ନୂଆଦିଲ୍ଲୀ : କର୍ଣ୍ଣାଟକ ସରକାରରେ ଦେଖାଦେଇଥିବା ସଙ୍କଟକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ ସ୍ଲୋଗାନବାଜି କରିଥିବା ଦେଖିବାକୁ ମିଳିଛି। ସପ୍ତଦଶ ଲୋକସଭାରେ ପ୍ରଥମଥର ଲାଗି ରାହୁଲ ସ୍ଲୋଗାନବାଜିରେ ସାମିଲ ହୋଇଛନ୍ତି।
ଅପରାହ୍ଣରେ ରାହୁଲ ଗୃହରେ ପହଞ୍ଚିଥିଲେ। ଏହି ସମୟରେ ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ଣ୍ଣାଟକ ପ୍ରସଙ୍ଗ ଉଠାଇବା ସହିତ ବିଜେପି ଏହାର ବିଧାୟକମାନଙ୍କୁ ପ୍ରଲୋଭିତ କରୁଥିବା ଦର୍ଶାଇଥିଲେ। ସୋମବାର ଏହି ପ୍ରସଙ୍ଗ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ ପ୍ରତିକ୍ରିୟା ରଖିସାରିଥିବାରୁ ଏହା ଉପରେ ଅଧିକ ଆଲୋଚନା କରିବାକୁ ବାଚସ୍ପତି ଓମ ବିର୍ଲା ମନା କରିଥିଲେ। ବାଚସ୍ପତିଙ୍କ ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ହୋଇ ଚୌଧୁରୀ ପୁନଃ ପ୍ରସଙ୍ଗଟିକୁ ଉତଥାପନ କରିବାକୁ ଉଦ୍ୟମ କରିଥିଲେ। ପରେ ଚୌଧୁରୀ ଏକ କାଗଜରେ ସ୍ଲୋଗାନ ଲେଖି ସହଯୋଗୀମାନଙ୍କୁ ଦେଇଥିଲେ। ଏକଚ୍ଛତ୍ରବାଦ ବନ୍ଦ କର, ଘୋଡା ବୋପାର ରାଜନୀତି ବନ୍ଦ କର ବୋଲି ଏହି ସାଂସଦମାନେ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସାଂସଦଙ୍କ ଏହି ସ୍ଲୋଗାନରେ ରାହୁଲ ସାମିଲ ହୋଇ ଅନୁରୂପ ସ୍ଲୋଗାନ ଦେଇଥିଲେ।



