ଆଗାମୀ ବିପର୍ୟ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଉନ୍ନୟନ କମିଶନରଙ୍କ ଆହ୍ବାନ

ଜଳ ସଂପଦ ବିଭାଗ ତରଫରୁ ପ୍ରାକ୍ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଏକ ପ୍ରାକ୍ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ  ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଅନ୍ତର୍ଗତ ଡିଭିଜନଗୁଡିକରେ ଅବସ୍ଥାପିତ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ମହାନ୍ତି ପାଓ୍ୱାର ପଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ରାଜ୍ୟରେ ଥିବା ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ ଟି ନଦୀ ଅବବାହିକାରେ ଥିବା ୮ ଟି ବୃହତ୍ ଜଳ ଭଣ୍ଡାର ଓ ୪୭ ଟି ମଧ୍ୟମ ଜଳଭଣ୍ଡାରର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଯନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ଆମେ ପାଖାପାଖି ୧୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବା ବେଳେ ବନ୍ୟା ପରିଚାଳନା ସଫଳତାର ସହ କରିଥିଲୁ । ଏ ବର୍ଷ ଆମର ବୃହତ ଓ ମଧ୍ୟମ ଜଳ ଭଣ୍ଡାରଗୁଡିକର ସ୍ଥିତି ଭଲ ରହିଛି । ଆମର ବନ୍ୟା ପରିଚାଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିପାରିବୁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଇଂ. ମହାନ୍ତି ପ୍ରକାଶ କରିଥିଲେ ।
ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଗତ ବର୍ଷ ବନ୍ୟାକୁ ଆମେ ସଫଳତାର ସହ ମୁକାବିଲା କରିଛୁ । କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନ ହୋଇ ଆମକୁ ଅଧିକ ଯତ୍ନ ଓ ସତର୍କତାର ସହ କାର୍ୟ୍ୟ କରିବାକୁ ପଡିବ । ଗତ ବର୍ଷ ବନ୍ୟା ମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବନ୍ୟା-ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ବନ୍ୟା-ବାତ୍ୟା ପରିଚାଳନା ସହ ବନ୍ୟା ଛାଡିବା ପରେ ଜଳ ସଂଚୟ ପାଇଁ ଗେଟ୍ ଗୁଡିକର ସ୍ଥିତି ଯେପରି ଠିକ୍ ରୁହେ, ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି । ଆହୁରି ମଧ୍ୟ ବନ୍ୟା ସମୟରେ ନଦୀ ବନ୍ଧ ଗୁଡିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣଙ୍କ ଯାତାୟତ ପାଇଁ ସୁବିଧା ରୁହେ, ସେଥିପ୍ରତି ଧ୍ୟାନ ଦେଇ ରାସ୍ତାଗୁଡିକର ସ୍ଥିତି ଯାଂଚ କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବନ୍ଧ ମରାମତି କରିବାକୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରୁ ଜଣାପଡିଛି ଯେ ଗତ ଥର ହୋଇଥିବା ୮ ଟି ସ୍ଥାନରେ ଘାଇ ମଧ୍ୟରୁ ୩ ଟି ସଂପୂର୍ଣ୍ଣ ମରାମତି ସରିଛି ଓ ଅନ୍ୟ ସମସ୍ତ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଚଳିତ ମଇ ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ ବିଭାଗର ସଂପୃକ୍ତ ଅତିରିକ୍ତ ମୁଖ୍ୟଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ନଦୀ ବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସବୁ ଜିଲ୍ଲାରେ ଯୁଗ୍ମ ତନଖି କାର୍ୟ୍ୟ ସରିଛି । ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କି.ମି ବନ୍ଧ ତଟ ରହିଛି । ସେଥିରୁ ୧୬୩୫.୯୪୫ କି.ମି ଲୁଣି ବନ୍ଧ ରହିଛି । ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଗେଟ୍, ସ୍କୁଇସ୍ ଗେଟ୍, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ପ୍ରତି ବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନଓ୍ୱାରୀ ବାଲିବସ୍ତା, ବାଲି ବ୍ୟାଗ, ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା ଓ ଉପକରଣ କ୍ରୟ ପ୍ରକ୍ରିୟା ଜାରି ରହିଛି । ଉପରୋକ୍ତ ବ୍ୟବସ୍ଥା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର ଜରୁରୀ ଟେଲିଫୋନ୍ ନମ୍ବର ରଖି ନିୟମିତ ଯୋଗାଯୋଗରେ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର ସଂପୃକ୍ତ ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜନ ପ୍ରତିନିଧି, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଉଛି । ଜଳ ସଂପଦ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି ।

prayash

ଜୁନ ୧ ତାରିଖରୁ ୩୧ ଅକ୍ଟୋବର ପର୍ୟ୍ୟନ୍ତ ସେଚସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ୟ୍ୟ କରିବ । ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ୟ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ୟ୍ୟକ୍ରମ ହେବ ଓ ଏହାକୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀମାନେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସଂପର୍କିତ ବୁଲେଟିନ୍ ନିୟମିତ ପ୍ରଦାନ, ବନ୍ୟାଜଳ ଛାଡିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ନଦୀ ଜଳ ଭଣ୍ଡାରରୁ ପ୍ରବେଶ କରିବାକୁ ଥିବା ଜଳ ପରିମାଣ ଜାଣିବା ପାଇଁ ସଂପୃକ୍ତ ପଡୋଶୀ ରାଜ୍ୟର ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପାଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ ନେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇ ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା କରିଛନ୍ତି ।
ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡି ଅବବାହିକା, ମୁଖ୍ୟ ଯନ୍ତ୍ରୀ, ଏଚ୍.ଏଚ୍ ଏବଂ ଜିଆଇଏସ, ସିଏମ ଭୁବନେଶ୍ୱର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟଯନ୍ତ୍ରୀ ,ମନିଟରିଂ, ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.