କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋରଙ୍କ ଖସଡ଼ା

କଂଗ୍ରେସର ସଦସ୍ୟତା ସହ ପରାମର୍ଶଦାତା ଭାବେ କାମ କରିବେ,୨୦୨୪ରେ ୩୭୦ଆସନ ଜିତିବା ଲକ୍ଷ୍ୟରେ କାମ କରିବ ଦଳ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ, ପ୍ରିୟଙ୍କା ଓ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାବେଳେ ସେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ସୋନିଆଙ୍କୁ ଦେଇଥିଲାବେଳେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରେ ଯୋଗଦେବା ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହି ବୈଠକ ପରେ ପ୍ରଶାନ୍ତଙ୍କ କଂଗ୍ରେସରେ ଯୋଗଦାନ ଏକ ପ୍ରକାର ସ୍ପଷ୍ଟ ହୋଇଛି।
ସୂଚନାନୁଯାୟୀ, ପ୍ରଶାନ୍ତ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସକୁ ୪୦୦ ଆସନ ଜିତିବା ଲକ୍ଷ୍ୟ ନେଇ ଆଗେଇବାକୁ ପଡ଼ିବ ବୋଲି କହିଛନ୍ତି। ଦଳରେ ରହିଥିବା ଦୁର୍ବଳତା ଉପରେ ସେ ଆଲୋକପାତ କରିବା ସହ ସ୍ଥିତିରେ ଉନ୍ନତି ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କ’ଣ କରିବାକୁ ହେବ ତାହାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଆସନ୍ତା ନିର୍ବାଚନରେ ଅନ୍ୟୂନ ୩୭୦ ଆସନ​ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ସାଂଗଠନିକ ପୁନର୍ଗଠନର ଆବଶ୍ୟକତା ମଧ୍ୟ ସେ ଦର୍ଶାଇଛନ୍ତି। ତାଙ୍କ ପରାମର୍ଶ ତଥା ଖସଡ଼ା ଆଧାରରେ ଏକାଧିକ ଛୋଟ କମିଟି ଗଠନ କରାଯିବ ବୋଲି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ କହିଛନ୍ତି। ଗୁଜରାତ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ କଂଗ୍ରେସର ଏକ ଚିନ୍ତନ ଶିବିର ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।
ପ୍ରଶାନ୍ତ କିଶୋରଙ୍କର ପ୍ରିୟଙ୍କାଙ୍କ ସହିତ ଉତ୍ତମ ସମ୍ପର୍କ ରହିଛି। ଏହି ଆଧାରରେ ପୂର୍ବରୁ ପ୍ରଶାନ୍ତ କଂଗ୍ରେସ ପାଇଁ କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା; କିନ୍ତୁ କୌଣସି କାରଣରୁ ଏହା ଥମି ଯାଇଥିଲା। ଗତ କିଛି ଦିନ ହେଲା ଉଭୟ ପକ୍ଷ ଯୋଗାଯୋଗରେ ଥିଲେ ଏବଂ କେଇ ପର୍ଯ୍ୟାୟ ଆଲୋଚନା ମଧ୍ୟ ହୋଇଥିଲା। ଏମିତି କି ରାହୁଲ ଗାନ୍ଧୀଙ୍କୁ କେତେକ କ୍ଷେତ୍ରରେ ସମାଲୋଚନା କରିବାକୁ ପ୍ରଶାନ୍ତ ପଛାଇ ନ ଥିଲେ। ଚଳିତ ବର୍ଷ ଶେଷଆଡ଼କୁ ଗୁଜରାତ ବିଧାନସଭା ନିର୍ବାଚନ ଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେଇ ପ୍ରଶାନ୍ତ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଓ ଏ ନେଇ ଉଭୟ ପକ୍ଷ ଏକ ବୁଝାମଣାରେ ଉପନୀତ ହୋଇଥିବା ଏବେ ସ୍ପଷ୍ଟ ହୋଇଛି। କଂଗ୍ରେସ ପାଇଁ କାମ କରିବା ପ୍ରତିଦାନରେ ସେ କିଛି ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଶନିବାର ସୋନିଆଙ୍କ ବାସଭବନରେ ଅନୁଷ୍ଠିତ କଂଗ୍ରେସ ପୁନରୁତ୍ଥାନ ବୈଠକରେ ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡଗେ, ଅମ୍ବିକା ସୋନି, ଅଜୟ ମାକେନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.