ମାରିଉପୋଲ୍‍ ଉପରେ ପୁଟିନଙ୍କ ବିଜୟ ଘୋଷଣା

ମସ୍କୋ/କିଭ୍‍ : ୟୁକ୍ରେନ୍‍ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବନ୍ଦର ସହର ମାରିଉପୋଲ୍‍କୁ ରୁଷ୍‍ ସୈନ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଦଖଲ କରିଥିବା ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଘୋଷଣା କରିଛନ୍ତି। ସରକାରୀ ଟେଲିଭିଜନରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ସେ କହିଛନ୍ତି ଯେ ଦୁଇମାସ କାଳ ରୁଷ୍‍ ସୈନ୍ୟ ଉକ୍ତ ବନ୍ଦର ସହରକୁ ଅବରୋଧ କରି ରଖିବା ପରେ ଶେଷରେ ସେଠାରେ ବିଜୟ ହାସଲ କରିଛନ୍ତି। ଏବେ ମଧ୍ୟ ୟୁକ୍ରେନ୍‍ର କିଛି ସୈନ୍ୟ ମାରିଉପୋଲ୍‍ରେ ଥିବା ଏକ ବିଶାଳ ଇସ୍ପାତ କାରଖାନା ମଧ୍ୟରେ ରହିଛନ୍ତି। ତେବେ ଉକ୍ତ କାରଖାନା ଭିତରେ ପଶି ୟୁକ୍ରେନ ସୈନ୍ୟଙ୍କୁ ଖୋଜି ସେମାନଙ୍କ ଉପରେ ଆକ୍ରମଣ ନକରିବାକୁ ପୁଟିନ ନିଜ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାହା ପରିବର୍ତ୍ତେ ଇସ୍ପାତ କାରଖାନାକୁ ସମ୍ପୂର୍ଣ୍ଣ ଘେରାଉ କରି ରଖିବା ଏବଂ ଗୋଟିଏ ମାଛି ଯେଭଳି ତାହା ମଧ୍ୟକୁ ପ୍ରବେଶ କରିନପାରେ ତାହା ଦେଖିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ୟୁକ୍ରେନର ଦ୍ୱିତୀୟ ବୃହତ ସହର ଖାର୍ଭିଭ ଉପରେ ରୁଷ୍‍ ସୈନ୍ୟଙ୍କ ପକ୍ଷରୁ ଜୋର୍‍ଦାର କ୍ଷେପଣାସ୍ତ, ରକେଟ ଓ ବୋମାମାଡ ଜାରି ରହିଥିବା ଖାର୍କିଭ ମେୟର ଇହୋର୍‍ ତେରେଖୋଭ କହିଛନ୍ତି। ସେ କହିଛନ୍ତି ସହରରର ବିଭିନ୍ନ ସ୍ଥାନରେ ଲଗତାର ବିସ୍ଫୋରଣ ଘଟିଚାଲିଛି। ଉକ୍ତ ସହରରେ ଏବେ ମଧ୍ୟ ପ୍ରାୟ ୧୦ ଲକ୍ଷ ଲୋକ ଅଛନ୍ତି। ମାତ୍ର ୩୦% ଲୋକ ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟତଃ ମହିଳା, ଶିଶୁ ଏବଂ ବୟସ୍କ ନାଗରିକ ଅଛନ୍ତି।
ୟୁକ୍ରେନ୍‍ରୁ ପଳାୟନ କରୁଥିବା ନାଗରିକମାନଙ୍କୁ ନିଜ ଦେଶରେ ଗ୍ରହଣ କରିବା ସକାଶେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ନାଗରିକଙ୍କର ଯଦି କେହି ଆମେରିକାରେ ପୃଷ୍ଠପୋଷକ ଥାଆନ୍ତି ତେବେ ସେମାନେ ସାମୟିକ ଭାବରେ ଆମେରିକାକୁ ଆସିପାରିବେ। ରୁଷ ବିରୋଧରେ ଲଢେଇ ଜାରି ରଖିବାକୁ ସ୍ପେନ୍‍ ସରକାର ୟୁକ୍ରେନକୁ ୨୦୦ ଟନ୍‍ ଓଜନର ସାମରିକ ଉପକରଣ ପଠାଇବାକୁ ଘୋଷଣା କରିଛନ୍ତି। ଆମେରିକା ମଧ୍ୟ ଅଧିକ ୫୦୦ ନିୟୁତ ଡଲାର ଆର୍ଥିକ ସହାୟତା ୟୁକ୍ରେନକୁ ଯୋଗାଇଦେବ ବୋଲି କହିଛି। ଏହାବ୍ୟତୀତ ୟୁକ୍ରେନକୁ ଆଉ ୮୦୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇଦେବାକୁ ବାଇଡେନ ଘୋଷଣା କରିଛନ୍ତି। ଏଥିସହିତ ମାରିଉପୋଲ୍‌କୁ ରୁଷ୍‌ ସୈନ୍ୟ ସମ୍ପୂର୍ଣ୍ଣ ଦଖଲ କରିଥିବା ସମ୍ପର୍କରେ ପୁଟିନଙ୍କ ଦାବିକୁ ନେଇ ବାଇଡେନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ମାରିଉପୋଲ୍‌ ରୁଷ୍‌ ସେନା ହାତରେ ସମ୍ପୂର୍ଣ୍ଣ ଭାବରେ ପଡିସାରିଥିବା ନେଇ କୋୖଣସି ପ୍ରମାଣ ନାହିଁ।
ଇତିମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‍ସ୍କି କହିଛନ୍ତି, ରୁଷ୍‍ ସୈନ୍ୟମାନେ ମାରିଉେପୋଲ୍‍ ଦଖଲ କରିଥିଲେ ମଧ୍ୟ ଏବେ ବି ସେଠାରେ କିଛି ଅଂଶରେ ୟୁକ୍ରେନ ସୈନ୍ୟ ଅଛନ୍ତି। ଜାତିସଂଘ ପକ୍ଷରୁ କୁହାଯାଇଛି, ଇତିମଧ୍ୟରେ ୟୁକ୍ରେନ୍‍ରୁ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ଅନ୍ୟତ୍ର ପଳାଇ ଯାଇଛନ୍ତି। ଆସନ୍ତା ଜୁନ୍‍ ମାସରେ ବିଶ୍ୱ ଐତିହ୍ୟ ଉପରେ ରୁଷ୍‍ରେ ହେବାକୁ ଥିବା ୟୁନେସ୍କୋ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଇତିମଧ୍ୟରେ ରୁଷ୍‍ ପକ୍ଷରୁ କୁହାଯାଇଛି ଯେ ଏହା ଲାଟଭିଆ, ଲିଥୁଆନିଆ ଏବଂ ଇସ୍ତୋନିଆରେ ଥିବା ନିଜର ଦୂତାବାସ ବନ୍ଦ କରିଦେଇଛି। ସେହିସବୁ ବଲଟିକ ରାଷ୍ଟ ମସ୍କୋରେ ଥିବା ସେମାନଙ୍କର ବାଣିଜ୍ୟ ଦୂତାବାସଗୁଡିକୁ ବନ୍ଦ କରିଦେବା ଜବାବରେ ରୁଷ ଏଭଳି ପଦକ୍ଷେପ ନେଇଛି।

kalyan agarbati

Comments are closed.