ରୁଷ୍‌ର ଦୁଇ ପାଟ୍ରୋଲିଂ ଡଙ୍ଗା ଧ୍ବସଂ

କର୍କଟ ଚିକିତ୍ସା ପାଇଁ କ୍ଷମତା ହସ୍ତାନ୍ତର କରିବେ ପୁଟିନ୍‌

କିଭ୍‌ : କୃଷ୍ଣ ସାଗରରେ ମୁତୟନ ଥିବା ରୁଷ୍‌ର ଦୁଇଟି ପାଟ୍ରୋଲିଂ ଡଙ୍ଗା (ରାପଟର ବୋଟ)କୁ ୟୁକ୍ରେନ ନଷ୍ଟ କରିଦେଇଥିବା ଦାବି କରିଛି। ତୁର୍କୀ ନିର୍ମିତ ସାମରିକ ଡ୍ରୋନ ବାରାକତର ସାହାଯ୍ୟରେ ୟୁକ୍ରେନ ରୁଷ୍‌ର ପାଟ୍ରୋଲିଂ ଡଙ୍ଗାକୁ ନଷ୍ଟ କରିଛି। କୃଷ୍ଣ ସାଗରର ସ୍ନେକ ଦ୍ବୀପ ନିକଟରେ ରୁଷ୍‌ ଏହାର ଦୁଇଟି ରାପଟର ବୋଟ ମୁତୟନ କରିଥିବାବେଳେ ଏହାକୁ ସୋମବାର ସକାଳେ ନଷ୍ଟ କରିଦିଆଯାଇଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ରୁଷ୍‌ର ରାପଟର ବୋଟ ନଷ୍ଟ କରିବାର ଦୃଶ୍ୟକୁ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ପ୍ରତି ରାପଟର ବୋଟ୍‌ରେ ୩ଜଣ ନାବିକଙ୍କ ସହିତ ୨୦ଜଣ ସେନା କର୍ମଚାରୀ ନିୟୋଜିତ ଥିଲେ। ଏଥିରେ ଅତ୍ୟାଧୁନିକ ମେସିନ ଗନ ଖଞ୍ଜା ଯାଇଥାଏ। ଏହା ପୂର୍ବରୁ ଏପ୍ରିଲ ମଧ୍ୟ ଭାଗରେ ରୁଷ୍‌ର ଯୁଦ୍ଧ ଜାହାଜ ମୋସ୍କାଭାକୁ ୟୁକ୍ରେନ ସେନା କ୍ଷେପଣାସ୍ତ୍ର ମାଡ କରି ଧ୍ବଂସ କରିଦେଇଥିଲେ। ସେହିପରି ରୁଷ୍‌ ଦାବି କରିଛି ଯେ ଏହା ୟୁକ୍ରେନର ମିଗ୍-୨୯ ଯୁଦ୍ଧବିମାନକୁ ସ୍ଲୋଭିଆନ୍କ ନିକଟରେ ଧ୍ବଂସ କରିଦେଇଛି।
ଅନ୍ୟପଟେ ପୂର୍ବ ୟୁକ୍ରେନର ମାରିଉପୋଲ୍‌ରେ ରୁଷ୍‌ ଏହାର ଆକ୍ରମଣକୁ ଜୋରଦାର କରିଛି। ରୁଷ୍‌ର ଘନଘନ ଆକ୍ରମଣ ଯୋଗୁ ମାରିଉପୋଲ୍‌ରେ ସାଧାରଣ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଶନିବାର ମାରିଉପୋଲ୍‌ର ଆଜୋଭସ୍ଥଳ କାରଖାନା ମଧ୍ୟରୁ ୧୦୦ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସୋମବାର ଅଧିକ ଲୋକଙ୍କ ଉଦ୍ଧାର ନିମନ୍ତେ ୟୁନିସେଫ ଓ ଅନ୍ୟ ଆନ୍ତର୍ଜାତିକ ଏନଜିଓର ଗାଡିଗୁଡିକ ୟୁକ୍ରେନର ଝାପୋରଝାଜିଆରେ ପହଞ୍ଚିଥିଲେ। ମାତ୍ର ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନଥିଲା। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଦୁଇଦେଶର ଯୁଦ୍ଧ ଅନ୍ତ ନେଇ କୌଣସି ନିଷ୍କର୍ଷ ବାହାରି ପାରୁ ନାହିଁ। ଏହି ଯୁଦ୍ଧରେ ୟୁକ୍ରେନର ୩୧୫୩ଜଣ ସାଧାରଣ ନାଗରିକ ପ୍ରାଣ ହରାଇଲେଣି ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଯୁଦ୍ଧ ଶେଷ ହୋଇପାରୁ ନଥିବାବେଳେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମତା ହସ୍ତାନ୍ତର ପାଇଁ ଯୋଜନା କରିଛନ୍ତି। ପୁଟିନ ଏବେ କର୍କଟ ରୋଗରେ ପୀଡିତ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ରୋଗର ଚିକିତ୍ସା କରିବା ଏବେ ଜରୁରୀ ହୋଇପଡ଼ିଛି। ତେଣୁ ସେ କ୍ଷମତା ହସ୍ତାନ୍ତର କରି ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହେବେ। ତେବେ ପୁଟିନଙ୍କ ଠାରୁ କିଏ ଦାୟିତ୍ବ ନେବ ଓ ଏହାକୁ କିଏ ସମ୍ଭାଳିବ ତାହା ଏବେ ରୁଷ୍‌ ପାଇଁ ଚିନ୍ତାର ବିଷୟ ହୋଇଛି। ପୁଟିନ ତାଙ୍କ ଦାୟିତ୍ବ ହସ୍ତାନ୍ତର ଲାଗି ସଂଘୀୟ ସୁରକ୍ଷା ସେବାର ମୁଖ୍ୟ ନିକୋଲାଇ ପାତ୍ରୁଶେଭଙ୍କୁ ବାଛିଥିବା କୁହାଯାଉଛି। ୭୦ ବର୍ଷୀୟ ପାତ୍ରୁଶେଭ୍ ରୁଷ ସୁରକ୍ଷା କାଉନ୍‌ସିଲ୍‌ର ସଚିବ ଥିବା ବେଳେ ବର୍ତ୍ତମାନ ଯୁଦ୍ଧରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ଯୁଦ୍ଧର ମୁଖ୍ୟ ରଣନୀତିକାର ପାତ୍ରୁଶେଭ୍। ତେଣୁ ତାଙ୍କୁ ହିଁ କ୍ଷମତା ଦେବାକୁ ପୁଟିନ ସ୍ଥିର କରିଥିବା ସୂଚନା ମିଳିଛି।

kalyan agarbati

Comments are closed.