ଆଜି ନବଯୌବନ ଦର୍ଶନ

0

ପ୍ରତୀକ୍ଷାର ଅନ୍ତ ଘଟିଲା। ଶୁକ୍ରବାର ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ୧୪ଦିନ ପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଦୁଃଖସୁଖ ଜଣାଇବେ ଶ୍ରଦ୍ଧାଳୁ। ଏହି ବିରଳ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଭକ୍ତ ଓ ଭଗବାନ। ତାହାକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର (ବନକଲାଗି) କରାଯାଇଛି। ଅଣସର ଘରେ ଦଇତାପତିମାନେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରିଛନ୍ତି। ଶେଷଥର ପାଇଁ ପଣା ଓ ଚକଟା ଭୋଗ କରାଯାଇଛି। ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛନ୍ତି କାଳିଆ ଠାକୁର।
ଶୁକ୍ରବାର ଅମାବାସ୍ୟା ତିଥିରେ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ପ୍ରଭୁଙ୍କ ଅଣସର ସମୟରେ ପୂଜା ପାଉଥିବା ପଟ୍ଟିଦିଅଁ ତଥା ଦଶାବତାର ଠାକୁର ବାହୁଡା ବିଜେ କରିବେ। ଅଣସର ତାଟି ଫିଟାଯିବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଭିତରକାଠ ପାଖରେ ପରିମାଣିକ ଦର୍ଶନ ଅନୁଷ୍ଠିତ ହେବ। ଏହାପରେ ଦିନ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିଛି। ଭିତରକାଠ ପାଖରୁ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ଏହାପରେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରାଯାଇ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ ଏବଂ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ। ଦାରୁବ୍ରହ୍ମଙ୍କୁ ଗୋପାଳବଲ୍ଲଭ, ସକାଳଧୂପରେ ଖେଚୁଡିଭୋଗ ଓ ଭୋଗମଣ୍ଡପ କରାଯିବ। ଅପରାହ୍ଣ ୪ଟାରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ। ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯିବେ। ଶ୍ରୀନଅର ସମ୍ମୁଖ ରଥଖଳାରୁ ତିନିରଥ ସିଂହଦ୍ବାରକୁ ଅଣାଯିବ। ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ପହୁଡଆଳତି ପରେ ଦଇତାପତିମାନେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିବେ। ରଥଯାତ୍ରା ପହଣ୍ଡି ପାଇଁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ। ଶ୍ରୀଜୀଉଙ୍କ ଦୁର୍ଲଭ ନବଯୌବନ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Leave A Reply