ଜେଲରୁ ଖସିଯିବା ଉଦ୍ୟମ ମାମଲା : ପୁଞ୍ଜିଲାଲ ମେହେରଙ୍କୁ ସର୍ତ୍ତମୂଳକ ଜାମିନ

ବଲାଙ୍ଗିର/ପାଟଣାଗଡ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଭଇଁଷା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗିରଫ ହୋଇଥିଲେ। ତାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିଲା। ଜାମିନ ନମିଳିବାରୁ ତାଙ୍କୁ ପାଟଣାଗଡ ଜେଲରେ ରଖା ଯାଇଥିଲା । ୨୦୧୯ ଜାନୁଆରୀ ୨୦ ତାରିଖରେ ସେ ଜେଲରୁ ଖସିଯିବାକୁ ଉଦ୍ୟମ କରିଥିଲେ। ଅନ୍ୟ ଜେଲ ଅନ୍ତେବାସୀଙ୍କୁ ଉସୁକାଇ ଜେଲରେ ଧାରଣା ଦେଇଥିଲେ। ଜେଲ ରହଣି ବେଳେ ଏଭଳି ଅନେକ ଘଟଣା ଘଟାଇ ସେ ବିବାଦରେ ଛନ୍ଦି ହୋଇଥିଲେ। ବୁଧବାର ବଲାଙ୍ଗିର ଜେଲରୁ ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପାଟଣାଗଡ ଜେଲରୁ ଖସିଯିବାକୁ ଉଦ୍ୟମ ନେଇ ହୋଇଥିବା ମାମଲାରେ ତାଙ୍କୁ ୨୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି । କିନ୍ତୁ ତାଙ୍କ ନାଁରେ ଅନ୍ୟ ମାମଲା ଥିବାରୁ ସେ ଜେଲରୁ ବାହାରକୁ ଆସିପାରିବେ ନାହିଁ। ସୂଚନା ଯୋଗ୍ୟ, ପାଟଣାଗଡ ଜେଲରୁ ଫେରାର ଉଦ୍ୟମ ମାମଲାରେ ୬ଜଣଙ୍କ ନାଁରେ ମାମଲା ରୁଜୁ ହେଇଥିଲା । ଅନ୍ୟମାନେ ଜାମିନ ପାଇ ନିର୍ଦ୍ଧାରିତ ତାରିଖରେ ହାଜିରା ଦେଉଛନ୍ତି। ତେବେ ଏହି ଫେରାର ମାମଲାରେ ପୁଞ୍ଜିଲାଲଙ୍କୁ ଜାମିନ ମିଳି ନଥିବା ବେଳେ ବୁଧୁବାର କୋର୍ଟ ଜାମିନ ଦେଇଥିବା ସୂଚନା ମିଳିଛି।
kalyan agarbati

Comments are closed.