବୋଲି ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିଃସନ୍ଦେହରେ ୟୁପିଏ ସରକାର ତୁଳନାରେ ଏନଡ଼ିଏ ସରକାର ସମୟରେ ଓଡ଼ିଶା ରେଳବାଇ କ୍ଷେତ୍ରରେ କିଛିଟା ଗୁରତ୍ବ ପାଇଛି । ରେଳ ଅନୁଦାନ ବୃଦ୍ଧି ପାଇଛି । ମାତ୍ର ମିଳୁଥିବା ଅନୁଦାନ ଆର୍ଥିକ ବର୍ଷ ମଧ୍ୟରେ ବ୍ୟୟ ହୋଇ ପାରୁ ନ ଥିବା ଯୋଗୁଁ ତାହା ଫେରି ଯାଉଥିବା ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଛି । ବିଜେଡ଼ି ସାଂସଦମାନେ ବିଭିନ୍ନ ସମୟରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ସହଯୋଗ କରୁ ନ ଥିବା ପାଲଟା ଅଭିଯୋଗ କରିଛନ୍ତି ବିଜେପିର ନେତାମାନେ । ମାତ୍ର ଏହି ବାଦ ବିବାଦ ମଧ୍ୟରେ ଓଡ଼ିଶାରେ ରେଳ ପ୍ରକଳ୍ପର ଭାଗ୍ୟ ତ୍ରିଶଙ୍କୁ ହୋଇ ମଝି ସ୍ବର୍ଗରେ ଝୁଲି ରହିଛି । ଦୁଇ ଦଶନ୍ଧି ପରେ ମଧ୍ୟ ଖୋର୍ଧା-ବଲାଙ୍ଗିର, ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ଶେଷ ହୋଇପାରି ନାହିଁ । ଗୋପାଳପୁର-ସିଙ୍ଗାପୁର, ଭଦ୍ରାଚଳମ୍‍-ବିମଳାଗଡ଼, ବରଗଡ଼-ନୂଆପଡ଼ା, ତାଳଚେର-ଗୋପାଳପୁର ରେଳପଥ ନେଇ କୌଣସି ସ୍ପଷ୍ଟ ଚିତ୍ର ଏଯାଏ ମିଳିନାହିଁ । ସେହିପରି ରାଜଧାନୀ ଭୁବନେଶ୍ବର ଓ ପୁରୁଣା ରାଜଧାନୀ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ସେବା ଏବେ ବି ଦ୍ଵୈତନଗରୀ ବାସିନ୍ଦାଙ୍କ ପାଇଁ ସ୍ବପ୍ନରେ ଅଟକି  ଯାଇଛି । ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ନିମନ୍ତେ ଓଡ଼ିଶାର ସାଂସଦମାନେ ସଂସଦରେ ବିଭିନ୍ନ ସମୟରେ ଦାବି କରିଛନ୍ତି । ମାତ୍ର ଏହାକୁ ଗୁରୁତ୍ବ ଦିଆଯାଇ ନାହିଁ । ଆସନ୍ତା ୨୦୩୦ ମସିହା ସୁଦ୍ଧା ଦୁଇ ସହରର ଲୋକସଂଖ୍ୟା ୩୫ ଲକ୍ଷ ଟପିବା ଆକଳନ କରାଯାଇଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପ୍ରତି ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି ।

ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳପଥ ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ହୋଇଛି । ଏହି ପ୍ରକଳ୍ପର ଅଧେ ରାଜ୍ୟ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତଥାପି ପ୍ରକଳ୍ପ କାର୍ଯ୍ୟ ବିଶେଷ ଆଗେଇ ପାରିନାହିଁ । ଏହାବ୍ୟତୀତ ପୂର୍ବତଟ ଓ ପୂର୍ବ-ପଶ୍ଚିମ ପଣ୍ୟ କରିଡ଼ର ନିର୍ମାଣ, ପୁରୀ-କୋଣାର୍କ, ପାରାଦ୍ୱୀପ-ଧାମରା, ଚମ୍ପୁଆ-ଯାଜପୁର, ବାରିପଦା-ଯାଜପୁର ରୋଡ଼, ତାଳଚେର-ଅନୁଗୋଳ ସଂଯୋଗୀ ରେଳପଥ ଏବଂ ଅସମ୍ପୂର୍ଣ୍ଣ ଜଳେଶ୍ୱର-ଦୀଘା ନୂତନ ରେଳପଥ, ଦୈତାରୀ-ବାଂଶପାଣି ରେଳପଥକୁ ସମ୍ପୂର୍ଣ୍ଣ କରାଯିବା, ସମ୍ବଲପୁର -ଟିଟିଲାଗଡ଼ ଓ ଟିଟିଲାଗଡ଼-ରାୟପୁର ରେଳପଥ ଦୋହରୀକରଣ ଏବଂ ବାରଙ୍ଗ-ଭୁବନେଶ୍ୱର ତୃତୀୟ ରେଳ ଲାଇନ ଏଯାଏ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଅନ୍ୟପକ୍ଷରେ ଓଡ଼ିଶାର ୩ଟି ସ୍ଥାନ ରାୟଗଡ଼ା, ରାଉରକେଲା, ଯାଜପୁର ରୋଡ଼ରେ ରେଳ ଡ଼ିଭିଜନ ସ୍ଥାପନ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

୨୦୦୯-୧୦ରେ ରେଳ ବଜେଟ୍‍ରେ ରାଜ୍ୟ ନିମନ୍ତେ ୬୫୭.୬ କୋଟି ଟଙ୍କା ବରାଦ ହୋଇଥିଲାବେଳେ ଏବେ ଏହି ଅନୁଦାନ ପାଖାପାଖି ୮ ଗୁଣ ବୃଦ୍ଧି ପାଇ ସାରିଲାଣି । ୨୦୧୦-୧୧ ବର୍ଷରେ ରେଳ ବଜେଟରେ ଓଡ଼ିଶା ପାଇଁ ୯୦୦.୩ କୋଟି ଟଙ୍କା ବରାଦ ହୋଇଥିଲା। ୨୦୧୧-୧୨ରେ ଏହା ୧୧୦୦.୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୨-୧୩ରେ ଓଡ଼ିଶାକୁ ୭୧୯.୩ କୋଟି ଟଙ୍କା ଓ ୨୦୧୩-୧୪ ବର୍ଷରେ ୮୧୨.୫ କୋଟି ଟଙ୍କା ବରାଦ ହୋଇଥିଲା।  ୨୦୧୪-୧୫ରେ ରାଜ୍ୟକୁ ରେଳବାଇ ନିମନ୍ତେ ୧୪୬୫ କୋଟି ଟଙ୍କା ମିଳିଥିଲା। ତେବେ ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ   ୨୦୧୫ ମସିହାରେ ୩୭୧୨ କୋଟି ଟଙ୍କା, ୨୦୧୬-୧୭ରେ ୪୬୮୨ କୋଟି ଟଙ୍କା ଓ ୨୦୧୭-୧୮ ଆର୍ଥିକ ବର୍ଷରେ ୫୧୦୨ କୋଟି ଟଙ୍କା, ୨୦୧୮-୧୯ରେ ୫୨୫୨ କୋଟି ଟଙ୍କା, ୨୦୧୯-୨୦ ଆର୍ଥିକ ବର୍ଷରେ ୪୫୯୩ କୋଟି ଟଙ୍କା ଓ ୨୦୨୦-୨୧ରେ ୪୩୭୩ କୋଟି ଟଙ୍କା ବରାଦ କରାଯାଇଥିଲା ।

ମାତ୍ର ଯେତିକି ଅର୍ଥ ଓଡ଼ିଶା ନିମନ୍ତେ ବରାଦ ହୋଇଛି, କୌଣସି ବର୍ଷ ପୂର୍ର୍ଣ ଅନୁଦାନ ଖର୍ଚ ହୋଇ ପାରି ନ ଥିବା ଅଭିଯୋଗ ହୋଇ ଆସୁଛି । କଳାହାଣ୍ଡିରେ ବିଦ୍ୟୁତ୍‍ ଚାଳିତ ଇଞ୍ଜିନ ମରାମତି କାରଖାନା, ଗଞ୍ଜାମର ସୀତାପଲ୍ଲୀଠାରେ ୱାଗନ କାରାଖାନା, ବଲାଙ୍ଗୀର ଜିଲାର କଣ୍ଟାବାଞ୍ଝି ଓ ସୁନ୍ଦରଗଡ଼ ଜିଲାର ବନ୍ଧମୁଣ୍ଡାଠାରେ କଙ୍କ୍ରିଟ ସ୍ଲିପର କାରଖାନା ଓ କେବିକେରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ନେଇ ପ୍ରସ୍ତାବ ଶୀତଳଭଣ୍ଡାରରେ।  କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ଯାଜପୁର-କେନ୍ଦୁଝର ରୋଡ଼, ଖୋର୍ଦ୍ଧାରୋଡ଼, ରାୟଗଡ଼ା, ସମ୍ବଲପୁର, ବାଲେଶ୍ୱର, ଝାରସୁଗୁଡ଼ା ଓ ରାଉରକେଲା ରେଳଷ୍ଟେସନଗୁଡ଼ିକର ବିକାଶ ପାଇଁ ହୋଇଥିବା ଯୋଜନା କେବଳ ଫୁଟ୍ ଓଭରବ୍ରିଜ୍ ଓ ଯାନ୍ତ୍ରିକ ଶିଡ଼ି ମଧ୍ୟରେ ଅଟକି  ଯାଇଛି । ପୁଣି ଯେଉଁ ଯାନ୍ତ୍ରିକ ଶିଡ଼ିଗୁଡ଼ିକ ବିଭିନ୍ନ ଷ୍ଟେସନରେ ସ୍ଥାପନ ହୋଇଛି ତାହା ମଧ୍ୟ କାର୍ଯ୍ୟ କରୁ ନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି ।

 

Comments are closed.