ପୁରୀ ପାଇଁ ଆଉ ୩ ନୂଆ ପ୍ରକଳ୍ପକୁ ଅନୁମୋଦନ

‘ବିଶ୍ବ ଐତିହ୍ୟ ନଗରୀ’ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

-ଐତିହ୍ୟ ସୁରକ୍ଷା ଜୋନର ପୁନର୍ବିନ୍ୟାସ କରାଯିବ
-ଗଠନ ହେବ ବିଶେଷଜ୍ଞ କମିଟି
-ମେଘନାଦ ପାଚେରି ଠାରୁ ୭୫ ମିଟର ମଧ୍ୟରେ ଚଳାଚଳ ପାଇଁ ରହିବ ୧୫ ମିଟରର ରାସ୍ତା
-୬୦ ମିଟର ଅଞ୍ଚଳର ପୁନର୍ବିନ୍ୟାସ ହେବ
-ଏମାର ମଠର କିଛି ଅଂଶରେ ପୁନଃନିର୍ମିତ ହେବ ରଘୁନନ୍ଦନ ପାଠାଗାର
-ବିସ୍ଥାପିତ ପରିବାର ପାଇଁ ଦେଢ଼ କିମି ମଧ୍ୟରେ ନିର୍ମିତ ହେବ ୬୦୦ ବାସଗୃହ

ଭୁବନେଶ୍ବର : ପୁରୀକୁ ‘ବିଶ୍ବ ଐତିହ୍ୟ ନଗରୀ’ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଗୁରୁବାର ଆଉ ତିନିଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରି ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦେହରାଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଐତିହ୍ୟ ସୁରକ୍ଷା ଅଞ୍ଚଳକୁ ଏକ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି।
ପୁରୀର ଭିତ୍ତିଭୂମି ବିକାଶ, କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ମଠ ପୁନରୁଦ୍ଧାର ନିମନ୍ତେ ସରକାର ଗତ ୨୩ ତାରିଖରେ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସମ୍ପର୍କରେ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତାବିତ ‘ଐତିହ୍ୟ ନଗରୀ ପ୍ରକଳ୍ପ’ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଏହି ନୂଆ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇଛନ୍ତି।
ଐତିହ୍ୟ ସୁରକ୍ଷା ଅଞ୍ଚଳ ଭାବେ ଶ୍ରୀମନ୍ଦିରର ୭୫ ମିଟର ଅଞ୍ଚଳ ମଧ୍ୟରେ ଏହାର ପବିତ୍ର ଭୌ​‌େ​‌ଗାଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲିଷ୍ଟ ବୃକ୍ଷଲତା, କଳା, ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳର ପୁନର୍ବିନ୍ୟାସ କରାଯିବ। ଜଗନ୍ନାଥ ସଂସ୍କୃତି, ଶ୍ରୀମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଐତିହ୍ୟ, କଳା ଇତିହାସ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବୃକ୍ଷଲତାକୁ ଭିତ୍ତି କରି ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟକ୍ରମ କରାଯିବ ତା’ର ପରିଚାଳନା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହାବ୍ୟତୀତ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ଚଳାଚଳ ପାଇଁ ୧୫ ମିଟର ଅଞ୍ଚଳରେ ରାସ୍ତା ରଖାଯିବ। ଅବଶିଷ୍ଟ ୬୦ ମିଟର ଅଞ୍ଚଳର ପୁନର୍ବିନ୍ୟାସ ହେବ। ଏହା ପ୍ରଥମ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି। ସେହିପରି ଦ୍ବିତୀୟ ପ୍ରକଳ୍ପରେ ଏମାର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ପାଠାଗାର ପୁନଃନିର୍ମାଣ ହେବ। ଏହି ପାଠାଗାରକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। ସେହିପରି ତୃତୀୟ ପ୍ରକଳ୍ପରେ ବିସ୍ଥାପିତ ପରିବାର ପାଇଁ ଶ୍ରୀମନ୍ଦିର ଠାରୁ ଦେଢ଼ କିମି ଅଞ୍ଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ୬୦୦ ଗୃହ ନିର୍ମାଣ କରାଯିବ। ପ୍ରତ୍ୟେକ ଘରର ନିର୍ମାଣ ଅଞ୍ଚଳ ୫୨୦ ବର୍ଗଫୁଟ ରହିବ। ଏଥିପାଇଁ ୯୫ କୋଟି ଟଙ୍କା ବ୍ୟୟ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ପୁରୀ ପାଇଁ ଅବଢ଼ା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷାନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ପ୍ରକଳ୍ପର ଏହି ସମସ୍ତ ଯୋଜନା ପାଇଁ ନକ୍ସା ପ୍ରସ୍ତୁତ ହୋଇସାରିଛି। ଏ ସମସ୍ତ ପ୍ରକଳ୍ପ ପାଇଁ ଖୁବଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ ହେବ। ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୂର୍ତ୍ତ ସଚିବଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave A Reply