ରଥଯାତ୍ରାରେ ପୁରୀକୁ ଜଗିବ ଏଆଇ କ୍ୟାମେରା; ଶ୍ରଦ୍ଧାଳୁଙ୍କୁ ତଥ୍ୟଦେବ ସ୍ବତନ୍ତ୍ର ଆପ୍

ପୁରୀ : ଆଗାମୀ ରଥଯାତ୍ରାରେ ସମଗ୍ର ପୁରୀ ସହରକୁ ଜଗିବ ଏଆଇ କ୍ୟାମେରା। ରେଳ ଷ୍ଟେସନଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡ ଏବଂ ସମୁଦ୍ର କୂଳରେ ପ୍ରଥମଥର ପାଇଁ ଏଆଇର ପ୍ରୟୋଗ କରାଯିବ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଏହାର ଅଭୂତପୂର୍ବ ସଫଳତା ପରେ ପୁରୀ ରଥଯାତ୍ରାରେ ଏହାର ଉପଯୋଗ ପାଇଁ ସ୍ଥିର କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୋମବାର ଏ ବିଷୟରେ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ବତନ୍ତ୍ର ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ସେ କହିଲେ, ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ଏହି ଆପ୍‌ରୁ ଗାଡ଼ି ପାର୍କିଂ, ଟ୍ରାଫିକ୍‌ ନିୟନ୍ତ୍ରଣ, ଅସ୍ଥାୟୀ ବିଶ୍ରାମ ସ୍ଥଳ, ବସ୍ ଓ ଟ୍ରେନ୍‌ ଚଳାଚଳ, ମାଗଣା ଖାଦ୍ୟ, ସ୍ବାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ରଥଯାତ୍ରା ନୀତି ନିର୍ଘଣ୍ଟ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଚଳିତ ବର୍ଷ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଏଥିପାଇଁ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ଉପରେ ଗୁରୁତ୍ବ ଦିଆଯିବ। ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ଡ କାଠ ଆସି ପୁରୀରେ ପହଞ୍ଚିଛି। ଆଗାମୀ ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ। ଜୁନ୍‌ ୨୭ରେ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ହେବ। ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଲୋକଙ୍କ ସମାଗମ ହେବ। ବର୍ଷା ଋତୁରେ ରଥଯାତ୍ରା ହେଉଥିବାରୁ ବଡ଼ଦାଣ୍ଡ ସମେତ ପୁରୀ ସହରରୁ ବର୍ଷାଜଳ ନିଷ୍କାସନ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଗହଳି ନିୟନ୍ତ୍ରଣ ଏବଂ ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୦୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ପୂର୍ବ ଅଭିଜ୍ଞତା ଥିବା ୨ ହଜାର ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବ ଦିଆଯିବ। ଏହାଛଡ଼ା ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ନଳା ସଫେଇ, ସ୍ବତନ୍ତ୍ର ବସ୍ ଓ ରେଳ ଚଳାଚଳ, ପରିମଳ, ସ୍ବାସ୍ଥ୍ୟ ସେବା, ଅସୁରକ୍ଷିତ କୋଠା ଚିହ୍ନଟ, ଜାତୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ  ଶରତ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ ନୀଳମାଧବ ଭୋଇ, ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲାପାଳ ରାଜକିଶୋର ଜେନା, ରାସ୍ତା ଓ ଗୃହନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ପରିବହନ ବିଭାଗ ସ୍ବତନ୍ତ୍ର ଅଧିକାରୀ ରବିନ୍‌ଚନ୍ଦ୍ର ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.