ପୁରୀ ଘୋଷଯାତ୍ରା, ଭକ୍ତ ଟାଣିବେ ରଥ

ପୁରୀ : ଚଳିତବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଦୁଇବର୍ଷ ପରେ ତିନିରଥ ଟାଣିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଏବଂ ସ୍ନାନଯାତ୍ରା ଦେଖିବାକୁ ଏବର୍ଷ ଭକ୍ତଙ୍କୁ ଅନୁମତି ଦିଆଯିବ। ଶ୍ରୀରାମ ନବମୀ ତିଥିରେ ପରମ୍ପରା ଅନୁଯାୟୀ ରବିବାର କଟକ ଖପୁରିଆ କରତକଳରେ ରଥକାଠ ଚିରଟ ଅନୁକୂଳ ହୋଇଛି। ମେ ୩ତାରିଖ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବ ତିନିରଥ ନିର୍ମାଣ। ଏପର୍ଯ୍ୟନ୍ତ ୮୧ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଛି। କରୋନା ସଂକ୍ରମଣ ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସ୍ବାଭାବିକ ହୋଇଛି। ତେଣୁ ଚଳିତବର୍ଷ ଭକ୍ତଙ୍କ ସମାଗମରେ ରଥଯାତ୍ରା କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ଜୁଲାଇ ୧ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା (ଶ୍ରୀଗୁଣ୍ଡିଚା) ଅନୁଷ୍ଠିତ ହେବ। ବର୍ତ୍ତମାନ ପରି ଯଦି ସ୍ଥିତି ସ୍ବାଭାବିକ ରହିଥାଏ ପ୍ରାୟ ୧୦ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଅଂଶଗ୍ରହଣ
କରିବେ। ଏଥିପାଇଁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶନିବାର ଅଶୋକାଷ୍ଟମୀ ତିଥିରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ସ୍ବାଭାବିକ ହୋଇଥିବାରୁ ପୁରୀ ରଥଯାତ୍ରା ଶ୍ରଦ୍ଧାଳୁ ଭକ୍ତଙ୍କୁ ନେଇ କରାଯିବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପ୍ରଶାସନିକସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ରଥ ସଂହିତାରେ ଥିବା ବ୍ୟବସ୍ଥା ଅନୁଯାୟୀ ଅକ୍ଷୟ ତୃତୀୟା ପରେ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାସ୍ତା ମରାମତି, ନଳାସଫା, ନିରବଚ୍ଛିନ୍ନ ବିଜୁଳି ଓ ପାନୀୟଜଳ ଯୋଗାଣ, ଅସ୍ଥାୟୀ ବିଶ୍ରାମସ୍ଥଳ ଏବଂ ସ୍ବତନ୍ତ୍ର ରେଳଗାଡ଼ି ଓ ବସ୍‌ ଚଳାଚଳ ବ୍ୟବସ୍ଥା କରାଯିବ।
ଏ ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଦୁଇବର୍ଷ ପରେ ପୁରୀ ରଥଯାତ୍ରାରେ ସାମିଲ ହେବାକୁ ଭକ୍ତମାନେ ସୁଯୋଗ ପାଇବେ। ତେଣୁ ପୂର୍ବାପେକ୍ଷା ଭକ୍ତଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇବା ସମ୍ଭାବନା ରହିଛି। କରୋନା ବିପତ୍ତି ଦୂରେଇ ଯାଇଥିବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ଭକ୍ତଙ୍କୁ ନେଇ କରାଯିବାକୁ କେତେକ ସଂଗଠନ ଏବଂ ସେବାୟତ ଦାବି କରିଛନ୍ତି। ସୂଚନା ଅନୁଯାୟୀ ମେ ୩ତାରିଖ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ସମେତ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ। ଜୁନ୍‌ ୧୪ତାରିଖରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ଜୁଲାଇ ୧ରେ ଶ୍ରୀଗୁଣ୍ଡିଚା ଯାତ୍ରା, ୮ରେ ନବମୀ ସନ୍ଧ୍ୟା ଦର୍ଶନ, ୯ରେ ବାହୁଡ଼ାଯାତ୍ରା ଏବଂ ୧୦ତାରିଖ ଦିନ ରଥ ଉପରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। ନବଦିନବ୍ୟାପୀ ଘୋଷଯାତ୍ରା ‌େଶଷକରି ଜୁଲାଇ ୧୨ତାରିଖରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ (ନୀଳାଦ୍ରି ବିଜେ) କରିବେ।
କେଉଁଦିନ କେଉଁ ନୀତି
ତା ୩.୦୫.୨୦୨୨ : ଅକ୍ଷୟ ତୃତୀୟା (ରଥ ନିର୍ମାଣ ଅନୁକୂଳ)
ତା ୧୪.୦୬.୨୦୨୨ : ସ୍ନାନଯାତ୍ରା, ମହାପ୍ରଭୁଙ୍କ ଗଜାନନ ବେଶ
ତା ୧.୦୭.୨୦୨୨ : ରଥଯାତ୍ରା (ଶ୍ରୀଗୁଣ୍ଡିଚା)
ତା ୫.୦୭.୨୦୨୨ : ହେରା ପଞ୍ଚମୀ
ତା ୮.୦୭.୨୦୨୨ : ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ
ତା ୯.୦୭.୨୦୨୨ : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
ତା ୧୦.୦୭.୨୦୨୨ : ରଥ ଉପରେ ଠାକୁରଙ୍କ ସୁନାବେଶ
ତା ୧୧.୦୭.୨୦୨୨ : ରଥ ଉପରେ ଅଧରପଣା ଭୋଗ
ତା ୧୨.୦୭.୨୦୨୨ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

kalyan agarbati

Comments are closed.