ଚଣ୍ଡିଗଡ଼: ଅନ୍ୟ ବିରୋଧୀ ଦଳ ଶାସିତ ରାଜ୍ୟ ଭଳି ପଞ୍ଜାବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିବାଦ ଏବେ ଚରମ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରପତି ଶାସନ ଜାରି ପାଇଁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶୁକ୍ରବାର ଧମକ ଦେବା ପରେ ଶନିବାର ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ମୁକାବିଲା କେମିତି କରାଯାଏ ତାହା ପଞ୍ଜାବୀମାନେ ଭଲ ଭାବେ ଜାଣିଛନ୍ତି ବୋଲି ମାନ୍ ରାଜ୍ୟପାଳଙ୍କୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟପାଳ ପୁରୋହିତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଜାବରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ନିଶା ଜନିତ ଅପରାଧ ସମ୍ପର୍କରେ ତୁରନ୍ତ ରିପୋର୍ଟ ମାଗିଥିଲେ। ଏଥିସହିତ ତାଙ୍କ ଚିଠିର ଜବାବ ନଦେଲେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ସମ୍ବିଧାନର ଧାରା ୩୬୫ ଆଧାରରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ ବୋଲି ଧମକ ଦେଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ସେ କହିଥିଲେ। ଏହାର ଜବାବରେ ମାନ୍ ଶନିବାର ଚିଠି ଲେଖି ରାଜ୍ୟପାଳଙ୍କୁ ଜଣାଇଛନ୍ତି ଯେ ସାଢ଼େ ୩କୋଟି ପଞ୍ଜାବୀ କେମିତି ଦମନମୂଳକ ନୀତିର ଜବାବ ଦିଆଯାଏ ତାହା ଜାଣିଛନ୍ତି। ରାଜ୍ୟପାଳ ପ୍ରଶ୍ନ କରିଥିବା ୧୬ଟି ପ୍ରସଙ୍ଗ ମଧ୍ୟରୁ ତାଙ୍କ ସରକାର ୯ଟିର ଜବାବ ଦେଇଛନ୍ତି। ଅବଶିଷ୍ଟ ୭ଟିର ଉତ୍ତର ଯଥା ସମୟରେ ଦିଆଯିବ। ମାଦକ ଦ୍ରବ୍ୟ କାରବାର ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ମାନ୍ କହିଛନ୍ତି ଯେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ; ସାଧାରଣ ପଞ୍ଜାବୀ ନାଗରିକ ଭାବେ ଏହି ଜବାବ ରଖୁଥିବା କହିଛନ୍ତି। ପଞ୍ଜାବୀମାନେ ଦେଶର ସୀମାନ୍ତ ରକ୍ଷା କରିବା ସହ ସବୁଜ ଆନ୍ଦୋଳନକୁ ସଫଳ କରି ଦେଶକୁ ଦାନା ଯୋଗାଉଛନ୍ତି। ସେମାନେ ସବୁ ପ୍ରସଙ୍ଗରେ ଦେଶର ସ୍ବାର୍ଥ ରକ୍ଷା କରୁଛନ୍ତି। ଅପରପକ୍ଷରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ଆମ୍ ଆଦ୍ମୀ ପାର୍ଟି ସରକାର ଅମଳରେ ରାଜ୍ୟରେ ନିଶାଜନିତ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦାବି ମିଛ। ନିଶା କାରବାରକୁ ଗାଁ ଗାଁରେ ଲୋକେ ବିରୋଧ କରୁଛନ୍ତି।
Popular Categories



