ଘଣ୍ଟ ଓ କାହାଳୀ ଶବ୍ଦରେ ଫାଟିପଡ଼ୁଛି ଶରଧାବାଲି; ଦର୍ପଦଳନ ରଥରେ ବିଜେ କଲେ ଭଉଣୀ ସୁଭଦ୍ରା
ପୁରୀ: ଶରଧାବାଲିରେ ଦର୍ପଦଳନ ରଥରେ ବିଜେ କରିଛନ୍ତି ଭଉଣୀ ସୁଭଦ୍ରା । ସୁଭଦ୍ରାଙ୍କ ପହଣ୍ଡି ସରିବା ପରେ ସେବାୟତ ମାନେ ତାଙ୍କୁ ରଥରେ ବିରାଜମାନ କରାଇଛନ୍ତି । ଭଉଣୀ ସୁଭଦ୍ରାଙ୍କୁ ସେବାୟତ ମାନେ ହାତରେ ଝୁଲାଇ ଝୁଲାଇ ଦର୍ପଦଳନରେ ବିଜେ କରାଇଥିବା ବେଳେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ । ଧାଡି ପହଣ୍ଡିରେ ମହାପ୍ରଭୁ ନନ୍ଦିଘୋଷ ରଥରେ ବିଜେ କରିବେ ।
ରଥରେ ଶ୍ରୀଜୀଉ ମାନଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଗଜପତି ମହାରାଜ ଛେରା ପହଁରା କରିବାର ପରମ୍ପରା ରହିଛି । ଗଜପତି ଛେରା ପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇ ରଥଟଣା ଆରମ୍ଭ ହେବ ।
ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ତାଳଧ୍ୱଜ ରଥରେ ବଳଭଦ୍ର, ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ରତ୍ନବେଦୀକୁ ବାହୁଡ଼ିବେ ମାହାପ୍ରଭୁ ଶ୍ରୀ ଜଗନ୍ନାଥ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଭକ୍ତାରଣ୍ୟ ହୋଇଛି ଶରଧାବାଲି । ଶ୍ରୀକ୍ଷେତ୍ରରେ ସକାଳୁ ସକାଳୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ସୁରକ୍ଷା ଓ ମହାପ୍ରଭୁଙ୍କ ରୀତିନୀତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଯେପରି ଭକ୍ତ ମାନଙ୍କ କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ୟାପକ ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ସହ ପୁଲିସ ମୁତୟନ ହୋଇଛନ୍ତି । ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଭୋର୍ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ନୀତି ନିର୍ଘଣ୍ଟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ ବୋଲି କୁହାଯାଇଥିଲା । ହେଲେ ସେବାୟତ ମାନେ ଶ୍ରୀଜୀଉ ମାନଙ୍କ ଶୀଘ୍ର ପହଣ୍ଡି ବିଜେ ଆରମ୍ଭ କରିଛନ୍ତି । ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି କୁହାଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣାଯିବ ବୋଲି ଅନୁମାନ କରାଯାଉଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି ।
Comments are closed.