ରାହୁଲ ଓ ବଲିଉଡ୍‍ ନାୟିକା ନିଧିଙ୍କ ସମ୍ପର୍କ ନେଇ ଚର୍ଚ୍ଚା

0

ମୁମ୍ବଇ : ଦିନକୁ ଦିନ କ୍ରିକେଟ ଓ ବଲିଉଡ୍‍ର ତାରକାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ତର ହେବାରେ ଲାଗିଛି। ବିରାଟ କୋହଲି-ଅନୁଷ୍କା ଶର୍ମା, ଜାହିର ଖାଁ-ସାଗରିକା ଘାଟ୍‍ଗେ, ହରଭଜନ ସିଂହ-ଗୀତ୍ରା ବାସ୍ରା ଓ ଯୁବରାଜ ସିଂହ-ହାଜେଲ୍‍ କିଚ୍‍ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି। ଏବେ ଏହି ଧାରାରେ ଯୋଡ଼ି ହୋଇ ଯାଇଛନ୍ତି ଭାରତୀୟ କ୍ରିକେଟର କେ. ଲୋକେଶ ରାହୁଲ ଓ ବଲିଉଡ୍‍ ଅଭିନେତ୍ରୀ ନିଧି ଅଗ୍ରୱାଲ। ନିକଟରେ ମୁମ୍ବଇର କର୍ନିସେ ରେଷ୍ଟୁରାଣ୍ଟରେ ରାହୁଲ-ନିଧି ଏକାଠି ରାତ୍ରିଭୋଜନ କରିବା ଦେଖାଯିବା ପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମଖେଚୁଡ଼ି ରନ୍ଧାଚାଲିଛି ବୋଲି ଜୋର୍‍ସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏପରିକି କର୍ଣ୍ଣାଟକ ବ୍ୟାଟ୍‍ସମ୍ୟାନ୍‍ ରାହୁଲଙ୍କ ଜଣେ ପ୍ରଶଂସକ ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପୃଷ୍ଠାରେ ରାହୁଲ-ନିଧିଙ୍କର ଏକାଧିକ ଫଟୋ ଛାଡ଼ିଛନ୍ତି। ଫଟୋରେ ଏହି ଦୁଇ ସେଲିବ୍ରିଟି ବେଶ୍‍ ଅନ୍ତରଙ୍ଗ ଜଣା ପଡ଼ୁଛନ୍ତି। ସୂଚନାଯୋଗ୍ୟ; ୨୫ ବର୍ଷ ବୟସ୍କା ନିଧି ଅଗ୍ରୱାଲ ହେଉଛନ୍ତି ବଲିଉଡ୍‍ର ଜଣେ ନବାଗତା ନାୟିକା। ଗତବର୍ଷ ଟାଇଗର ସ୍ରଫ୍‍ଙ୍କ ଅପୋଜିଟ୍‍ରେ ହିଟ୍‍ ଚଳଚ୍ଚିତ୍ର ‘ମୁନା ମାଇକେଲ’ରେ ବଲିଉଡ୍‍ରେ ପାଦ ଥାପିଥିଲେ ନିଧି। ଏବେ ଆଉ ଏକ ବଲିଉଡ୍‍ ଚଳଚ୍ଚିତ୍ର ପାଇଁ ନିଧି ଚୁକ୍ତି କରିଛନ୍ତି। ପୁଣି ତେଲୁଗୁ ଚଳଚ୍ଚିତ୍ର ‘ସବ୍ୟସାଚୀ’ରେ ନିଧି ଅଭିନୟ କରୁଛନ୍ତି; ଯାହାର ସୁଟିଂ ଏବେ ଚାଲିଛି। ଗଣମାଧ୍ୟମରେ କେ.ଏଲ୍‍. ରାହୁଲଙ୍କ ସହ ତାଙ୍କ ଡେଟିଂର ଖବର ପ୍ରକାଶିତ ହେବା ପରେ ମୁହଁ ଖୋଲିଛନ୍ତି ନିଧି। ସେ କହିଛନ୍ତି, ରାହୁଲ ଓ ସେ ପିଲାଦିନୁ ବାଙ୍ଗାଲୋରରେ ବଢ଼ିଛନ୍ତି। ସ୍କୁଲ୍‍ରେ ପଢ଼ୁଥିବା ବେଳେ ରାହୁଲଙ୍କୁ ସେ ଜାଣିଛନ୍ତି। ରାହୁଲ ତାଙ୍କର ଜଣେ ଭଲ ବନ୍ଧୁ। ରାହୁଲ କ୍ରିକେଟର ଏବଂ ସେ ଅଭିନେତ୍ରୀ ହେବା ଆଗରୁ ଦୁହେଁ ପରସ୍ପରଙ୍କୁ ଜାଣିଛନ୍ତି। ତେଣୁ ରାହୁଲଙ୍କ ସହ ସେ ରାତ୍ରିଭୋଜନ କରିବା ନେଇ ଏତେ ହଇଚଇ କାହିଁକି ବୋଲି ନିଧି ପ୍ରଶ୍ନ କରିଛନ୍ତି।

Leave A Reply